ଭଉଁରିଆବାଡ଼ରେ ବିଜେଡି ସମର୍ଥିତ ସମିତିସଭ୍ୟା ଓ ସରପଞ୍ଚ ପ୍ରାର୍ଥୀଙ୍କ ପ୍ରଚାର ଜୋରଦାର! ଅଣ୍ଟା ଭିଡ଼ିଲେ ସନ୍ତୋଷ ଖଟୁଆ
ନୀଳଗିରି : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ ଗ୍ରହଣ ତାରିଖ ପାଖେଇ ଆସୁଛି । ଆଉ ଅଳ୍ପ ଦିନ ପରେ ହେବ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା । ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଭଉଁରିଆବାଡ଼ ପଞ୍ଚାୟତର ବିଜେଡି ସମର୍ଥନରେ ଛିଡ଼ା ହୋଇଥିବା ଷ୍ଟୁଲ ଚିହ୍ନରେ ସମିତିସଭ୍ୟା ପ୍ରାର୍ଥୀନୀ ଶୁଭଲକ୍ଷ୍ମୀ ମାଝୀ ଓ ଖୋଲା ଛତା ଚିହ୍ନରେ ସରପଞ୍ଚ ପ୍ରାର୍ଥୀ ସତ୍ୟନାରାୟଣ ସିଂଙ୍କ ନିର୍ବାଚନୀ ପ୍ରଚାର ଜୋର୍ସୋର୍ରେ ଚାଲିଛି । ପଞ୍ଚାୟତ ରାଜନୀତିରେ ସମିତିସଭ୍ୟା ଓ ସରପଞ୍ଚ ପ୍ରାର୍ଥୀଙ୍କ ପାଇଁ କୌଣସି ଦଳୀୟ ଚିହ୍ନରେ ପ୍ରାର୍ଥୀମାନେ ଲଢ଼ିବାର ବ୍ୟବସ୍ଥା ନାହିଁ । ମାତ୍ର ପରୋକ୍ଷ ଭାବେ ନିଜ ଦଳର ସମର୍ଥିତ ପ୍ରାର୍ଥୀଙ୍କୁ ଜିତାଇ କ୍ଷମତା ଦଖଲ କରିବାକୁ ବିଜେଡି ବିଧାୟକ ପ୍ରାର୍ଥୀ ସନ୍ତୋଷ ଖଟୁଆଙ୍କ ପକ୍ଷରୁ ଜୋରଦାର ପ୍ରୟାସ ଆରମ୍ଭ ହୋଇଛି । ଶୁଭଲକ୍ଷ୍ମୀ ପ୍ରଥମଥର ପାଇଁ ନିର୍ବାଚନରେ ପ୍ରାର୍ଥୀ ହୋଇଥିଲେ ହେଁ ସତ୍ୟନାରାୟଣ ପୂର୍ବରୁ ଉକ୍ତ ପଞ୍ଚାୟତର ସରପଞ୍ଚ ଥିଲେ ।

ସୂଚନାଥାଉକି ଶୁଭଲକ୍ଷ୍ମୀ ଭାରତୀୟ ରିଜର୍ଭ ବ୍ୟାଙ୍କର ଅବସରପ୍ରାପ୍ତ ମହାପ୍ରବନ୍ଧକ ମଦନ ମୋହନ ମାଝୀଙ୍କ ଧର୍ମପତ୍ନୀ । ସେ ଜଣେ ଉଚ୍ଚଶୀକ୍ଷିତା ହୋଇଥିଲେ ହେଁ ସୁଚାରୁ ରୂପେ ଗୃହିଣୀ ଧର୍ମ ପାଳନ କରି ସ୍ୱାମୀଙ୍କ ଅବସରପରେ ଜନସେବାକୁ ନିଜର ବ୍ରତ ଭାବି ପଞ୍ଚାୟତ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବା ପାଇଁ ଭଉଁରିଆବାଡ଼ ପଞ୍ଚାୟତରେ ସମିତି ସଭ୍ୟ ଭାବେ ମୈଦାନକୁ ଓହ୍ଲାଇଛନ୍ତି । ନୀଳଗିରି ରାଜନୀତିରେ ଦୃଢ଼ ସଂଗଠକ ଭାବେ ପରିଚିତ ଶ୍ରୀ ଖଟୁଆ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନୀତି ଆଦର୍ଶକୁ ପାଥେୟ କରି ସେ ଭୋଟରଙ୍କ ପାଖକୁ ଯାଉଛନ୍ତି । ତାଙ୍କୁ ପଞ୍ଚାୟତ ଲୋକେ ଗ୍ରହଣ କରୁଥିବା ବେଳେ ସେ ଆଗକୁ ପଞ୍ଚାୟତରେ ଜୟଲାଭ କରିବେ ବୋଲି ସନ୍ତୋଷ ଖଟୁଆ ଆଶା ବ୍ୟକ୍ତ କରିଛନ୍ତି । ଶୁଭଲକ୍ଷ୍ମୀ ଯଦି ଆଗାମୀ ପଞ୍ଚାୟତ ନିର୍ବାଚନରେ ବିଜୟ ଲାଭ କରନ୍ତି ତା’ହେଲେ ନୀଳଗିରି ପଞ୍ଚାୟତ ସମିତି ଅଧ୍ୟକ୍ଷା ପଦ ପାଇଁ ସେ ବିଜେଡିର ଅଗ୍ରଣୀ ଭୂମିକା ନେବା ନେଇ ଦଳ ମଧ୍ୟରେ ଜୋରଦାର୍ ଚର୍ଚ୍ଚା ଚାଲିଛି । ସୂଚନା ଯେ, ନୀଳଗିରି ବ୍ଲକର ଅଧ୍ୟକ୍ଷ ଆସନ ଆଦିବାସୀ ପ୍ରାର୍ଥୀନୀଙ୍କ ପାଇଁ ସଂରକ୍ଷିତ ରହିଛି ।
