ମୁଖ୍ୟମନ୍ତ୍ରୀଙ୍କ ହୋର୍ଡ଼ିଂ ଉପରେ ପାଗିଳିର ଉନ୍ମତ୍ତ! ଉଦ୍ଧାର କରିବାକୁ ଅଗ୍ନିଶମ ବିଭାଗ ନାକେଦମ
ନୀଳଗିରି : ନୀଳଗିରି ମେଡିକାଲ ଛକ ଠାରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହୋର୍ଡ଼ିଂ ଉପରକୁ ଗୁରୁବାର ଦିନ ପ୍ରାୟ ୧ଟା ସମୟରେ ଏକ ପାଗିଳି ଚଢ଼ିଯାଇ ଖେଳ ଖେଳୁଥିବାର ଦେଖିବାକୁ ମିଳିଥିଲା । ପାଗିଳିଟି ହୋର୍ଡ଼ିଂରୁ ତଳକୁ ଓହ୍ଲାଇ ପାରୁ ନ ଥିବା ବେଳେ ତା’ର ଦୃଶ୍ୟକୁ ଦେଖିବାକୁ ମେଡିକାଲ ଛକ ଲୋକାରଣ୍ୟ ହୋଇ ପଡ଼ିଥିଲା । ପାଗିଳି ଜଣକ କାଳେ ତଳକୁ ଖସିପଡ଼ି ଅଘଟଣ ଘଟିବାର ଆଶଙ୍କାକୁ ନେଇ ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ହୋର୍ଡ଼ିଂ ଉପରୁ ପାଗିଳିକୁ ଉଦ୍ଧାର କରିବା ପାଇଁ ୧ଘଣ୍ଟା ଧରି ରଣକୌଶଳ ଜାରି ରଖିଥିଲେ । ଶେଷରେ ଅଗ୍ନିଶମ ବାହିନୀ କୌଶଳ କରି ପାଗିଳିଟିକୁ ଉଦ୍ଧାର କରି ତଳକୁ ଆଣିଥିଲେ । ଏପରି ଦୃଶ୍ୟ ପ୍ରାୟ ୨ଘଣ୍ଟା ଧରି ଚାଲିଥିବାର ଦେଖିବାକୁ ମିଳିଥିଲା ।
