ବିଧାନସଭା ନିର୍ବାଚନ ପରେ ଏମ୍ଏସ୍ପି ଲାଗି ଗଠନ ହେବ କମିଟି : କେନ୍ଦ୍ର କୃଷିମନ୍ତ୍ରୀ
The Union Minister for Agriculture and Farmers Welfare, Shri Narendra Singh Tomar holding a press conference on Cabinet Decisions, in New Delhi on August 18, 2021.
ନୂଆଦିଲ୍ଲୀ : ବିଧାନସଭା ନିର୍ବାଚନ ପରେ ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ନିମନ୍ତେ ଏକ କମିଟି ଗଠନ କରାଯିବ ବୋଲି କେନ୍ଦ୍ର ସରକାର ଶୁକ୍ରବାର ଘୋଷଣା କରିଛନ୍ତି । କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଶୁକ୍ରବାର ରାଜ୍ୟସଭାରେ ଏହି ଘୋଷଣା କରିଛନ୍ତି । ଦେଶରେ ଚାଷୀଙ୍କ କଲ୍ୟାଣ ଲାଗି ସରକାର ସଙ୍କଳ୍ପବଦ୍ଧ ବୋଲି ସେ ପୁଣି ଥରେ ସଂସଦରେ ଦୋହରାଇଛନ୍ତି । ସେ କହିଛନ୍ତି ଯେ ଏମଏସପି ବାବଦେ କମିଟି ଘୋଷଣା ନିମନ୍ତେ ସରକାର ନିର୍ବାଚନ ଆୟୋଗ(ଇସି)ଙ୍କୁ ପତ୍ର ଲେଖିଥିଲେ । ତେବେ ଏହା ନିର୍ବାଚନ ପରେ ମଧ୍ୟ କରାଯାଇପାରିବ ବୋଲି ଇସିଆଇ କହିବା ପରେ ସରକାର ଅଟକି ଯାଇଛନ୍ତି ବୋଲି ତୋମର ଗୃହକୁ କହିଛନ୍ତି ।
ଗତବର୍ଷ ନଭେମ୍ବର ମାସରେ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣିତ ୩ କୃଷି ଆଇନ ବାତିଲ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଘୋଷଣା କରିବା ବେଳେ ଏମଏସପି ଲାଗି ଆଇନ ନିମନ୍ତେ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ । ଏ ବାବଦେ ଚାଷୀଙ୍କ ଦାବିର ଆଲୋଚନା ନିମନ୍ତେ ଏକ କମିଟି ଗଠନ କରାଯିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସରକାର ପ୍ରଧାନମନ୍ତ୍ରୀଙ୍କ ଏହି ଘୋଷଣା ଲାଗି ପ୍ରତିବଦ୍ଧ । ମାମଲା ଏବେ ମନ୍ତ୍ରାଳୟଙ୍କ ବିଚାରାଧୀନ ଓ କମିଟି ଘୋଷଣା ବିଧାନସଭା ନିର୍ବାଚନ ପରେ ହେବ ବୋଲି ସେ କହିଛନ୍ତି ।
ଉତରପ୍ରଦେଶ, ଉତରାଖଣ୍ଡ, ପଞ୍ଜାବ, ମଣିପୁର ଓ ଗୋଆ ବିଧାନସଭା ଲାଗି ଚଳିତ ମାସରୁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି । ଉତରପ୍ରଦେଶର ୪୦୩ ବିଧାନସଭା ଆସନ ନିମନ୍ତେ ୭ଟି ପର୍ଯ୍ୟାୟରେ ଫେବୃଆରୀ ୧୦ରୁ ମାର୍ଚ୍ଚ ୭ ତାରିଖ ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ । ସେହିପରି ପଞ୍ଜାବ, ଗୋଆ ଓ ଉତରାଖଣ୍ଡ ଲାଗି ଗୋଟିଏ ପର୍ଯ୍ୟାୟରେ ଫେବୃଆରୀ ୧୪ ତାରିଖ ଦିନ ଭୋଟ ଗ୍ରହଣ ହେବାକୁ ଥିବା ବେଳେ ମଣିପୁରରେ ୨୭ ଫେବୃଆରୀ ଓ ମାର୍ଚ୍ଚ ୨ ତାରିଖରେ ଭୋଟ ଗ୍ରହଣ ହେବ । ମାର୍ଚ ୧୦ ତାରିଖରେ ଭୋଟଣନା କରାଯିବ । ଏହା ପରେ ନିର୍ବାଚନ ଆଚରଣ ସଂହିତା ପ୍ରତ୍ୟାହାର ସହ ସରକାର ତାଙ୍କ ପ୍ରତିଶ୍ରୁତିର ପାଳନ କରିବେ ବୋଲି ତୋମର କହିଛନ୍ତି ।
