ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶକୁ ଫୁ! ବିଭିନ୍ନ ସ୍ଥାନରେ ହଟୁନି ସରକାରୀ ହୋର୍ଡ଼ିଂ
ନୀଳଗିରି : ବାଲେଶ୍ୱର ଜିଲା ନୀଳଗିରି ଅଞ୍ଚଳରେ ଆଦର୍ଶ ଆଚରଣ ବିଧି ଲାଗୁ ହେବା ପରେ କୌଣସି ସରକାରୀ ଯୋଜନା ସମ୍ପର୍କିତ ହୋର୍ଡ଼ିଂ ବା ନୋଟିସ୍ରେ ମୁଖ୍ୟମନ୍ତ୍ରୀଙ୍କ ଫୋଟ ରହିବା କଥା ନୁହେଁ । ଏଥିପାଇଁ ରାଜ୍ୟ ନିର୍ବାଚନ କମିଶନର ଜିଲାପାଳଙ୍କୁ ଚିଠି କରି ଏପରି ହୋର୍ଡ଼ିଂ ହଟାଇବାକୁ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ନୀଳଗିରିରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫୋଟଚିତ୍ର ଥାଇ ମାଳ ମାଳ ସରକାରୀ ହୋର୍ଡ଼ିଂ ଦେଖିବାକୁ ମିଳିଛି ।
ନୀଳଗିରି ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତର ସରକାରୀ କାର୍ଯ୍ୟାଳୟ, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ବିଦ୍ୟାଳୟ ସମ୍ମୁଖରେ ଲାଗିଥିବା ହୋର୍ଡ଼ିଂକୁ ଏଯାଏଁ ହଟାଯାଇ ନାହିଁ । ନୀଳଗିରି ବ୍ଲକର ସଜନାଗଡ଼, ମାଟିଆଳି ପଞ୍ଚାୟତରେ ବଡ ବଡ଼ ହୋର୍ଡ଼ିଂ ଲାଗିଛି । ଏଥିରେ ‘ବିଜେଡି ଜିଲା ପରିଷଦ ପ୍ରାର୍ଥୀଙ୍କୁ ‘ଶଙ୍ଖ’ ଚିହ୍ନରେ ବିଜୁ ଜନତା ଦଳକୁ ଭୋଟ ଦେଇ ଜୟଯୁକ୍ତ କରାନ୍ତୁ, ବିଜୁ ଜନତା ଦଳ ଓଡ଼ିଶାବାସୀଙ୍କ ବଳ ଇତ୍ୟାଦି ସମ୍ପର୍କରେ ଉଲ୍ଲେଖ ରହିଛି । ଏସବୁ ସହିତ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏକ ବଡ଼ ଫଟୋ ମଧ୍ୟ ରହିଛି ।’ ଯାହା ନିର୍ବାଚନ ଆଚରଣ ବିଧି ଲାଗୁ ପରେ ଏସବୁ ହୋର୍ଡ଼ିଂ ନହଟାଯିବା ଶାସକ ଦଳ ପ୍ରତି ଅନୁକମ୍ପା ଥିବା ଜଳ ଜଳ ଦିଶୁଛି । ଏହା ଦ୍ୱାରା ଆଚରଣ ବିଧିର ଖୋଲାଖୋଲି ଉଲ୍ଲଂଘନ ହେଉଥିବାରୁ ଏ ଦିଗରେ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି ।
ଏ ନେଇ ନୀଳଗିରି ଉପ-ଜିଲାପାଳ ଦୀପ୍ତି ରଞ୍ଜନ ସେଠୀଙ୍କୁ ପଚାରିବାରୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି । ଏହି ସମୟରେ କୌଣସି ରାଜନୈତିକ ହୋର୍ଡ଼ିଂ ଲାଗିବା କଥା ନୁହେଁ । ସେ ଏଥିପ୍ରତି ଦୃଷ୍ଟି ଦେବେ ବୋଲି ପ୍ରକାଶ କରିଛନ୍ତି ।
