ଅଣ୍ଡର-୧୯ ବିଶ୍ୱକପ: ବାଂଲାଦେଶକୁ ହରାଇ ସେମିରେ ଭାରତ
ଆଂଟିଗୁଆ: ୱେଷ୍ଟଇଣ୍ଡିଜରେ ଚାଲିଥିବା ଅଣ୍ଡର-୧୯ ବିଶ୍ୱକପରେ ଭାରତୀୟ ଟିମ୍ର ଦବଦବା ଜାରି ରହିଛି । ଡିଫେଣ୍ଡିଂ ଚାମ୍ପିୟନ ବାଂଲାଦେଶ ଠାରୁ ମଧୁର ପ୍ରତିଶୋଧ ନେଇ ଚଳିତ ବିଶ୍ୱକପରେ ଟିମ୍ ଇଣ୍ଡିଆ ସେମି ଫାଇନାଲରେ ପ୍ରବେଶ କରିଛି । ବାଂଲାଦେଶ ଗତ ବିଶ୍ୱକପ ଫାଇନାଲ ମ୍ୟାଚ୍ରେ ଭାରତକୁ ହରାଇ ପ୍ରଥମଥର ଚାମ୍ପିୟନ ହୋଇଥିଲା । ହେଲେ ଏଥର ଭାରତ ଡିଫେଣ୍ଡିଂ ଚାମ୍ପିୟନ ବାଂଲାଦେଶକୁ କ୍ୱାର୍ଟର ଫାଇନାଲରୁ ଘରକୁ ବିଦା କରି ଦେଇଛି । ଏବେ ସେମିରେ ଭାରତର ମୁକାବିଲା ଶକ୍ତିଶାଳୀ ଅଷ୍ଟ୍ରେଲିଆ ସହ ହେବ । ଏହି ମ୍ୟାଚ୍ ଫେବୃଆରୀ ୨ରେ ଖେଳାଯିବ । ଆଉ ଏକ ସେମିରେ ଇଂଲଣ୍ଡ ଓ ଆଫଗାନିସ୍ତାନ ମୁହାଁମୁହିଁ ହେବେ ।
ଖେଳା ଯାଇଥିବା କ୍ୱାର୍ଟର ଫାଇନାଲ ଲୋ ସ୍କୋରିଂ ରହିଥିଲା । ଏହି ମ୍ୟାଚ୍ରେ ଭାରତ ୫ ୱିକେଟ ବିଜୟୀ ହୋଇ ସେମିରେ ପ୍ରବେଶ କରିଛି । ବାଂଲାଦେଶ ପ୍ରଥମେ ବ୍ୟାଟିଂ କରି ମାତ୍ର ୧୧୧ ରନ୍ରେ ଅଲଆଉଟ ହୋଇଯାଇଥିଲା । ଏହାର ଜବାବରେ ଟିମ୍ ଇଣ୍ଡିଆ ୫ ୱିକେଟ ହରାଇ ଧାର୍ଯ୍ୟ ଟାର୍ଗେଟକୁ ହାସଲ କରିନେଇଛି । ଜିତିବା ପାଇଁ ୧ ରନ୍ ଦରକାର ଥିବା ବେଳେ କୌଶଲ ତାମ୍ବେ ଜବରଦସ୍ତ ଛକା ମାରି ଭାରତକୁ ଜିତାଇ ଦେଇଛନ୍ତି । ଭାରତର ବୋଲିଂ ବେଳେ ଜବରଦସ୍ତ ପ୍ରଦର୍ଶନ କରିଥିବା ରବି କୁମାର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି । ସେ ୭ ଓଭରରେ ମାତ୍ର ୧୪ ରନ୍ ଦେଇ ୩ ୱିକେଟ ଦଖଲ କରିଥିଲେ । ତାଙ୍କ ବ୍ୟତୀତ ଭିକି ଓସ୍ତୱାଲ ୨ଟି, ରାଜ୍ୟବର୍ଦ୍ଧନ ହଙ୍ଗରଗେକର, ଅଙ୍ଗରିଶ ସୂର୍ଯ୍ୟବଂଶୀ ଓ କୌଶଲ ତାମ୍ବେ ମଧ୍ୟ ଗୋଟିଏ ଲେଖାଏ ୱିକେଟ ନେଇ ବାଂଲାଦେଶ ଶିବିରରେ ବିପର୍ଯ୍ୟୟ ସୃଷ୍ଟି କରିଥିଲେ ।
ଟସ୍ ହାରି ପ୍ରଥମେ ବ୍ୟାଟିଂ କରୁଥିବା ବାଂଲାଦେଶ ଆରମ୍ଭରୁ ଅଡ଼ୁଆରେ ପଡ଼ିଥିଲା । ଦଳର ଦୁଇ ଓପନର ମହଫିଜୁଲ ଇସଲାମ(୨) ଓ ଇଫତକାର ହୁସେନ(୧) ମାତ୍ର ୧୨ ରନ୍ ମଧ୍ୟରେ ପ୍ୟାଭିଲିୟନକୁ ଫେରିଥିଲେ । ପ୍ରତୀକ ନୱରେସ ନବିଲ(୭), ଏ ମୋଲା (୧୭), ଅରିଫୁଲ ଇସଲାମ(୯) ଓ ମହମ୍ମଦ ଫୈମ(୦) ବେଶୀ ସମୟ କ୍ରିଜ୍ରେ ତିଷ୍ଟି ପାରି ନଥିଲେ । ଅଧିନାୟକ ରବିକୁଲ ହାସନ ମଧ୍ୟ କେବଳ ୭ ରନ୍ କରିବାକୁ ସକ୍ଷମ ହୋଇଥିଲେ । ମାତ୍ର ୫୬ ରନ୍?ରେ ଦଳ ୭ ୱିକେଟ ହରାଇ ସଙ୍କଟରେ ପଡ଼ିଥିଲା । ଦଳୀୟ ସ୍କୋର ୧୦୦ ପାର୍ ହେବ କି ନାହିଁ ସନ୍ଦେହ ଦେଖାଯାଇଥିଲା । ତେବେ ଏସଏମ ମେହରବ(୩୦) ଓ ଅସିକୁର ଜମାନ(୧୬) ୮ମ ୱିକେଟ ପାଇଁ ୫୦ ରନ୍ ଯୋଡ଼ିଥିଲେ । ଫଳରେ ବାଂଲାଦେଶ ୧୦୦ ପାର କରିବାକୁ ସକ୍ଷମ ହୋଇଥିଲା । ପୂରା ଦଳ ୩୭.୧ ଓଭର୍ରେ ୧୧୧ ରନ୍ କରିବାରୁ ଭାରତକୁ ୧୧୨ ରନ୍ର ଟାର୍ଗେଟ ମିଳିଥିଲା । ଏହି ଟାର୍ଗେଟକୁ ପିଛା କରିବାକୁ ଯାଇ ଭାରତ ମଧ୍ୟ ସାମାନ୍ୟ ସମସ୍ୟାରେ ପଡ଼ିଥିଲା । ଦଳୀୟ ସ୍କୋର ଖୋଲିବା ଆଗରୁ ଓପନର ହରନୁର ସିଂହ ପ୍ୟାଭିଲିୟନ ଫେରିଥିଲେ । କିନ୍ତୁ ସୂର୍ଯ୍ୟବଂଶୀ ଓ ଶେଖ ରଶିଦ ଦମଦାର ବ୍ୟାଟିଂ କରି ସ୍ଥିତି ସମ୍ଭାଳିଥିଲେ । ଉଭୟ ଦ୍ୱିତୀୟ ୱିକେଟ ପାଇଁ ୭୦ ରନ୍ ଯୋଡ଼ି ଭାରତର ବିଜୟକୁ ନିଶ୍ଚିତ କରିଥିଲେ । ତେବେ ସୂର୍ଯ୍ୟବଂଶୀ (୪୪) ଓ ରଶିଦ(୨୬) ଦୁଇ ଓଭର ମଧ୍ୟରେ ଆଉଟ ହୋଇ ଯିବାରୁ ଭାରତର ଚିନ୍ତା ସାମାନ୍ୟ ବଢ଼ିଥିଲା । ସିଦ୍ଧାର୍ଥ ଯାଦବ(୬) ଓ ରାଜ ବାୱା(୦) ମଧ୍ୟ ନିରାଶ କରିଥିଲେ । ୯୭ ରନ୍ରେ ଦଳ ୫ ବ୍ୟାଟର୍ସଙ୍କୁ ହରାଇଥିଲା । ଗୋଟିଏ ପଟେ ୱିକେଟ ଯାଉଥିବା ବେଳେ ଅନ୍ୟପଟେ ଅଧିନାୟକ ୟଶ ଧୁଲ କାଉଂଟର ଆଟାକ ଜାରି ରଖିଥିଲେ । ତାଙ୍କୁ ଶେଷ ଭାଗରେ କୌଶଲ ତାମ୍ବେ ସହଯୋଗ କରିଥିଲେ । ଶେଷ ଯାଏ ଧୁଲ ୨୦ ଓ ତାମ୍ବେ ୧୧ ରନ୍ କରି ଅପରାଜିତ ରହି ଭାରତକୁ ବିଜୟୀ କରାଇଥିଲେ । ବାଂଲାଦେଶ ପକ୍ଷରୁ ରିପୁନ ମଣ୍ଡଳ ୪ଟି ୱିକେଟ ନେଇଥିବା ବେଳେ ତାନଜିମ ହାସନ ସାକିବ ଗୋଟିଏ ସଫଳତା ପାଇଛନ୍ତି ।
