ବାଲେଶ୍ୱର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରିଚାଳନା ତାଲିମ, ଜିଲାସ୍ତରୀୟ ମାଷ୍ଟର ଟ୍ରେନରଙ୍କ ଅଂଶଗ୍ରହଣ
ବାଲେଶ୍ୱର : ବାଲେଶ୍ୱର ଜିଲାରେ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ-୨୦୨୨ର ସୁପରିଚାଳନା ନିମନ୍ତେ ଏକ ତାଲିମ କାର୍ଯ୍ୟକ୍ରମ ଗୁରୁବାର ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲାସ୍ତରୀୟ ମାଷ୍ଟର ଟ୍ରେନରମାନେ ଏହି ତାଲିମ ଶିବିରରେ ଅଂଶଗ୍ରହଣ କରିଥିବା ବେଳେ ଜିଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ ଉପସ୍ଥିତ ରହି ସେମାନଙ୍କୁ ପଞ୍ଚାୟତ ନିର୍ବାଚନର ସମସ୍ତ ପର୍ଯ୍ୟାୟ ଓ ସମ୍ପୂର୍ଣ୍ଣ ପ୍ରକ୍ରିୟା ସମ୍ପର୍କରେ ସୂଚନା ଦେବା ସହିତ ଏହାକୁ ଗୁରୁତ୍ୱ ସହକାରେ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ ।
ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ରବୀନ୍ଦ୍ର କୁମାର ସାହୁ ସେକ୍ଟର ଅଧିକାରୀ, ପ୍ରିଜାଇଡିଂ ଅଧିକାରୀ ଓ ପୋଲିଂ ଅଧିକାରୀଙ୍କ ଦାୟିତ୍ୱ, ଭୋଟ୍ ଗ୍ରହଣ ପ୍ରକ୍ରିୟା, ଭୋଟବାକ୍ସର ସଠିକ୍ ବ୍ୟବହାର ଉପରେ ଆଲୋକପାତ କରିଥିଲେ । କୋଭିଡ୍-୧୯ ନିୟମାବଳୀର ଅନୁପାଳନ ପୂର୍ବକ ନିର୍ବାଚନ ପରିଚାଳନା ଓ ଭୋଟ୍ଗ୍ରହଣ କିଭଳି ସମ୍ପନ୍ନ ହୋଇପାରିବ ସେ ସମ୍ପର୍କରେ ଉପସ୍ଥିତ ଅଧିକାରୀମାନଙ୍କୁ ଭଲ ଭାବେ ବୁଝାଯାଇଥିଲା । ସେହିଭଳି ଭୋଟ୍ ଗ୍ରହଣ ପୂର୍ବରୁ କରାଯିବାକୁ ଥିବା ପ୍ରସ୍ତୁତି, ପୋଲିଂ ଏଜେଂଟ୍ଙ୍କ ଉପସ୍ଥିତିରେ ଭୋଟବାକ୍ସ ଓ ବାଲଟ୍ ପେପରକୁ କିଭଳି ଠିକ ଢଙ୍ଗରେ ପ୍ରସ୍ତୁତ କରାଯିବ, ଭିନ୍ନ ଭିନ୍ନ ବର୍ଗର ପ୍ରାର୍ଥୀଙ୍କ ପାଇଁ ରହିଥିବା ଭିନ୍ନ ଭିନ୍ନ ରଙ୍ଗର ବାଲଟ୍ ପେପର, ଭୋଟଗ୍ରହଣ ଦିନ ଭୋଟରମାନେ କୋଭିିଡ ନିୟମ ପାଳନ ପୂର୍ବକ କିଭଳି ଧାଡିରେ ଛିଡା ହୋଇ ସହଜରେ ଭୋଟଦାନ କରିପାରିବେ, ଦିବ୍ୟାଙ୍ଗ ଓ କୋଭିଡ୍ ଆକ୍ରାନ୍ତମାନଙ୍କ ପାଇଁ ହୋଇଥିବା ସ୍ୱତନ୍ତ୍ର ବ୍ୟବସ୍ଥା, ଭୋଟଗ୍ରହଣ ଶେଷ ପରେ ଭୋଟବାକ୍ସକୁ କିଭଳି ସିଲ କରାଯିବ ଡେମୋ ମାଧ୍ୟମରେ ତାହା ଅଧିକାରୀମାନଙ୍କୁ ଦେଖାଯାଇଥିଲା । ଭୋଟଦାନ ବୁଥରେ ବିଜୁଳି, ପାଣି, ଶୌଚାଳୟର ଉପଯୁକ୍ତ ବ୍ୟବସ୍ଥା, ପୋଲିଂ ପାର୍ଟି ସଦସ୍ୟଙ୍କ ଦାୟିତ୍ୱ, ପୋଲିଂ ବୁଥରେ ଆଇନଶୃଙ୍ଖଳା ରକ୍ଷା, ଭୋଟ୍ଗ୍ରହଣ ସମୟ, ଭୋଟରଙ୍କୁ ସଠିକ୍ ଭାବେ ଚିହ୍ନଟ, ଭୋଟ୍ଦାନ କିଭଳି ସୁରୁଖୁରୁରେ ସମ୍ପନ୍ନ ହୋଇପାରିବ ଏବଂ ଭୋଟ୍ବାକ୍ସ ଓ ଅନ୍ୟାନ୍ୟ ସାମଗ୍ରୀ ବିତରଣ ଠାରୁ ଆରମ୍ଭ କରି ଭୋଟ୍ ଗଣତି ଶେଷ ପର୍ଯ୍ୟନ୍ତ ସମଗ୍ର ପ୍ରକ୍ରିୟା ଉପରେ ପୁଙ୍ଖାନୁପୁଙ୍ଖ ଭାବେ ଏହି ତାଲିମ୍ କାର୍ଯ୍ୟକ୍ରମରେ ଆଲୋଚନା କରାଯାଇଥିଲା । ସୋର ତହସିଲଦାର ସୁଶାନ୍ତ କୁମାର ବାରିକ୍, ସୋର ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ରାକେଶ କୁମାର ପଣ୍ଡା, ଜିଲା ପଞ୍ଚାୟତ ଅଧିକାରୀ ରବି ଚନ୍ଦ୍ର କହଁର ପ୍ରମୁଖ ଯୋଗଦେଇ ତାଲିମ କାର୍ଯ୍ୟରେ ସହଯୋଗ କରିଥିବା ବେଳେ ଅତିରିକ୍ତ ଜିଲାପାଳ ନୀଲୁ ମହାପାତ୍ର, ଅତିରିକ୍ତ ଜିଲାପାଳ(ରାଜସ୍ୱ) ଭବେଶ କୁମାର ନାୟକ, ଉପଜିଲାପାଳ ଆଶିଷ ଈଶ୍ୱର ପାଟିଲ୍, ଆଇଏଏସ ପ୍ରୋବେସନର କୁନାଲ ଚୌହାନଙ୍କ ସମେତ ଜିଲାର ସମସ୍ତ ବିଡିଓ, ତହସିଲଦାର ଏବଂ ଅନ୍ୟାନ୍ୟ ଜିଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ । ତିନିଦିନ ଧରି ଏହି ପ୍ରଶିକ୍ଷଣ କାର୍ଯ୍ୟ ଜାରି ରହିବ । ଏହି ତାଲିମ ଶିବିରରେ ପ୍ରଶିକ୍ଷଣ ଲାଭ କରିଥିବା ଜିଲାସ୍ତରୀୟ ମାଷ୍ଟର ଟ୍ରେନରମାନେ ବ୍ଲକସ୍ତରରେ ମାଷ୍ଟର ଟ୍ରେନର, ସେକ୍ଟର ଅଫିସର ଓ ପ୍ରିଜାଇଡିଂ ଅଫିସରଙ୍କୁ ତାଲିମ୍ ପ୍ରଦାନ କରିବେ । ପଞ୍ଚାୟତ ନିର୍ବାଚନରେ ନିୟୋଜିତ ହେବାକୁ ଥିବା ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ଯେପରି ନିଜ ନିଜ ଦାୟିତ୍ୱ ସମ୍ପର୍କରେ ସଠିକ୍ ପ୍ରଶିକ୍ଷଣ ଲାଭ କରିପାରିବେ ଏବଂ ସଚେତନ ହୋଇପାରିବେ ତାହା ସୁନିଶ୍ଚିତ କରିବାକୁ ଜିଲାପାଳ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
