ଓଡ଼ିଶାର ନୀଳାଚଳ ଇସ୍ପାତରୁ ପୁଞ୍ଜି ପ୍ରତ୍ୟାହାର ନେଇ କେନ୍ଦ୍ର ଅର୍ଥ ମନ୍ତ୍ରୀଙ୍କ ସୂଚନା
ନୂଆଦିଲ୍ଲୀ: ବଜେଟ୍ ଅଧିବେଶନରେ ଯାଜପୁର ଜିଲ୍ଲାର କଳିଙ୍ଗନଗରଠାରେ ଥିବା ଓଡ଼ିଶା ନୀଳାଚଳ ଇସ୍ପାତ ନିଗମକୁ ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ । କ୍ଷତିରେ ଚାଲୁଥିବା ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନୀଳାଚଳ ଇସ୍ପାତରୁ ପୁଞ୍ଜି ପ୍ରତ୍ୟାହାର ହେବ ବୋଲି ସେ କହିଛନ୍ତି । ୨୦୨୦ ଜାନୁଆରି ୮ରେ ବସିଥିବା କେନ୍ଦ୍ର କ୍ୟାବିନେଟ ବୈଠକରେ ଏନେଇ ନିଷ୍ପତ୍ତି ହୋଇଥିଲା । ଟାଟା ଷ୍ଟିଲ ଲଙ୍ଗ ପ୍ରଡକ୍ଟସ ୧୨,୧୦୦ କୋଟିରେ ନୀଳାଚଳ ଇସ୍ପାତ ନିଗମକୁ କ୍ରୟ କରିବ ବୋଲି ଜଣାପଡ଼ିଛି । କେନ୍ଦ୍ର ସରକାରଙ୍କ ଦ୍ୱାରା ଗଠିତ ଏକ ଉଚ୍ଚସ୍ତରୀୟ କମିଟି ମଧ୍ୟ ଏଥିପାଇଁ ମଞ୍ଜୁରୀ ଦେଇଛି । ଏହି କମ୍ପାନି କିଣିବା ପାଇଁ ଜିନ୍ଦଲ ଷ୍ଟିଲ ଆଣ୍ଡ ପାଓ୍ୱାର, ନଲଓୱା ଷ୍ଟିଲ ଆଣ୍ଡ ପାଓ୍ୱାର କନସୋର୍ଟିୟମ ଏବଂ ଜେଏସଡବ୍ଲୁ ଷ୍ଟିଲ ମଧ୍ୟ ଦୌଡ଼ରେ ଥିଲେ । ତେବେ ସର୍ବାଧିକ ବିଡ୍ ଡାକିଥିବା ଟାଟା ଷ୍ଟିଲ୍ ର ଶାଖା ସଂସ୍ଥା ଟାଟା ଷ୍ଟିଲ ଲଙ୍ଗ୍ ପ୍ରଡକ୍ଟସ ନିଲାମରେ ବିଜୟୀ ହୋଇଥିଲା । କିଛି ବର୍ଷ ଧରି କ୍ଷତିରେ ଚାଲିଥିବା ନିଳାଚଳ ଉସ୍ପାତ ନିଗମ ହେଉଛି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଏକ ଯୌଥ ଉଦ୍ୟୋଗ । ଏଥିରେ ଏମଏମଟିସି, ଭେଲ୍, ଏନଏମଡିସି ଓ ମେକନ ଭଳି ସରକାରୀ ଉଦ୍ୟୋଗ ପୁଞ୍ଜି ବିନିଯୋଗ କରିଥିଲେ । ଓଡ଼ିଶା ସରକାରଙ୍କ କମ୍ପାନି ଇପିକଲ୍ ଏବଂ ଓଏମସି ନିକଟରେ ମଧ୍ୟ ଏହାର ମଧ୍ୟ ଅଂଶଧନ ରହିଥିଲା । ବିପୁଳ କ୍ଷତି ଯୋଗୁଁ ଏହି କମ୍ପାନି ଗତ ୨୦୨୦, ମାର୍ଚ୍ଚରୁ ବନ୍ଦ ରହିଛି ।
