ଆଜିଠୁ ଖୋଲିବ ଶ୍ରୀମନ୍ଦିର, ଦୁଇ ଡୋଜ୍ ଟିକା ପ୍ରମାଣପତ୍ର ଜରୁରୀ
ପୁରୀ : ଆଜିଠୁ ସାଧାରଣ ଲୋକଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର । ସେଥିପାଇଁ ନୂଆ ଏସ୍ଓପି ଜାରି ହୋଇଛି । ମନ୍ଦିର ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ଗାଇଡ୍ଲାଇନ୍ ଅନୁସାରେ ଏଣିକି ଦୈନିକ ସକାଳ ୬ଟାରୁ ରାତି ୯ଟା ପର୍ଯ୍ୟନ୍ତ ଖୋଲା ରହିବ ଶ୍ରୀମନ୍ଦିର । ସାନିଟାଇଜେସନ ପାଇଁ ପ୍ରତି ରବିବାର ଶ୍ରୀମନ୍ଦିର ବନ୍ଦ ରହିବ । ଶ୍ରଦ୍ଧାଳୁମାନେ ସାଥିରେ ଆଧାର/ଭୋଟର କାର୍ଡ ସହ ଡବଲ ଡୋଜ୍ ଟିକା ସାର୍ଟିଫିକେଟ ଆଣିବା ଜରୁରି । ନଚେତ ୯୬ ଘଂଟା ମଧ୍ୟରେ ହୋଇଥିବା ଟେଷ୍ଟ ନେଗେଟିଭ ରିପୋର୍ଟ ଜରୁରୀ । ସବୁ ଶ୍ରଦ୍ଧାଳୁ ମାସ୍କ, ସାନିଟାଇଜର, ସାମାଜିକ ଦୂରତ୍ୱ ମାନିବା ବାଞ୍ଛନୀୟ ବୋଲି ଗାଇଡ୍ଲାଇନ୍ରେ ଲେଖାଯାଇଛି ।
ଶ୍ରୀମନ୍ଦିର ଖୋଲିବା ନେଇ ଗତ ୨୮ ତାରିଖରେ ଘୋଷଣା କରିଥିଲେ ପୁରୀ ଜିଲ୍ଲାପାଳ । ପୂର୍ବପରି ପଶ୍ଚିମ ଦ୍ୱାର ଦେଇ ଶ୍ରୀମନ୍ଦିରକୁ ପୁରୀ ସହରବାସୀ ପ୍ରବେଶ କରିବେ । ଅନ୍ୟ ଶ୍ରଦ୍ଧାଳୁମାନେ ପୂର୍ବ ଦ୍ୱାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରିବେ ବୋଲି ଜିଲାପାଳ କହିଥିଲେ । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଥିବାରୁ ଶ୍ରୀମନ୍ଦିରକୁ ବନ୍ଦ କରିଦିଆଯାଇଥିଲା । ସାଧାରଣ ଭକ୍ତମାନେ ମହାପ୍ରଭୁଙ୍କୁ ଦର୍ଶନ କରିପାରିନଥିଲେ । ଏବେ କୋଭିଡ୍ ଆକ୍ରାନ୍ତ କମିବା ପରେ ପୁରୀ ଜିଲ୍ଲା ପ୍ରଶାସନ ଶ୍ରୀମନ୍ଦିର ଖୋଲିବା ପାଇଁ ନିଷ୍ପତି ନେଇଛନ୍ତି ।
କୋଭିଡ୍ ସଂକ୍ରମଣ ବଢ଼ିବାରୁ ଛତିଶାନିଯୋଗ ବୈଠକ ନିଷ୍ପତିକ୍ରମେ ଜାନୁଆରି ୧୦ରୁ ୩୧ ତାରିଖ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ କରି ଦିଆଯାଇଥିଲା । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଭର୍ଚୁଆଲ୍ ବୈଠକରେ ଜିଲ୍ଲାପାଳ, ଶ୍ରୀମନ୍ଦିର ପ୍ରଶାସକଙ୍କ ସହ ପରିଚାଳନା କମିଟି ସଦସ୍ୟ, ବରିଷ୍ଠ ସେବାୟତମାନେ ଉପସ୍ଥିତ ଥିଲେ । କୋଭିଡ୍ ସଂକ୍ରମଣ କମିଥିବାରୁ ସେବାୟତ ନିଯୋଗଙ୍କ ସହମତିକ୍ରମେ ଆସନ୍ତା ଫେବ୍ରୁଆରି ମାସ ପାଇଁ ମାଗଦର୍ଶିକା ଜାରି ହୋଇଥିବା ଜଣାଯାଇଛି । ଭକ୍ତମାନେ ପୂର୍ବଭଳି ୯୬ ଘଂଟା ଭିତରର ଆର୍ଟିପିସିଆର୍ ରିପୋର୍ଟ କିମ୍ବା କୋଭିଡ୍ର ଦୁଇଟି ଡୋଜ୍ ଟିକା ପ୍ରମାଣପତ୍ର ଦେଖାଇ ଓ କୋଭିଡ୍ ନିୟମ ଅନୁପାଳନ ପୂର୍ବକ ମହାପ୍ରଭୁଙ୍କ ଦର୍ଶନ କରିବେ । ଫେବ୍ରୁଆରି ମାସରେ ୬, ୧୩, ୨୦ ଓ ୨୭ ତାରିଖ, ଏଭଳି ୪ଟି ରବିବାର ଶ୍ରୀମନ୍ଦିର ବନ୍ଦ ରହିବ । ସହରବାସୀ ପ୍ରମାଣପତ୍ର ଦେଖାଇ ପଶ୍ଚିମଦ୍ୱାର ଦେଇ ମହାପ୍ରଭୁଙ୍କ ଦର୍ଶନ ପାଇଁ ଯାଇପାରିବେ । କିନ୍ତୁ ଅନ୍ୟ ଭକ୍ତମାନେ ସିଂହଦ୍ୱାର ଦେଇ ପ୍ରବେଶ କରିବେ । ସମସ୍ତ ଭକ୍ତ ଦର୍ଶନ ସାରି ଉତରଦ୍ୱାର ଦେଇ ପ୍ରସ୍ଥାନ କରିବେ । ଶ୍ରୀମନ୍ଦିର ଭିତରେ ଓ ବାହାରେ ଭକ୍ତଙ୍କୁ ମାସ୍କ ପରିଧାନ ବାଧ୍ୟତାମୂଳକ କରାଯାଇଛି । ଶ୍ରୀମନ୍ଦିର ପ୍ରବେଶ ପୂର୍ବରୁ ସାମାଜିକ ଦୂରତା ରକ୍ଷା ସହ ହାତ ସାନିଟାଇଜ୍ କରିବାକୁ କୁହାଯାଇଛି ।
