ବଜେଟ୍ ପୂର୍ବରୁ କର୍ମଚାରୀଙ୍କୁ କାହିଁକି ନିଜ ହାତ ତିଆରି ହାଲୱା ଖୁଆଇଥାନ୍ତି ଅର୍ଥମନ୍ତ୍ରୀ? ଜାଣନ୍ତୁ ଏହା ପଛର କାହାଣୀ
ନୂଆଦିଲ୍ଲୀ: ଆଗାମୀ ୨୦୨୨-୨୩ ବର୍ଷ ପାଇଁ ଫେବୃଆରୀ ପହିଲାରେ କେନ୍ଦ୍ରୀୟ ବଜେଟ୍ ଉପସ୍ଥାପନ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏହି ବର୍ଷ ବଜେଟ୍ ଅଧିବେଶନ ଜାନୁଆରୀ ୨୯ ତାରିଖରୁ ଆରମ୍ଭ ହୋଇ। ଏପ୍ରିଲ ପର୍ଯ୍ୟନ୍ତ ଚାଲିବ। ପ୍ରତିବର୍ଷ ସରକାର ବଜେଟ୍ ଉପସ୍ଥାପନ କରନ୍ତି। ବ୍ରିଟିଶ ଶାସନକାଳ ସମୟରୁ ଏହି ପରମ୍ପରା ଚାଲିଆସୁଛି। କେନ୍ଦ୍ରୀୟ ବଜେଟ୍ ଉପସ୍ଥାପନ କରିବା ପୂର୍ବରୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିଜ ହାତ ତିଆରି ହାଲୱା କର୍ମଚାରୀଙ୍କୁ ଖୁଆଇଥାନ୍ତି। ଏହାର କାରଣ କ’ଣ? ଜାଣନ୍ତୁ ବଜେଟ୍ ସମ୍ବନ୍ଧୀୟ ଅନେକ କଥା…
୧. ଲାଲ୍ ବ୍ରିଫକେସ୍ (Red Briefcase)
ପୂର୍ବରୁ ଭାରତୀୟ ଅର୍ଥମନ୍ତ୍ରୀ କେନ୍ଦ୍ରୀୟ ବଜେଟ୍ ଉପସ୍ଥାପନ କରିବା ପାଇଁ ଏକ ଲାଲ୍ ରଙ୍ଗର ବ୍ରିଫକେସ୍ ଆଣୁଥିଲେ। ହେଲେ ଗତ ୨୦୧୯ ବର୍ଷରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହାକୁ ଭାରତୀୟ ଲୁକ୍ (Indian Look) ଦେଇ କପଡ଼ାରେ ତିଆରି କରି ସଂସଦରେ ପହଞ୍ଚିଥିଲେ। ଯାହାର ନାମ ଖାତା-ବହି ରଖାଗଲା। ଏହାର ପରମ୍ପରା ବ୍ରିଟେନ ଠାରୁ ମଧ୍ୟ ଗ୍ରହଣ କରାଯାଇଛି। ଯେଉଁଠାରେ ଏହାକୁ ବଜେଟ୍ ମୁଖ୍ୟ ୱିଲିୟମ୍ ଗ୍ଲାଡଷ୍ଟୋନ୍ ଆରମ୍ଭ କରିଥିଲେ। ତାଙ୍କର ଦୀର୍ଘ ବଜେଟ୍ ଭାଷଣ ପାଇଁ ସେ ଜଣାଶୁଣା ଥିଲେ ଏବଂ ସେଥିପାଇଁ ସମସ୍ତ କାଗଜପତ୍ର ରଖିବା ପାଇଁ ଏକ ବ୍ରିଫକେସ୍ ଆବଶ୍ୟକ ପଡ଼ୁଥିଲା।

୨. ନୀଳ କାଗଜ (ବ୍ଲୁ ସିଟ୍-Blue Sheet)
କେନ୍ଦ୍ରୀୟ ବଜେଟର ଆରମ୍ଭ ଏକ ନୀଳ ରଙ୍ଗରୁ କାଗଜରୁ (Blue Sheet) ହୋଇଥିଲା ଯେଉଁଥିରେ ସଂଖ୍ୟା ଲେଖାଯାଉଥିଲା। ଏହାକୁ ବଜେଟ ବ୍ଲୁ ପ୍ରିଣ୍ଟ (Budget Blue Print) ବୋଲି କୁହାଯାଉଥିଲା। ବଜେଟ ଲାଗି ପ୍ରସ୍ତୁତ ହେଉଥିବା ରଣନୀତି ଗୋପନୀୟ (Top Secret) ରହିଥାଏ ଏବଂ ଏହାର ସମ୍ପୂର୍ଣ୍ଣ ଦାୟିତ୍ୱା କେନ୍ଦ୍ରୀୟ ବଜେଟ ଯୁଗ୍ମ ସଚିବଙ୍କ ଉପରେ ନ୍ୟସ୍ତ ରହିଥାଏ।
୩.ହାଲୱା ସମାରୋହ (Halva Ceremony)
ଏହି ସମାରୋହ ବଜେଟ ମୁଦ୍ରଣ (Budget Printing) ପାଇଁ କରାଯାଇଥାଏ। ଏନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ଏକ କଡ଼େଇରେ ହାଲୱା ପ୍ରସ୍ତୁତ କରି ଏହାକୁ ଅର୍ଥ ମନ୍ତ୍ରଣାଳୟର ସମସ୍ତ କର୍ମଚାରୀଙ୍କୁ ଖୁଆଇଥାନ୍ତି। ଏହା ପରେ ବଜେଟର ମୁଦ୍ରଣ ପ୍ରକ୍ରିୟା ଆରମ୍ଭ ହୋଇଥାଏ।
୪.ବ୍ଲାକ୍ ବଜେଟ (Black Budget)
ଗତ ୧୯୭୩-୭୪ ମସିହାରେ ଆର୍ଥିକ ନିଅଣ୍ଟ ହେତୁ ସେହି ବର୍ଷ ଉପସ୍ଥାପିତ ହୋଇଥିବା ବଜେଟ ‘ବ୍ଲାକ୍ ବଜେଟ୍’ (Black Budget) ନାମରେ ନାମିତ ହୋଇଥିଲା। ଏହାକୁ ତତ୍କାଳୀନ ଅର୍ଥମନ୍ତ୍ରୀ ଯଶୱନ୍ତରାଓ ବି.ଚାହ୍ୱାଣ ଉପସ୍ଥାପନ କରିଥିଲେ। ସେହି ସମୟରେ ମୋଟ କ୍ଷତି ୫୫୦ କୋଟି ଟଙ୍କା ରହିଥିଲା।
୫. ଦି ଡ୍ରିମ୍ ବଜେଟ (The Dream Budget)
ଗତ ୧୯୯୭ ମସିହାରେ ଆଗତ ବଜେଟରେ ବ୍ୟକ୍ତିଗତ ଆୟକର ଏବଂ କର୍ପୋରେଟ କର ହ୍ରାସ କରିବାକୁ ଅନେକ ପରିବର୍ତ୍ତନ କରାଯାଇଥିଲା ଏବଂ ଏହାର ନାମ ‘ଡ୍ରିମ୍ ବଜେଟ୍’ (The Dream Budget) ରହିଥିଲା। ଲୋକେ ଏହି ବଜେଟକୁ ସ୍ୱାଗତ କରିଥିଲେ।
