ଦେଶରେ ଦୈନିକ ସଂକ୍ରମଣ ୧୦% ହ୍ରାସ! ଦିନକରେ ୨.୦୯ ଲକ୍ଷ ନୂଆ ମାମଲା ଓ ୯୫୯ ମୃତ
ନୂଆଦିଲ୍ଲୀ : ଦେଶର କରୋନା ସଂକ୍ରମଣ ଖସିବାରେ ଲାଗିଛି । ରବିବାର ତୁଳନାରେ ଆଜି ଦେଶରେ କରୋନାର ନୂଆ ମାମଲାରେ ୧୦ ପ୍ରତିଶତ ହ୍ରାସ ଘଟିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨ ଲକ୍ଷ ୯ ହଜାର ୯୧୮ ନୂଆ ମାମଲା ରିପୋର୍ଟ ହୋଇଥିବାବେଳେ ଏହି ରୋଗରେ ଆଉ ୯୫୯ ଜଣଙ୍କର ମୃତ୍ୟୁ ହୋଇଛି । ଅବଶ୍ୟ ଏହି ସମୟ ମଧ୍ୟରେ ୨ ଲକ୍ଷ ୬୨ ହଜାର ୬୨୮ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ବର୍ତ୍ତମାନ ଦେଶରେ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ହେଉଛି ୧୮ ଲକ୍ଷ ୩୧ ହଜାର ୩୧୮ । ଦୈନିକ ସଂକ୍ରମଣ ହାର ୧୫.୭୭ ପ୍ରତିଶତକୁ ବୃଦ୍ଧି ପାଇଛି । ବର୍ତ୍ତମାନ ସୁଦ୍ଧା ମୋଟ ୧୬୬ କୋଟି ଟିକା ଡୋଜ୍ ଦିଆଯାଇଛି। ଏହାପୂର୍ବରୁ ରବିବାର ଦେଶରେ ୨ ଲକ୍ଷ ୩୫ ହଜାର ୫୩୨ ସଂକ୍ରମିତ ଚିହ୍ନଟ ହୋଇଥିଲେ ।
ଏହିକ୍ରମରେ ଗତ ୨୪ ଘଣ୍ଟା ମଧ୍ୟରେ ୨,୦୯,୯୧୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶର ମୋଟ କୋଭିଡ୍ ମାମଲା ୪,୧୩ ,୦୨,୪୪୦ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରୁ ୩,୮୯,୭୬,୧୨୨ ଜଣ ସୁସ୍ଥ ହୋଇଥିବାବେଳେ ୧୮,୩୧,୨୬୮ ଜଣ ସଂକ୍ରମିତ ଏବେ ଚିକିତ୍ସାଧିନ ଅଛନ୍ତି । ସେହିଭଳି ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୯୫୯ ଜଣ କରୋନାରେ ଆଖି ବୁଜିଛନ୍ତି । ଫଳରେ ଦେଶର କରୋନାଜନିତ ମୋଟ ମୃତ୍ୟୁ ସଂଖ୍ୟା ୪,୯୫,୦୫୦କୁ ବୃଦ୍ଧି ପାଇଛି । ଅନ୍ୟପଟେ କେନ୍ଦ୍ର ଓ ସମସ୍ତ ରାଜ୍ୟ ସରକାର କରୋନା ମୁକାବିଲା ଜାରି ରଖିଛନ୍ତି । ଏଥିପାଇଁ ଟିକାକରଣ ସହ ସମସ୍ତ ପଦକ୍ଷେପ ନିଆଯାଉଛି । ବିଶେଷ କରି କୋଭିଡ୍ ଗାଇଡଲାଇନ୍ ପାଳନ ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି ।
