ବାଲେଶ୍ୱର ଜିଲାବାସୀଙ୍କ ଉନ୍ନତ ସ୍ୱାସ୍ଥ୍ୟସେବା ଦାବି କଲା କ୍ରିୟାନୁଷ୍ଠାନ କମିଟି
ଆସନ୍ତା ବିଧାନସଭା ସମ୍ମୁଖରେ ଗଣଧାରଣା ପାଇଁ ନିଷ୍ପତ୍ତି
ବାଲେଶ୍ୱର : ବାଲେଶ୍ୱର ଜିଲାରେ ସାମଗ୍ରିକ ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ ଦାବିରେ ଆସନ୍ତା ବିଧାନସଭା ଅଧିବେଶନ ସମୟରେ ଭୁବନେଶ୍ୱରରେ ଗଣଧାରଣା ପାଇଁ ସରକାରୀ ମେଡିକାଲ୍ କଲେଜ୍ କ୍ରିୟାନୁଷ୍ଠାନ କମିଟି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ମମତା ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମେଡିକାଲ୍ କଲେଜ୍ ହସ୍ପିଟାଲ୍ ସମେତ ଜିଲାର ସମସ୍ତ ସରକାରୀ ହସପିଟାଲ୍ ସମସ୍ୟା ସଂପର୍କରେ ଉପସ୍ଥିତ ସଦସ୍ୟମାନେ ଆଲୋଚନା କରିଥିଲେ । ମେଡିକାଲ୍ କଲେଜ୍ରେ ସମସ୍ତ ବିଭାଗର ବିଶେଷଜ୍ଞ ଡାକ୍ତର ପଦବୀ ପୂରଣ, ଲଗାତର ଅନୁପସ୍ଥିତ ରହୁଥିବା ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ, ହୃଦରୋଗ ଓ ସ୍ନାୟୁରୋଗ ବିଶେଷଜ୍ଞ ଡାକ୍ତର ନିଯୁକ୍ତି, ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ରରେ ଖାଲିଥିବା ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟକର୍ମୀ ନିଯୁକ୍ତି ପାଇଁ ଦାବି କରାଯାଇଛି । ସରକାରୀ ମଞ୍ଜୁରୀପ୍ରାପ୍ତ ନର୍ସିଂ କଲେଜ୍ ପାଇଁ ଆବଶ୍ୟକୀୟ ଜମି ଚିହ୍ନଟ, ଆୟୁଷ ହସପିଟାଲ୍ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା, ମେଡିକାଲ୍ କଲେଜକୁ ଜାତୀୟ ରାଜପଥକୁ ସଂଯୋଗ ରାସ୍ତା ପାଇଁ ତୁରନ୍ତ ଜମି ଅଧିଗ୍ରହଣ ପ୍ରକ୍ରିୟା ଶେଷ କରିବା ଓ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ଏମ୍ସ ହସପିଟାଲକୁ କାର୍ଯ୍ୟକ୍ଷମ କରିବାରେ ଚରମ ଅବହେଳାକୁ ଅଧିକଦିନ ବରଦାସ୍ତ କରାଯିବ ନାହିଁ ବୋଲି ବୈଠକରେ ମତ ପ୍ରକାଶ ପାଇଛି । ଆସନ୍ତା ଫେବୃଆରୀ ମାସ ବ୍ୟାପୀ ଜିଲା କ୍ରିୟାନୁଷ୍ଠାନ କମିଟି ନେତୃତ୍ୱରେ ସମସ୍ତ ବ୍ଲକ୍ ଓ ଶାଖା କମିଟିମାନଙ୍କର ବୈଠକ ଓ ସ୍ୱାସ୍ଥ୍ୟସେବା ପ୍ରତି ସରକାରୀ ଉଦାସୀନତା ବିରୁଦ୍ଧରେ ଜନଜାଗରଣ ସଭା, ଆଲୋଚନା ଚକ୍ର, ପଦଯାତ୍ରା ପ୍ରଭୃତି କାର୍ଯ୍ୟକ୍ରମ ଗ୍ରହଣ କରାଯିବ । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀମାନେ ସ୍ଥାନୀୟ ଅଞ୍ଚଳର ସ୍ୱାସ୍ଥ୍ୟ ସେବା ସମସ୍ୟା ସମାଧାନ ଦିଗରେ ସେମାନଙ୍କ ପ୍ରତିବଦ୍ଧତା ଘୋଷଣା ପାଇଁ କ୍ରିୟାନୁଷ୍ଠାନ କମିଟି ନିବେଦନ କରିଛି ।
ବିଧାନସଭା ସମ୍ମୁଖରେ ଗଣଧାରଣା ପାଇଁ ଚନ୍ଦନେଶ୍ୱରରୁ ଏକ ପଦଯାତ୍ରା ବାହାରି ବାଲେଶ୍ୱର ଜିଲା ପରିକ୍ରମା କରି ଭୁବନେଶ୍ୱରରେ ପହଞ୍ôଚବ । ଏହି ଯାତ୍ରାରେ ଜିଲାର ବିଭିନ୍ନ ଅଞ୍ଚଳର ଜନସାଧାରଣ ଯୋଗ ଦେବେ । ଉନ୍ନତ ସ୍ୱାସ୍ଥ୍ୟସେବା ଦାବିରେ ଏହି ଶାନ୍ତିପୂର୍ଣ୍ଣ ଗଣତାନ୍ତ୍ରିକ ଧାରାରେ ପ୍ରତିବାଦ ଆନ୍ଦୋଳନକୁ ଦଳମତ ନିର୍ବିଶେଷରେ ସମସ୍ତ ବର୍ଗର ଜନସାଧାରଣ ସହଯୋଗ ଓ ଅଂଶଗ୍ରହଣ କରିବାକୁ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ନିବେଦନ କରାଯାଇଛି । ବୈଠକରେ ସାଧାରଣ ସମ୍ପାଦକ ପ୍ରଦୀପ ଦାସଙ୍କ ସମେତ ନିରଞ୍ଜନ ପରିଡ଼ା, ପ୍ରଭାକର ସାହୁ, ନିରଞ୍ଜନ ରାଉତ, ଡା. ତାରାକାନ୍ତ ନନ୍ଦ, ଗୌରାଙ୍ଗ ପାଣିଗ୍ରାହୀ, ରବି ନାରାୟଣ ଭୋଳ, ଶ୍ୟାମସୁନ୍ଦର ଜେନା, ରମେଶ ଚନ୍ଦ୍ର ଜେନା, ଯୋଗେଶ ଚନ୍ଦ୍ର ପ୍ରଧାନ, ପ୍ରଶାନ୍ତୀ ସାହୁ, ସୀତାରାମ ପ୍ରଧାନ, ପୁରୁଷୋତ୍ତମ ବେହେରା, ଯଶୋଦାନନ୍ଦନ ଆସ ଓ ବିଜନ ଦେ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
