ହାଇକୋର୍ଟରେ ଅନୁଭବ-ବର୍ଷା ବିବାଦ ମାମଲା : ସ୍ପାଉସ୍ କାର୍ଡ଼ ପ୍ରତ୍ୟାହାର ଉପରେ ରହିତାଦେଶ
କଟକ : ବର୍ଷା-ଅନୁଭବ ବିବାଦ ମାମଲାରେ ବର୍ଷାଙ୍କ ପାର୍ଲିଆମେଂଟ ସ୍ପାଉସ୍ କାର୍ଡ ପ୍ରତ୍ୟାହାର ଉପରେ ସ୍ଥଗିତାଦେଶ ଜାରି କଲେ ହାଇକୋର୍ଟ । ବର୍ଷାଙ୍କ ପକ୍ଷରୁ ଦାୟର ହୋଇଥିବା ମାମଲାକୁ ଗ୍ରହଣ କରି ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ବର୍ଷାଙ୍କୁ ମିଳିଥିବା ସ୍ପାଉସ୍ କାର୍ଡକୁ ଫେରାଇବା ପାଇଁ ପାର୍ଲିଆମେଂଟ ସଚିବ ନିର୍ଦ୍ଦେଶ ଦେଇଥିଲେ । ସ୍ପାଉସ୍ କାର୍ଡକୁ ଫେରାଇବା ପାଇଁ ଅନୁଭବ ପାର୍ଲିଆମେଂଟ ସଚିବଙ୍କୁ ଲିଖିତ ଭାବେ ଜଣାଇଥିଲେ । ଏହାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ବର୍ଷା । ବୈବାହିକ ଜୀବନକୁ ନେଇ ଅନୁଭବ ବାରମ୍ବାର ଗଣମାଧ୍ୟମକୁ ଦେଉଥିବା ପ୍ରତିକ୍ରିୟାକୁ ବନ୍ଦ ପାଇଁ ମଧ୍ୟ ବର୍ଷା କୋର୍ଟଙ୍କୁ ପ୍ରାର୍ଥନା କରିଛନ୍ତି । ଆସନ୍ତା ମାର୍ଚ୍ଚ ୧୫ ତାରିଖରେ ମାମଲାର ପରବର୍ତୀ ଶୁଣାଣି ।
ଏ ନେଇ ବର୍ଷାଙ୍କ ଓକିଲ ସୁଜାତା ଜେନା କହିଛନ୍ତି, ବର୍ଷାଙ୍କ ଆବେଦନକୁ କୋର୍ଟ ଗ୍ରହଣ କରିଛନ୍ତି । ସ୍ପାଉସ୍ କାର୍ଡ ସରେଣ୍ଡର କରିବାକୁ ପାର୍ଲାମେଂଟ ସେକ୍ରେଟାରିଏଟ୍ ଯେଉଁ ନୋଟିସ୍ ପଠାଇଥିଲେ, ବର୍ଷା ତା’ ବିରୋଧରେ କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ଏହାଛଡ଼ା ସାଂସଦ ଅନୁଭବ ମହାନ୍ତି ମାଟ୍ରିମୋନିଆଲ୍ ଇସ୍ୟୁକୁ ନେଇ ଗଣମାଧ୍ୟମରେ ବାରମ୍ବାର ଯେଉଁଭଳି କଥା କହୁଛନ୍ତି, ତାକୁ ବନ୍ଦ କରିବାକୁ ମଧ୍ୟ ବର୍ଷା କୋର୍ଟରେ ଆବେଦନ କରିଛନ୍ତି । ସୂଚନା ଯେ, ସାଂସଦ ଅନୁଭବ ମହାନ୍ତିଙ୍କ ପତ୍ନୀ ବର୍ଷାଙ୍କୁ ସଂସଦ ପକ୍ଷରୁ ନିୟମ ଅନୁଯାୟୀ ସ୍ପାଉସ୍ କାର୍ଡ ପ୍ରଦାନ କରାଯାଇଛି । କିନ୍ତୁ ବର୍ଷା ଏହାକୁ ଅପବ୍ୟବହାର କରୁଥିବା ଅନୁଭବ ପାର୍ଲାମେଂଟ ସେକ୍ରେଟାରିଏଟ୍?କୁ ଜଣାଇଥିଲେ । ବର୍ଷା ଦେଶ ଭିତରେ ଓ ବିଦେଶରେ ଏହାର ଫାଇଦା ଉଠାଉଥିବା ସେ କହିଥିଲେ । ଏହା ସହିତ ତୁରନ୍ତ ତାଙ୍କ ଠାରୁ ଏହି କାର୍ଡ ପ୍ରତ୍ୟାହାର କରି ନେବା ପାଇଁ ଅନୁଭବ ପାର୍ଲାମେଂଟ ସେକ୍ରେଟାରିଏଟ୍କୁ ଅନୁରୋଧ କରିଥିଲେ ।
