ନୀଳଗିରିରୁ ଦେଶୀ ବନ୍ଧୁକ ତିଆରି କାରଖାନା ଠାବ, ୨ ଗିରଫ
ଅର୍ଦ୍ଧ ନିର୍ମିତ ବନ୍ଧୁକ ଓ ବିପୁଳ ପରିମାଣରେ ଯନ୍ତ୍ରାଂଶ ଜବତ
ନୀଳଗିରି : ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ଅନ୍ତର୍ଗତ କୁଲଡ଼ିହାର ପାଦଦେଶ ଶ୍ୟାମସୁନ୍ଦରପୁର ପଞ୍ଚାୟତ ଅର୍ନ୍ତଗତ ହାତିଖୋଲିଆ ଗ୍ରାମରେ ଦୀର୍ଘଦିନ ଧରି ଦେଶୀ ବନ୍ଧୁକ ତିଆରି ହେଉଥିବାର ଖବର ପାଇ ରବିବାର ପୂର୍ବାହ୍ନରେ କୁଲଡ଼ିହା ବନବିଭାଗ ଓ ନୀଳଗିରି ପୋଲିସ ପକ୍ଷରୁ ମିଳିତ ଚଢ଼ାଉ କରିଥିଲେ । ଏଥିରେ ୨ଜଣକୁ ଗିରଫ କରିବା ସହ ଅର୍ଦ୍ଧ ନିର୍ମିତ ବନ୍ଧୁକ ଓ ବିପୁଳ ପରିମାଣରେ ଯନ୍ତ୍ରାଂଶ ଜବତ କରାଯାଇଛି ।
ବିଶେଷ ସୂତ୍ରରୁ ବନ୍ଧୁକ ତିଆରି ହେଉଥିବା ଖବରପାଇ ବନବିଭାଗ ନୀଳଗିରି ପୋଲିସକୁ ଖବର ଦେଇଥିଲେ । ନୀଳଗିରି ଏସ୍ଡିପିଓ ରିତେଶ କୁମାର ମହାପାତ୍ରଙ୍କ ନିର୍ଦ୍ଦେଶରେ ନୀଳଗିରି ପୋଲିସ ଓ କୁଲଡିହା ବନବିଭାଗ ନୀଳଗିରି ଥାନା ଅଧୀନସ୍ଥ ହାତିଖୋଲିଆ ଗ୍ରାମର ରଣି ସିଂ (୩୦) ଏବଂ ରବିନ୍ଦ୍ର ସିଂ (୩୮) କୁ ଗିରଫ କରିଥିଲା । ଏଥିସହ ଘଟଣାସ୍ଥଳରୁ ଅଧା ତିଆରି ଦେଶୀ ବନ୍ଧୁକ ଏବଂ ବନ୍ଧୁକ ନିର୍ମାଣ ପାଇଁ ସରଞ୍ଜାମ ଓ ଯନ୍ତ୍ରାଂଶ ପୋଲିସ ଜବତ୍ କରିଥିଲେ । ଏନେଇ ନୀଳଗିରି ଥାନାରେ ଏକ ମାମଲା ନଂ. ୬୮ ।୨୨ ରୁଜୁ ହୋଇଥିବା ବେଳେ ୨୫/୨୭ ଆର୍ମ ଆକ୍ଟ ଧାରାରେ ୨ଟି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି । ଏହି ଚଢ଼ାଉରେ ନୀଳଗିରି ଥାନାର ସବ୍ଇନିସପେକ୍ଟର ସୁବର୍ଣ୍ଣା ବେହେରା, ଏଏସ୍ଆଇ ରମାକାନ୍ତ ସେଠୀ, କନେଷ୍ଟବଳ ଜେକେ ପାତ୍ର, କୁଲଡ଼ିହା ବନଅଧିକାରୀ ସମେତ କର୍ମଚାରୀ ସାମିଲ ଥିଲେ ।
