ଦୈନିକ ସଂକ୍ରମଣ ୧୨% ହ୍ରାସ ! ଦିନକରେ ୨.୫୧ ଲକ୍ଷ ଆକ୍ରାନ୍ତ ଚିହ୍ନଟ ଓ ୬୨୭ ମୃତ
ନୂଆଦିଲ୍ଲୀ : ଦେଶରେ ଗତ ଗୁରୁବାର ତୁଳନାରେ ଘାତକ କରୋନା ମାମଲା ଶୁକ୍ରବାର ହ୍ରାସ ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଆଉ ୨ ଲକ୍ଷ ୫୧ ହଜାର ୨୦୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୨୭ ଜଣଙ୍କର ମୃତ୍ୟୁ ହୋଇଛି। ଦେଶରେ ଦୈନିକ ସଂକ୍ରମଣ ହାର ବର୍ତ୍ତମାନ ୧୫.୮୮ ପ୍ରତିଶତକୁ ଖସି ଆସିଛି। ବଡ଼ କଥା ହେଉଛି ଗତକାଲି ଠାରୁ ଦେଶରେ ଦୈନିକ ସଂକ୍ରମଣ ୧୨ ପ୍ରତିଶତ କମିଛି।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ ବର୍ତ୍ତମାନ ଦେଶରେ ସକ୍ରିୟ ମାମଲା ସଂଖ୍ୟା ୨୧ ଲକ୍ଷ ୫ ହଜାର ୬୧୧ କୁ ହ୍ରାସ ପାଇଛି। ଏହି ମହାମାରୀ ଯୋଗୁଁ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ୪ ଲକ୍ଷ ୯୨ ହଜାର ୩୨୭କୁ ବୃଦ୍ଧି ପାଇଛି। ତଥ୍ୟ ଅନୁଯାୟୀ, ଗତକାଲି ତିନି ଲକ୍ଷ ୪୭ ହଜାର ୪୪୩ ଲୋକ ଆରୋଗ୍ୟ ଲାଭ କରିଥିଲେ । ଏଥିସହ ମୋଟ ସୁସ୍ଥ ଲୋକଙ୍କ ସଂଖ୍ୟା ୩ କୋଟି ୮୦ ଲକ୍ଷ ୨୪ ହଜାର ୭୭୧କୁ ବୃଦ୍ଧି ପାଇଛି । ଦେଶବ୍ୟାପୀ ଟିକାକରଣ ଅଭିଯାନ ଅଧୀନରେ ଏପର୍ଯ୍ୟନ୍ତ ୧୬୪ କୋଟିରୁ ଅଧିକ ଡୋଜ୍ ଟିକା ଦିଆଯାଇଛି। ଗତକାଲି ୫୭ ଲକ୍ଷ ୩୫ ହଜାର ୬୯୨ ଡୋଜ ଦିଆଯାଇଥିଲା, ଯାହା ପରେ ଏପର୍ଯ୍ୟନ୍ତ ମୋଟ ୧୬୪ କୋଟି ୪୪ ଲକ୍ଷ ୭୩ ହଜାର ୨୧୬ ଡୋଜ ଟିକା ଦିଆଯାଇଛି।
