ଇଣ୍ଡିଆ-ସେଂଟ୍ରାଲ ଏସିଆ ସମିଟ୍! ସୁରକ୍ଷା ଏବଂ ସ୍ଥିରତା ପାଇଁ ସହଯୋଗ ଜରୁରୀ : ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ଭାରତ ଏବଂ ମଧ୍ୟ ଏସିଆ ଦେଶ ଗୁଡିକ ମଧ୍ୟରେ କୂଟନୈତିକ ସମ୍ପର୍କକୁ ପୂରିଛି ୩୦ ବର୍ଷ । ଇଣ୍ଡିଆ-ସେଂଟ୍ରାଲ ଏସିଆ ସମିଟ୍ର ଅଧ୍ୟକ୍ଷତା କରିବା ସହ ଏହାକୁ ସମ୍ୱୋଧିତ କରି ଏହା କହିଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ଶିଖର ସମ୍ମିଳୀରେ ମଧ୍ୟ ଏସିୟା ଦେଶ କଜାକିସ୍ତାନ, ଉର୍ଜବେକିସ୍ତାନ, ତାଜାକିସ୍ତାନ, ତୁର୍କମେନିସ୍ତାନ ଏବଂ କିର୍ଗିଜସ୍ତାନର ନେତା ସାମିଲ ହୋଇଛନ୍ତି ।
ଭର୍ଚୁଆଲ ମୋଡରେ ଆୟୋଜିତ ଏହି ଶିଖର ସମ୍ମଳନୀକୁ ସମ୍ୱୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ, ଭାରତ ଏବଂ ମଧ୍ୟ-ଏସିଆ ଦେଶ ଗୁଡିକର କୂଟନୈତିକ ସମ୍ପର୍କର ୩୦ ବର୍ଷ ପୂରଣ ହୋଇଛି । ଗତ ତିନି ଦଶନ୍ଧୀରେ ଆମର ସହଭାଗିତା ଅନେକ ସଫଳତା ହାସଲ କରିଛି । ଏବେ ସମୟ ଆସିଛି ଭବିଷ୍ୟତ ପାଇଁ ଏକ ମହତ୍ୱାକାଂକ୍ଷୀ ଲକ୍ଷ୍ୟ ନିର୍ଦ୍ଧାରଣ କରିବା । ଏହାସହ ପ୍ରଧାନମନ୍ତ୍ରୀ କହିଛନ୍ତି, ଆଂଚଳିକ ସୁରକ୍ଷା ପାଇଁ ଆମ ସମସ୍ତ ଚିନ୍ତା ଏବଂ ଉଦ୍ଦେଶ୍ୟ ସମାନ ରହିଛି । ଆଫଗାନିସ୍ତାନର ଘଟଣାକ୍ରମରୁ ଆମେ ସମସ୍ତେ ଚନ୍ତିତ । ଆଜିର ଏହି ଶିଖର ସମ୍ମଳନୀର ତିନୋଟି ମୁଖ୍ୟ ଉଦ୍ଦେଶ୍ୟ ଥିବା ପ୍ରଧାନମନ୍ତ୍ରୀ କହିଛନ୍ତି । ପ୍ରଥମ, ଭାରତ ଏବଂ ମଧ୍ୟ ଏସିଆ ଆଂଚଳିକ ସୁରକ୍ଷା ଏବଂ ବିକାଶ ପାଇଁ ପରସ୍ପରକୁ ସହଯୋଗ କରିବା ପାଇଁ ପ୍ରତିବଦ୍ଧ ଥିବା ନେଇ ସ୍ପଷ୍ଟ କରିବା । ଦ୍ୱିତୀୟ ଉଦ୍ଦେଶ୍ୟ, ଆମର ସହଭାଗିତାକୁ ଏକ ପ୍ରଭାବୀ ରୁପରେଖ ପ୍ରଦାନ କରିବା । ତୃତୀୟ ଉଦ୍ଦେଶ୍ୟ ହେଉଛି ଆମର ସହଯୋଗ ପାଇଁ ଏକ ମହତ୍ୱାକାଂକ୍ଷୀ ରୋଡ ମ୍ୟାପ ପ୍ରସ୍ତୁତ କରିବା ।
