ମିଳିଲା ଅନୁମୋଦନ ! ଏଣିକି ବଜାରରେ ଉପଲବ୍ଧ ହେବ କୋଭିସିଲ୍ଡ ଓ କୋଭାକ୍ସିନ୍ ଟିକା
ନୂଆଦିଲ୍ଲୀ: ଭାରତୀୟ ଔଷଧ ନିୟାମକ ଡ୍ରଗ୍ସ କେଂଟ୍ରାଲର ଜେନେରାଲ୍ ଅଫ୍ ଇଣ୍ଡିଆ (ଡିସିଜିଆଇ) ଗୁରୁବାର ଦିନ କୋଭିଡ୍-୧୯ ଟିକା କୋଭିସିଲ୍ଡ ଏବଂ କୋଭାକ୍ସିନ୍ ପାଇଁ ନିୟମିତ ବଜାର ଅନୁମୋଦନ ପ୍ରଦାନ କରିଛନ୍ତି । କେବଳ ବୟସ୍କଙ୍କ ବ୍ୟବହାର ପାଇଁ ଏହି ଅନୁମୋଦନ ଉଦ୍ଦିଷ୍ଟ ବୋଲି ସରକାରୀ ସୂତ୍ରରୁ ପ୍ରକାଶ । ଏ ସଂକ୍ରାନ୍ତୀୟ ନିଷ୍ପତିକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମନସୁଖ ମଣ୍ଡାଭିୟ ଟୁଇଟ୍ କରି ପ୍ରକାଶ କରିଛନ୍ତି ।
ନୂତନ ଔଷଧ ଏବଂ କ୍ଲିନିକାଲ୍ ପରୀକ୍ଷଣ ନିୟମ, ୨୦୧୯ ଅଧୀନରେ ଏହି ଅନୁମୋଦନ ପ୍ରଦାନ କରାଯାଇଛି । ସର୍ତ ଅନୁଯାୟୀ ଟିକା ପ୍ରସ୍ତୁତକାରୀମାନେ ଚାଲୁଥିବା କ୍ଲିନିକାଲ୍ ପରୀକ୍ଷଣ ଏବଂ ପ୍ରୋଗ୍ରାମ୍ ସେଟିଂ ପାଇଁ ଯୋଗାଇବାକୁ ଥିବା ଟିକାଗୁଡିକର ତଥ୍ୟ ଦାଖଲ କରିବେ । ଟିକାକରଣ ପରେ ପ୍ରତିକୂଳ ଘଟଣା ଉପରେ ନଜର ରଖାଯିବ । ଜାନୁଆରି ୧୯ରେ କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ (ସିଡିଏସସିଓ)ର କୋଭିଡ୍-୧୯ରେ ବିଷୟ ବିଶେଷଜ୍ଞ କମିଟି (ଏସଇସି) କିଛି ସର୍ତ ଅନୁଯାୟୀ ବୟସ୍କଙ୍କ ବ୍ୟବହାର ପାଇଁ ସିରମ୍ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ (ଏସଆଇଆଇ)ର କୋଭିସିଲଡ୍ ଏବଂ ଭାରତ ବାୟୋଟେକର କୋଭାକ୍ସିନକୁ ନିୟମିତ ବଜାର ଅନୁମୋଦନ ପ୍ରଦାନ କରିବାକୁ ସୁପାରିସ କରିବା ପରେ ଡିସିଜିଆଇ ଏହି ଅନୁମୋଦନ ପ୍ରଦାନ କରିଛି । ଏସଆଇଆଇର ସରକାରୀ ଏବଂ ନିୟାମକ ବ୍ୟାପାର ନିର୍ଦ୍ଦେଶକ ପ୍ରକାଶ କୁମାର ସିଂ ଅକ୍ଟୋବର ୨୫ରେ କୋଭିସିଲ୍ଡର ବଜାର ଉପଲବ୍ଧତା ଲାଗି ଡିସିଜିଆଇ ନିକଟରେ ଆବେଦନ ଦାଖଲ କରିଥିଲେ । ଏହାପରେ ଡିସିଜିଆଇ କମ୍ପାନିଠାରୁ ଅଧିକ ତଥ୍ୟ ଏବଂ ଦସ୍ତାବିଜ ଚାହିଁଥିଲେ । ଏହା ପରେ ସେରମ୍ ପକ୍ଷରୁ ଅଧିକ ତଥ୍ୟ ଏବଂ ସୂଚନା ସହିତ ନୂତନ ଦସ୍ତାବିଜ୍ ପ୍ରଦାନ କରାଯାଇ ଥିଲା । ଏହାପରେ ସର୍ତମୂଳକ ଅନୁମୋଦନ ମିଳିଥିଲା ।
