ବିମାନ ଯାତ୍ରୀଙ୍କ ପାଇଁ ବଡ଼ ଖବର! ଫେବୃଆରୀରେ ଭିସ୍ତାରା ବିମାନ ଉଡ଼ାଣରେ ନିୟମ, ବଦଳିଛି ସମୟ ସହ ତାରିଖ
ନୂଆଦିଲ୍ଲୀ: ବିମାନରେ ଯାତାୟତ କରୁଥିବା ଯାତ୍ରୀଙ୍କ ପାଇଁ ବଡ଼ ଖବର । ଫେବୃଆରୀ ମାସରେ ଭିସ୍ତାରା ବିମାନ ତାର ଅନେକ କିଛି ବିମାନକୁ ରଦ୍ଦ କରିଛି । ସେହିପରି ଅନେକ ଭିସ୍ତାରା ବିମାନର ସମୟରେ ମଧ୍ୟ ପରିବର୍ତ୍ତନ କରାଯାଇଛି । ବିମାନ ମନ୍ତ୍ରାଳୟ ରବିବାର ଏନେଇ ଏକ ଖୁଲାସା କରିଛି । କୁହାଯାଉଛି ଯେ, ବିଗତ କିଛି ଦିନ ହେଲା ପ୍ରଭାବିତ ଯାତ୍ରୀ ମାନେ ବି ଏୟାର ଲାଇନ୍ସ କମ୍ପାନୀ ବିରୋଧରେ ଅଭିଯୋଗ ଜାରି କରିଛନ୍ତି। ତାଙ୍କ କହିବା କଥା, ସେମାନେ ବିମାନ ସହ ଜଡ଼ିତ ସମସ୍ୟା ସମ୍ପର୍କରେ ବୁଝିବା ପାଇଁ ଚେଷ୍ଟା କରୁଥିଲେ ମଧ୍ୟ କଷ୍ଟମର କେୟାର ସହ ଯୋଗାଯୋଗ ହୋଇପାରୁନି।
ଏହାକୁ ନେଇ ଭିସ୍ତାରା ପ୍ରବକ୍ତା ଏକ ଖବର ସରବରାହ ସଂସ୍ଥାକୁ କହିଛନ୍ତି ଯେ, ଏୟାର ଲାଇନ୍ସ ନିଜ କ୍ଷମତା ଦୃଷ୍ଟିରୁ ସବୁଆଡକୁ ନଜରରେ ରଖି କାମ କରୁଛି। ଭାରତରେ କୋରୋନା ଭାଇରସର ତାଣ୍ଡବ ପରେ ବିମାନ ଉଡ଼ାଣ କ୍ଷେତ୍ରରେ ଅନେକ କିଛି ପରିବର୍ତ୍ତନ ଦେଖାଦେଇଛି। ଏମିତିକି ବିମାନ ଚଳାଚଳ କ୍ଷେତ୍ରରେ ମଧ୍ୟରେ ଆର୍ଥିକ ସ୍ଥିତି ମଧ୍ୟ ଭୁଷୁଡ଼ିପଡ଼ିଛି। ରାଜ୍ୟ ସରକାରଙ୍କ ତରଫରୁ ଲଗାଯାଇଥିବା କୋରୋନା କଟକଣା କାରଣକୁ ନେଇ ବିମାନ ଉଡ଼ାଣ କ୍ଷେତ୍ରରେ ସନ୍ତୁଳନ ରକ୍ଷା କରିବାକୁ ଚେଷ୍ଟା କରାଯାଉଛି।
ସୂଚନା ଯେ, ଇସ୍ରୋର ବୈଜ୍ଞାନିକ ଭିସ୍ତାରାର ଏହି ସମସ୍ୟା ସମ୍ପର୍କରେ ଟୁଇଟ୍ କରିଥିଲେ। ସେ ଲେଖିଛନ୍ତି ଯେ ଫେବୃଆରୀ ୫ରେ ସେ କରିଥିବା ଦିଲ୍ଲୀ-ଭୁବନେଶ୍ୱର ବିମାନ ଉଡ଼ାଣ ବାତିଲ ହୋଇଛି ଏବଂ ଗତ ୪୮ ଘଣ୍ଟା ଧରି ଭିସ୍ତାରାର କଷ୍ଟମର କେୟାର ନଂ ବ୍ୟସ୍ତ ଥିବା କହୁଛି। ତାଙ୍କ ସହ ଅନ୍ୟ ଜଣେ ଯାତ୍ରୀ ଅର୍ପିତ ସିଂ ଖୁରାନା ଶନିବାର ଟ୍ୱିଟ୍ କରି କହିଛନ୍ତି ଯେ ଫେବୃଆରୀ ୧୨ ରେ ଦିଲ୍ଲୀ-କୋଲକାତା ଯିବାକୁ ଥିବା ଭିସ୍ତାରା ବିମାନ ଉଡ଼ାଣ ବାତିଲ କରିଛି। କଷ୍ଟମର କେୟାର ସହ ଯୋଗାଯୋଗ ହୋଇପାରୁନଥିବା ସେ ଅଭିଯୋଗ କରିଛନ୍ତି।
ତେବେ ବିମାନ ଉଡ଼ାଣ ସଂସ୍ଥା ଭିସ୍ତାରାର ପ୍ରବକ୍ତା ଫେବୃଆରୀରେ ବିମାନ ରଦ୍ଦ ହେବା ଓ ସମୟ ବଦଳିବା ନେଇ ମଧ୍ୟ ଜବାବ ରଖିଛନ୍ତି। ସେ କହିଛନ୍ତି ଯେ, ଅଚାନକ କୋରୋନା ମାମଲା ବଢିବା ହେତୁ ଲୋକମାନେ ବିମାନରେ ଯାତ୍ରା କରିବା ମାତ୍ରାକୁ ହ୍ରାସ କରିଦେଇଥିଲେ । ଏହାବାଦ୍ କିଛି ରାଜ୍ୟ କୋରୋନା କାରଣରୁ ବିମାନ ଉଡ଼ାଣ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ସେହି କାରଣରୁ ବିମାନ ଯାତ୍ରାରେ ହ୍ରାସ ଦେଖିବାକୁ ମିଳିଛି । ତେବେ ଅସନ୍ତୁଳିତ ହୋଇପଡ଼ିଥିବା ସମୟ ତାରିଖକୁ ଭଲ ଭାବେ ଯାଞ୍ଚ କରାଯାଇ ଯାତ୍ରୀଙ୍କ ସମସ୍ୟାର ସମାଧାନ ନିମନ୍ତେ ଚେଷ୍ଟା ଜାରି ରହିଛି।
