ଡିଜିଟାଲ ଇଣ୍ଡିଆ ଆଡକୁ ମୁହାଉଁଛି ଦେଶ! ଏବେବି ଓଡ଼ିଶାର ୬,୦୯୯ ଗାଁରେ ନାହିଁ ମୋବାଇଲ୍ ସଂଯୋଗ
ନୂଆଦିଲ୍ଲୀ: ଆଗକୁ ଓଡ଼ିଶାରେ ହେବାକୁ ଯାଉଛି ପଂଚାୟତ ନିର୍ବାଚନ । ଏ ନେଇ ବିଭିନ୍ନ ଦଳ ଭୋଟ ହାତେଇବା ପାଇଁ ଅନେକ ପ୍ରତିଶ୍ରୁତି ଦେଉଛନ୍ତି । ଯାତାୟତ ସୁବିଧା ସହ ବିଜୁଳି ସଂଯୋଗ ଓ ପିଇବା ଯୋଗ୍ୟ ପାଣି ଯୋଗାଇଦେବା ନେଇ ଲୋକଙ୍କୁ ଅନେକ ସ୍ୱପ୍ନ ଦେଖାଉଛନ୍ତି ରାଜନୈତିକ ଦଳ । ଦେଶ ଏବେ ଡିଜିଟାଲ ଇଣ୍ଡିଆ ଆଡକୁ ମୁହାଁଉଥିବା ବେଳେ ଏବେ ବି ରାଜ୍ୟର ପ୍ରାୟ ୭୦୦୦ ଗାଁକୁ ମୋବାଇଲ ସଂଯୋଗ ପହଞ୍ଚିପାରି ନଥିବା ଜଣାପଡ଼ିଛି । ସଂଚାର ମନ୍ତ୍ରାଳୟ ସୂଚୀ ଜାରି କରି କେଉଁ ରାଜ୍ୟରେ କେତେ ଗାଁକୁ ମୋବାଇଲ ପହଂଚିପାରି ନାହିଁ, ତା’ର ସୂଚନା ଦିଆଯାଇଛି । ଏହି ସୂଚୀରେ ଓଡ଼ିଶା ଏକ ନମ୍ବରରେ ରହିଛି । ଦେଶର ପ୍ରାୟ ୨୫,୦୦୦ ଗାଁକୁ ଏଯାବତ୍ ମୋବାଇଲ୍ ସଂଯୋଗ ହୋଇପାରି ନ ଥିବା ବେଳେ ଓଡ଼ିଶାରେ ସର୍ବାଧିକ ୬୦୯୯ ଗାଁ ଏଥିରେ ସାମିଲ୍ ଅଛି ।
ଦେଶର ମୋବାଇଲ୍ ପଛୁଆ ରାଜ୍ୟ ସୂଚୀରେ ଆଗରେ ରହିଛି ଓଡ଼ିଶା । ସଂଚାର ମନ୍ତ୍ରାଳୟ ଅନୁଯାୟୀ, ଡିଜିଟାଲ ଯୁଗରେ ଓଡ଼ିଶାର ୬,୦୯୯ ଗାଁକୁ ଏବେ ବି ମୋବାଇଲ ପହଂଚିପାରି ନାହିଁ । ଏଠାରେ ଲୋକେ ଏବେ ବି ମୋବାଇଲ ବ୍ୟବହାର କରି ପାରୁନାହାନ୍ତି । ଦେଶରେ ଏବେ ଡିଜିଟାଲ କ୍ରାନ୍ତି ଆସିବ ବୋଲି ସରକାର କହିବୁଲୁଥିବା ବେଳେ ଓଡ଼ିଶାର ଏଭଳି ଅବସ୍ଥା ଚିନ୍ତା କରିବା ଭଳି ନିଶ୍ଚୟ । ତେବେ ଓଡ଼ିଶା ଆଗରେ ଥିବା ବେଳେ ଏହା ପଛକୁ ରହିଛି ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଅରୁଣାଚଳ ପ୍ରଦେଶ, ଛତିଶଗଡ଼, ଅନ୍ଧ୍ରପ୍ରଦେଶ, ଝାଡଖଣ୍ଡ, ପଶ୍ଚିମବଙ୍ଗ, ତେଲେଙ୍ଗାନା, ବିହାର ଇତ୍ୟାଦି ରାଜ୍ୟ ।
