ଫେଲ୍ ମାରିଲା ନିଲମ୍ବନ ପ୍ରତ୍ୟାହାର! ପଦାରେ ପଡ଼ିଲା ନୀଳଗିରି ବିଜେଡ଼ିର ଗୋଷ୍ଠି କନ୍ଦଳ, ସ୍ୱାଧୀନ ପ୍ରାର୍ଥୀଙ୍କୁ ନେଇ ସବ୍ୟସାଚୀଙ୍କ ରଣହୁଙ୍କାର
- ମା’ ଭୁଧାରଚଣ୍ଡୀଙ୍କ ଆଶୀର୍ବାଦ ନେଇ ନିଲମ୍ବନ ପ୍ରତ୍ୟାହାରର ୫ଦିନ ପରେ ସ୍ୱାଧୀନ ପ୍ରାର୍ଥୀଙ୍କ ପ୍ରଚାର ପାଇଁ ଆଗକୁ ଆସିଲେ ସବ୍ୟସାଚୀ
ନୀଳଗିରି : ନିଜ ସଙ୍ଗଠନର ବୃହତ୍ତର ସ୍ୱାର୍ଥ ପାଇଁ ନୀଳଗିରି ଏନ୍ଏସି ଅଞ୍ଚଳର ଶିଶିର ମହାପାତ୍ର ଫାଉଣ୍ଡେସନର ପ୍ରତିଷ୍ଠାତା ସମାଜସେବୀ ସବ୍ୟସାଚୀ ମହାପାତ୍ର (ଟୁବ୍ଲୁ) ତାଙ୍କର ସଂଗଠନକୁ ସଦୃଢ଼ କରିବା ପାଇଁ କିଛି ସ୍ୱାଧୀନ ପ୍ରାର୍ଥୀଙ୍କ ନେତୃତ୍ୱ ନେଇ ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଔପଦା ଏବଂ ନୀଳଗିରି ବ୍ଲକର ୱାର୍ଡ଼ମେମ୍ବର, ସମିତିସଭ୍ୟ ଓ ଜିଲା ପରିଷଦ କ୍ଷେତ୍ରରେ ସ୍ୱାଧୀନ ପ୍ରାର୍ଥୀଙ୍କ ନାମାଙ୍କନପତ୍ର ଦାଖଲ କରିଛନ୍ତି । ସମସ୍ତ ପ୍ରାର୍ଥୀ ଓ ପ୍ରାର୍ଥୀନୀ ମାନଙ୍କୁ ଶନିବାର ପୂର୍ବାହ୍ନରେ ସମର୍ଥକଙ୍କ ସହିତ ସଜନାଗଡ଼ ମା’ ଭୁଧାରଚଣ୍ଡୀଙ୍କ ଦେବୀ ପୀଠରେ କୋଭିଡ୍ ନିୟମ ଭିତରେ ରୀତିନୀତି ଅନୁସାରେ ଶୁଭ ମନାସିବା ସହ ପୂଜାର୍ଚ୍ଚନା, ଦୀପ ଦାନ ଓ ପ୍ରସାଦ ସେବନ କରି ନିର୍ବାଚନ ପ୍ରଚାରକୁ ବାହାରି ଥିଲେ ।

ସୂଚନା ଥାଉକି ଦଳ ବିରୋଧୀ କାର୍ଯ୍ୟ କରିବା ଅଭିଯୋଗରେ ଶ୍ରୀ ମହାପାତ୍ରଙ୍କୁ ବିଜେଡିରୁ ଗତ ୨୦୨୧ ଜୁଲାଇ ୨୪ରେ ନିଲମ୍ବନ କରାଯାଇଥିଲା । ମାତ୍ର ଗତ ମଙ୍ଗଳବାର ପୂର୍ବାହ୍ନରେ ବିଜୁଜନତା ଦଳ କାର୍ଯ୍ୟାଳୟରେ ଦଳର ବୃହତ୍ତର ସ୍ୱାର୍ଥ ପାଇଁ ଦଳରୁ ନିଲମ୍ବନ ହୋଇଥିବା ନୀଳଗିରି ନିର୍ବାଚନମଣ୍ଡଳୀର ପୂର୍ବତନ ଯୁବ ବିଜେଡି ସଭାପତି ସବ୍ୟସାଚୀ ମହାପାତ୍ରଙ୍କ ନିଲମ୍ବନକୁ ଜିଲା ସଭାପତିଙ୍କ ନିର୍ଦ୍ଦେଶରେ ପ୍ରତ୍ୟାହାର କରାଯାଇ ପୁନଃର୍ବାର ଦଳରେ ସାମିଲ କରାଯାଇଥିଲା । ଏହି କାର୍ଯ୍ୟଟି ତରବରିଆ ଭାବେ ହୋଇଥିବାରୁ ଏହା ସଫଳ ହେବା ବଦଳରେ ଦଳକୁ ବିଫଳତା ଆଡକୁ ନେଇଯାଇଛି । ନିଲମ୍ବନ ପ୍ରତ୍ୟାହାରର ପାଞ୍ଚ ଦିନ ନପୁରୁଣୁ ସବ୍ୟସାଚୀ ମହାପାତ୍ର ନିଜ ସଂଗଠନ ପାଇଁ କାମ ଆରମ୍ଭ କରିବା ଘଟଣା ନୀଳଗିରି ବିଜେଡି ଦଳର ଗୋଷ୍ଠି କନ୍ଦଳକୁ ପଦାରେ ପକାଇଛି ।
