ରାଜ୍ୟରେ ଆଜିଠୁ ଖସିବ ପାରଦ, ଶୁଖିଲା ରହିବ ପାଗ
ଭୁବନେଶ୍ୱର : ରବିବାର ଠୁ ଚାରି ଦିନ ପର୍ଯ୍ୟନ୍ତ ରାଜ୍ୟର ଶୁଖିଲା ରହିବ ପାଗ । ଆସନ୍ତା ୨ରୁ ୩ ଦିନ ଭିତରେ ରାତିର ତାପମାତ୍ରା ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ଖସିପାରେ । ଭୁବନେଶ୍ୱର ଆଂଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଏଚ୍.ଆର ବିଶ୍ୱାସ ଏହି ସୂଚନା ଦେଇଛନ୍ତି ।
ପାଣିପାଗ କେନ୍ଦ୍ରା ସୂଚନା ଅନୁସାରେ, ପଶ୍ଚିମା ଝଡ଼ ପ୍ରଭାବରେ ଗତକାଲି ରେକର୍ଡ ହୋଇଥିବା ରାତ୍ରି ତାପମାତ୍ରାରେ ବିଭିନ୍ନ ସ୍ଥାନରେ ଦୃଷ୍ଟାନ୍ତ ମୂଳକ ବୃଦ୍ଧି ଘଟିଥିବା ବେଳେ ସ୍ୱାଭାବିକ ତାପମାତ୍ରାଠାରୁ ୬ ଦଶମିକ ୪ ଡ଼ିଗ୍ରୀ ଯାଏ ଅଧିକ ରହିଥିଲା । ତେବେ ଆଗାମୀ ୨ରୁ ୩ ଦିନ ମଧ୍ୟରେ ଏହା ୩ ରୁ ୫ ଡ଼ିଗ୍ରୀ ତଳକୁ ଖସିବ । ତା’ପରେ ତାପମାତ୍ରା ସ୍ୱାଭାବିକ ହେବ । ୬ ଓ ୭ ତାରିଖରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ସାମାନ୍ୟରୁ ମଧ୍ୟମ ଧରଣର କୁହୁଡ଼ି ସମ୍ଭାବନା ଥିବା ପାଣିପାଗ ବିଭାଗ ସୂଚନା ଦେଇଛି । ପଶ୍ଚିମା ଝଡ଼ ପ୍ରଭାବରେ ଗତ ଶୁକ୍ରବାର ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଥିଲା । ବର୍ଷା ଯୋଗୁ ଗତକାଲି ବନ୍ଦ ଥିବା ଶିମିଳିପାଳ ଅଭୟାରଣ୍ୟ ଶନିବାର ପର୍ଯ୍ୟଟକଙ୍କ ପାଇଁ ଖୋଲିବ । ପ୍ରବଳ କୁହୁଡ଼ି ଓ ଖରାପ ପାଗ ଯୋଗୁଁ ବିଳମ୍ବରେ ଖୋଲାଯିବ ବୋଲି ସୂଚନା ମିଳିଛି । ବର୍ଷା ଯୋଗୁଁ ଗତ ଶୁକ୍ରବାର ଶିମିଳିପାଳ ଅଭୟାରଣ୍ୟକୁ ବନ୍ଦ କରାଯାଇ ଥିଲା ।
