ବିଶ୍ୱପ୍ରସିଦ୍ଧ ରଥଯାତ୍ରା : ଶ୍ରୀକ୍ଷେତ୍ରରେ ପହଞ୍ଚିଲା ପ୍ରଥମ ପର୍ଯ୍ୟାୟ ରଥକାଠ
ପୁରୀ : ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ ଜିଲାରୁ ଶ୍ରୀକ୍ଷେତ୍ରରେ ପହଞ୍ଚିଲା ପ୍ରଥମ ପର୍ଯ୍ୟାୟ ରଥକାଠ । ନୟାଗଡ ଦଶପଲ୍ଲା ସ୍ଥିତ ମହାବୀର ପୀଠରେ ପୂଜାର୍ଚ୍ଚନା ପରେ ୬୩ ଖଣ୍ଡ ରଥକାଠ ପୁରୀ ଅଭିମୁଖେ ବାହାରିଥିଲା । ପ୍ରଥମ ପର୍ଯ୍ୟାୟରେ ନୟାଗଡ ଜିଲା ବନଖଣ୍ଡ ବିଭାଗ ୩୬ ଖଣ୍ଡ ଅସନ ଓ ୨୯ ଖଣ୍ଡ ଧଉରା କାଠ ପଠାଇଛି । ବନଖଣ୍ଡର ବରିଷ୍ଠ ଅଧିକାରୀ ଓ ସ୍ଥାନୀୟ ଦଶପଲ୍ଲା ବାସିନ୍ଦାଙ୍କ ଉପସ୍ଥିତିରେ କାଠଖଣ୍ଡଗୁଡିକର ପୂଜାର୍ଚ୍ଚନା କରାଯାଇଥିଲା । ବଳକା ରଥକାଠ ପର୍ଯ୍ୟାୟ କ୍ରମେ ପଠାଯିବ ।
ରଥ ନିର୍ମାଣ ପାଇଁ ସମୁଦାୟ ୮୬୫ ଖଣ୍ଡ କାଠର ଆବଶ୍ୟକତା ରହିଥିବା ବେଳେ ପୂର୍ବରୁ ବଳକା ରହିଛି ୮୦ ଖଣ୍ଡ କାଠ। ୮୬୫ ଖଣ୍ଡ କାଠରୁ ୭୮୫ ଅସନ, ଧଉରା ଏବଂ ଫାସୀ କାଠର ଆବଶ୍ୟକତା ରହିଛି। ତେବେ ନୟାଗଡ ଦଶପଲ୍ଲା ରେଞ୍ଜରୁ ଦୁଇଟି ଟ୍ରକରେ ପୁରୀରେ ଆସି ପହଞ୍ଚିଛି ୬୩ ଖଣ୍ଡ ଧଉରା ଓ ଅସନ କାଠ। ଆସନ୍ତା ୫ ତାରିଖ ଶ୍ରୀପଞ୍ଚମୀ ଦିନ ବିଧି ଅନୁଯାୟୀ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ରଥ ନିର୍ମାଣ ପାଇଁ ତିନୋଟି ରଥକାଠ ପୂଜା କରାଯିବ। ପର୍ଯ୍ୟାୟ କ୍ରମେ ବାକି କାଠ ଆସି ପହଞ୍ଚିବ ବୋଲି ବରିଷ୍ଠ ରଥ ତତ୍ତ୍ବାବଧାରକ କହିଛନ୍ତି।
