ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ବାଲେଶ୍ୱର ଜିଲାରେ ୪୫୫ ପ୍ରାର୍ଥୀ ନିଦ୍ୱର୍ନ୍ଦରେ ନିର୍ବାଚିତ
ବାଲେଶ୍ୱର : ବାଲେଶ୍ୱର ଜିଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆସନ୍ତା ଫେବ୍ରୁଆରି ୧୬ରୁ ଭୋଟଗ୍ରହଣ ଆରମ୍ଭ ହେବ । ଏଥିନିମନ୍ତେ ଗତ ଜାନୁଆରୀ ୨୫ରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି । ଜିଲାପରିଷଦ, ସରପଞ୍ଚ, ସମିତିସଭ୍ୟ ଓ ୱାର୍ଡ଼ମେମ୍ବର ପ୍ରାର୍ଥୀ ପାଇଁ ଜିଲାରେ ମୋଟ୍ ୧୨,୯୮୨ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଅବତୀର୍ଣ୍ଣ ହୋଇଛନ୍ତି । ପ୍ରାର୍ଥୀମାନେ କିପରି ନିର୍ବାଚନୀ ବୈତରଣୀ ପାରି ହେବେ ସେନେଇ କୋଭିଡ୍ କଟକଣା ମଧ୍ୟରେ ନିଜର ନିର୍ବାଚନୀ ପ୍ରଚାର ଜୋରଦାର୍ କରିଛନ୍ତି । ଏପରିସ୍ଥଳେ ଜିଲାରେ ୪୫୫ ପ୍ରାର୍ଥୀ ନିର୍ବାଚନ ମୈଦାନକୁ ଓହ୍ଲାଇବା ପୂର୍ବରୁ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇ ଆଗୁଆ ବିଜୟମୁକୁଟ ପିନ୍ଧି ସାରିଥିବା ଜଣାପଡ଼ିଛି ।
ଜିଲାରେ ମୋଟ୍ ୩୫୬ଟି ସରପଞ୍ଚ ପଦବୀ ମଧ୍ୟରୁ ୨ଟିରେ, ୩୫୬ଟି ସମିତିସଭ୍ୟ ପଦବୀରୁ ୩ଟିରେ ଏବଂ ୪୮୭୦ ୱାର୍ଡ଼ ମେମ୍ବର ପଦବୀରୁ ୪୫୦ଟିରେ ପ୍ରାର୍ଥୀମାନେ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ଖଇରା ବ୍ଲକର ବର୍ତ୍ତନା ଓ ବରଦା ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଅପ୍ରତିଦ୍ୱନ୍ଦୀ ଭାବେ ନିର୍ବାଚିତ ହୋଇଥିବା ବେଳେ ଭୋଗରାଇ ବ୍ଲକ ନହରା ଗ୍ରାମପଞ୍ଚାୟତ, ରେମୁଣା ବ୍ଲକ ତୁଣ୍ଡୁରା ଗ୍ରାମପଞ୍ଚାୟତ ଓ ବସ୍ତା ବ୍ଳକ କାଦରାୟାଁ ଗ୍ରାମ ପଞ୍ଚାୟତର ସମିତିସଭ୍ୟ ପ୍ରାର୍ଥୀମାନେ ମଧ୍ୟ ବିନା ଲଢ଼େଇରେ ବିଜୟ ମୁକୁଟ ପିନ୍ଧିଛନ୍ତି । ସେହିପରି ସୋର ବ୍ଲକରେ ୫୭ଟି, ସିମୁଳିଆ ବ୍ଲକରେ ୩୯ଟି, ସଦର ବ୍ଲକରେ ୪୫ଟି, ଜଳେଶ୍ୱର ବ୍ଲକରେ ୪୭ଟି, ନୀଳଗିରି ବ୍ଲକରେ ୫୦ଟି, ବାଲିଆପାଳ ବ୍ଲକରେ ୩୨ଟି, ଭୋଗରାଇ ବ୍ଲକରେ ୭୦ଟି, ଔପଦା ବ୍ଲକରେ ୧୪ଟି, ରେମୁଣା ବ୍ଲକରେ ୩୯ ଟି, ବସ୍ତା ବ୍ଲକରେ ୪୩ଟି, ଖଇରା ବ୍ଲକରେ ୮୮ଟି ଓ ବାହାନଗା ବ୍ଲକରେ ୨୬ଟି ୱାର୍ଡ଼ର ୱାର୍ଡ଼ମେମ୍ବରମାନେ ମଧ୍ୟ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି । କେଉଁଠି ପ୍ରାର୍ଥୀଙ୍କ ବିରୋଧରେ ପ୍ରାର୍ଥୀପତ୍ର ଦାଖଲ କରାଯାଇ ନାହିଁ ତ କେଉଁଠି ପ୍ରାର୍ଥୀପତ୍ର ନାକଚ ହୋଇଯାଇଛି କିମ୍ବା ପ୍ରତ୍ୟାହାର କରିନେଇଥିବାରୁ ସେମାନେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିବା ଜଣାପଡ଼ିଛି ।
ସୂଚନା ଯେ, ଚଳିତ ପଞ୍ଚାୟତ ନିର୍ବାଚନରେ ଜିଲାରେ ମୋଟ୍ ୧୨,୯୮୨ ପ୍ରାର୍ଥୀ ଅବତୀର୍ଣ୍ଣ ହୋଇଛନ୍ତି । ସେଥିମଧ୍ୟରୁ ୫୩୬ଟି ୱାର୍ଡସଭ୍ୟ, ୨୮୩ଟି ସରପଞ୍ଚ ଓ ୧୭୦ଟି ସମିତିସଭ୍ୟ ପଦ ପାଇଁ ଦାଖଲ ହୋଇଥିବା ନାମାଙ୍କନ ପତ୍ର ନାକଚ ହୋଇଥିବା ବେଳେ ୧୨୮୪ଟି ୱାର୍ଡ଼ସଭ୍ୟ, ୩୫୬ଟି ସରପଞ୍ଚ ଓ ୨୪୮ଟି ସମିତିସଭ୍ୟ ନାମାଙ୍କନ ପତ୍ର ପ୍ରତ୍ୟାହାର ହୋଇଛି । ସେହିପରି ମୋଟ୍ ୧୬ଲକ୍ଷ ୯୨ହଜାର ୨୯୨ ଭୋଟର ଆସନ୍ତା ଫେବୃୟାରୀ ୧୬ରୁ ୨୪ ତାରିଖ ମଧ୍ୟରେ ୫ଟି ପର୍ଯ୍ୟାୟରେ ମତଦାନ ସାବ୍ୟସ୍ତ କରି ନିଜ ଅଞ୍ଚଳର ପ୍ରତିନିଧିଙ୍କୁ ନିର୍ବାଚିତ କରିବେ ।
