ମହାତ୍ମାଗାନ୍ଧୀ ମାର୍ଗରେ ଫୁଲ୍ଡ୍ରେସ୍ ପରେଡ଼ ଅନୁଷ୍ଠିତ
Full Dress Rehearsal of Republic Day Parade in Bhubaneswar on 24.1.2021
ଭୁବନେଶ୍ୱର : ଆସନ୍ତା ବୁଧବାର ମହାତ୍ମାଗାନ୍ଧୀ ମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ହେବାକୁ ଯାଉଛି। ଏଥିପାଇଁ ଫୁଲ୍ଡ୍ରେସ୍ ପରେଡ଼ ଅନୁଷ୍ଠିତ ହୋଇଥିଲା। ଏଥିରେ ପୁଲିସ ଡିଜି ସୁନୀଲ ବଂଶଲ ଯୋଗଦେଇ ପରେଡ୍ ଅଭ୍ୟାସକୁ ଦେଖିଥିଲେ। ଡିଜିପିଙ୍କ ସମେତ ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଏବଂ ଅନ୍ୟାନ୍ୟ ବରିଷ୍ଠ ପୁଲିସ ଅଧିକାରୀମାନେ ଉପସ୍ଥିତ ଥିଲେ। ଏଥର ୩ଟି ବ୍ରାସ୍ବ୍ୟାଣ୍ଡ ସହ ମୋଟ୍ ୧୦ଟି କଣ୍ଟିଜେନ ଅଂଶଗ୍ରହଣ କରିଛନ୍ତି। ପ୍ରଥମ ଥର ପାଇଁ ସୀମା ସୁରକ୍ଷା ବଳ(ବିଏସ୍ଏଫ୍) ଯବାନଙ୍କ ଚିତ୍ତାକର୍ଷକ ପରେଡ ଗାନ୍ଧୀମାର୍ଗରେ ଦେଖିବାକୁ ମିଳିବ।
କରୋନା କଟକଣାକୁ ଦୃଷ୍ଟିରେ ରଖି କେବଳ ପୁଲିସ କର୍ମଚାରୀଙ୍କୁ ନେଇ ପରେଡ୍ ଅନୁଷ୍ଠିତ ହେବ। ଏହି ପରେଡ୍ ସମାରୋହରେ ଜଣେ ଡିସିପି, ୫ଜଣ ଅତିରିକ୍ତ ଡିସିପି, ୧୩ଜଣ ଏସିପି, ୧୮ଜଣ ଇନସ୍ପେକ୍ଟର, ୬୫ଜଣ ଏସ୍ଆଇ ଏବଂ ଏଏସ୍ଆଇ, ୧୦ଜଣ ହାବିଲଦାର, ୬୨ଜଣ ଏପିଆର୍, ଟ୍ରାଫିକ ପୁଲିସର ୪ଜଣ ହାବିଲଦାର ଓ ୧୭ଜଣ କନ୍ଷ୍ଟେବଳ ରହିବେ। ଏଥିସହ ୧୪ଜଣ ପୁଲିସ ହାବିଲଦାର ଓ ୬୭ଜଣ କନ୍ଷ୍ଟେବଳ, ୫୦ଜଣ ହୋମ୍ଗାର୍ଡ଼ ୧୮ଜଣ ଡବ୍ଲ୍ୟୁସି ରହିବା ନେଇ ବ୍ୟବସ୍ଥା କରାଯାଇଛି। ଏଥିରେ କୌଣସି ସ୍କୁଲ୍ କିମ୍ବା କଲେଜ୍ ଛାତ୍ରଛାତ୍ରୀ ଯୋଗଦେବେ ନାହିଁ। କେବଳ ନିମନ୍ତ୍ରିତ ଅତିଥିଙ୍କ ବ୍ୟତୀତ ଅନ୍ୟ କେହି ଉପସ୍ଥିତ ରହିବେ ନାହିଁ। ଏହି ଅବସରରେ ରାଜଧାନୀରେ ଟ୍ରାଫିକ୍ କଟକଣା ଲାଗୁ ହୋଇଛି। ସାଧାରଣତନ୍ତ୍ର ଦିବସରେ ମହାତ୍ମାଗାନ୍ଧୀ ମାର୍ଗ ଏବଂ ଏହାକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାଗୁଡ଼ିକୁ ସର୍ବସାଧାରଣଙ୍କ ଗମନାଗମନ ପାଇଁ ବନ୍ଦ କରାଯାଇଛି।
ଫୁଲ୍ଡ୍ରେସ ପରେଡରେ ଯୋଗ ଦେଇ ଡିଜିପି ବଂଶଲ କହିଥିଲେ ଯେ କୋଭିଡ୍ ପ୍ରୋଟୋକଲ ଅନୁଯାୟୀ ସମସ୍ତ ପ୍ରସ୍ତୁତି ସରିଛି। ସାଧାରଣତନ୍ତ୍ର ଦିବସରେ ମଧ୍ୟ ସମସ୍ତ କଟକଣାକୁ କଡ଼ାକଡି଼ ପାଳନ କରାଯିବ। ଦର୍ଶକ ଓ ସ୍କୁଲ କଲେଜ ଛାତ୍ରଛାତ୍ରୀଙ୍କ ପ୍ରବେଶ ନିଷେଧ ରହିଛି। ପରେଡ୍ରେ କେବଳ ୧୦ଟି କଣ୍ଟିଜେଣ୍ଟ ସାମିଲ ହେବେ । ଯୁବ ଆଇପିଏସ୍ ରୋହିତ ବର୍ମା ପରେଡ୍କୁ କମାଣ୍ଡ କରିବେ। ଆଜି ରିହର୍ସାଲରେ ତାଙ୍କର ଭଲ ପ୍ରଦର୍ଶନ ଥିଲା ବୋଲି ଡ଼ିଜିପି କହିଛନ୍ତି।
ଏହି ଅବସରରେ ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଯୋଗଦେଇ କହିଛନ୍ତି, ଡିଜିପି ନିଜେ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଛନ୍ତି। ସାଧାରଣତନ୍ତ୍ର ଦିିବସ ପାଇଁ ୫ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ହୋଇଛି। ୨୫ ପ୍ଲାଟୁନ୍ ପୁଲିସ ଫୋର୍ସ ଜଗିବେ। ୭୦ ଅଧିକାରୀ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିବେ। ଟ୍ରାଫିକ୍ ପରିଚାଳନା ମଧ୍ୟ ନିର୍ଦ୍ଧାରଣ ହୋଇଛି। ମହାତ୍ମାଗାନ୍ଧୀ ମାର୍ଗକୁ ସଂଯୋଗ କରୁଥିବା ସମସ୍ତ ରାସ୍ତା ସିଲ୍ କରାଯିବ।
ଗାନ୍ଧୀମାର୍ଗରେ ପ୍ରଥମ ଥର ପାଇଁ ସୀମା ସୁରକ୍ଷା ବଳ (ବିଏସ୍ଏଫ୍) ଯବାନଙ୍କ ଚିତ୍ତାକର୍ଷକ ପରେଡ୍ ଦେଖିବାକୁ ମିଳିବ। ଏଥିସହ କେନ୍ଦ୍ରୀୟ ରିଜର୍ଭ ପୁଲିସ ବଳ (ସିଆର୍ପିଏଫ୍), ଓଡ଼ିଶା ରାଜ୍ୟ ସଶସ୍ତ୍ର ପୁଲିସ (ସପ୍ତମ ବାଟାଲିଅନ୍), ସ୍ୱତନ୍ତ୍ର ସୁରକ୍ଷା ବାଟାଲିଅନ୍ (ଏସ୍ଏସ୍ଜି), ସ୍ପେଶାଲ ଅପରେସନ ଗ୍ରୁପ୍(ଏସ୍ଓଜି), ଅଗ୍ନିଶମ ଓ ଓଡ୍ରାଫ୍ର ଗୋଟିଏ ଲେଖାଏଁ ଟ୍ରୁଫ୍ ପରେଡ୍ରେ ଭାଗ ନେବେ। ସେହିପରି ୩ଟି ବ୍ରାସ୍ ବ୍ୟାଣ୍ଡରୁ ରାଜ୍ୟ ପୁଲିସ ବିଭାଗର ୨ଟି ବ୍ରାସ ବ୍ୟାଣ୍ଡ ଓ ଅନ୍ୟଟି ଅଗ୍ନିଶମ ବିଭାଗର ରହିବ ବୋଲି ସୂଚନା ମିଳିଛି।
