ଓଏଲ୍ଏକ୍ସରେ ଗାଡ଼ି ବିକ୍ରି ନାଁରେ ଠକେଇ : ଅଭିଯୁକ୍ତ ଗିରଫ, ବାଇକ ଜବତ
ଭୁବନେଶ୍ୱର : ଓଏଲ୍ଏକ୍ସରେ ଆପ୍ରେ ଗାଡ଼ି ବିକ୍ରି ନାଁରେ ୪୬ ହଜାର ଟଙ୍କା ଠକେଇ ଅଭିଯୋଗରେ ବଡ଼ଗଡ ଥାନା ପୁଲିସ ଜଣକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ଅନ୍ତର୍ଗତ ଡମପୁର ଗ୍ରାମର ପ୍ରଶାନ୍ତ କୁମାର ପ୍ରଧାନ(୩୦) ବୋଲି ଜଣାଯାଇଛି। ତା’ ଠାରୁ ଗୋଟିଏ ବାଇକ୍ ଜବତ କରାଯାଇଛି। ଏନେଇ ପୁଲିସ କେସ୍ ନଂ ୮/୨୨ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ସୋମବାର କୋର୍ଟ ଚାଲାଣ କରିଛି।
ସୂଚନା ଯେ, ଅଭିଯୁକ୍ତ ପ୍ରଶାନ୍ତ ତା’ ବାଇକକୁ ବିକ୍ରି କରିବାକୁ ଜାନୁଆରୀ ୨ତାରିଖରେ ଓଏଲ୍ଏକ୍ସରେ ବିଜ୍ଞାପନ ଦେଇଥିଲା। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅଞ୍ଚଳର ବାସୁ କପିଲ ଉକ୍ତ ବାଇକକୁ କିଣିବାକୁ ପ୍ରଶାନ୍ତକୁ ଯୋଗାଯୋଗ କରିଥିଲେ। ପ୍ରଶାନ୍ତ ତାଙ୍କୁ ଦେଖା କରିବାକୁ କହିବାରୁ ବାସୁ ଜାନୁଆରୀ ୫ରେ ଭୁବନେଶ୍ୱର ଆସି କଳ୍ପନା ଛକରେ ଭେଟିଥିଲେ। ଶିଶୁପାଳଗଡ଼ରେ ଉକ୍ତ ବାଇକ୍ଟି ବନ୍ଧା ପଡ଼ିଛି, ୪୬ ହଜାର ଟଙ୍କା ଦେଲେ ମୁକୁଳିବ ବୋଲି ବାସୁଙ୍କୁ ପ୍ରଶାନ୍ତ କହିଥିଲା। ତେଣୁ ବାସୁ ତାକୁ ୪୬ହଜାର ଟଙ୍କା ଦେଇ ସେଠାରୁ ବାଇକ୍ ମୁକୁଳାଇ ଆଣିଥିଲେ। ମାଲିକାନା ହସ୍ତାନ୍ତର କରିବାକୁ ପ୍ରଶାନ୍ତ ପଟିଆରେ ଥିବା ଆର୍ଟିଓ ଅଫିସକୁ ଯିବାକୁ କହି ବାସୁଙ୍କୁ ନେଇଥିଲା। ହେଲେ ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ନାଲ୍କୋ ଛକରେ ପ୍ରଶାନ୍ତ ଚତୁରତାର ସହ ପରିଶ୍ରା କରିବା ବାହାନାରେ ବାସୁଙ୍କୁ ବାଇକରୁ ଓହ୍ଲାଇ ଦେଇ ପଳାଇ ଯାଇଥିଲା। ଏନେଇ ବାସୁ ଚନ୍ଦ୍ରଶେଖରପୁର ଥାନାରେ ପହଞ୍ଚି ଘଟଣା ସମ୍ପର୍କରେ କହିଥିଲେ। ହେଲେ ପୁଲିସ ପରାମର୍ଶକ୍ରମେ ସେ ବଡ଼ଗଡ଼ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ରବିବାର ରାତିରେ ଅଭିଯୁକ୍ତ ପ୍ରଶାନ୍ତ ଗାଁରେ ଥିବା ଖବର ପାଇ ପୁଲିସ ଚଢଉ କରି ଗିରଫ କରିଥିଲା।
