କାଳବୈଶାଖୀ ଓ ବଜ୍ରପାତ ନେଇ ୯ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି
ଭୁବନେଶ୍ୱର : ରାଜ୍ୟର କିଛି ସ୍ଥାନରେ ଆସନ୍ତା ୨୪ ଘଂଟା ମଧ୍ୟରେ କାଳବୈଶାଖୀ ସହ ବଜ୍ରପାତ ସମ୍ଭାବନା ରହିଛି । ଏନେଇ ଭୁବନେଶ୍ୱର ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ୨୪ ଘଂଟା ମଧ୍ୟରେ କାଳବୈଶାଖୀ ଓ ବଜ୍ରପାତ ଆଶଙ୍କା କରି ୯ ଜିଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରିକରିଛି ପାଣିପାଗ ବିଭାଗ । ଏହି ଜିଲାଗୁଡ଼ିକ ମଧ୍ୟରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, କେନ୍ଦୁଝର, ମୟୂରଭଞ୍ଜ ଓ ଢ଼େଙ୍କାନାଳ ରହିଛି । ଏସବୁ ଜିଲାର ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ଓ ବଜ୍ରପାତ ଆଶଙ୍କା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଅନ୍ୟପଟେ ରାଜ୍ୟରେ ଆଗାମୀ ୩ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ପଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ସେହିପରି ଆଗାମୀ ୪ରୁ ୫ ଦିନ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ରାତ୍ରି ତାପମାତ୍ରା ଅପରିବର୍ତିତ ରହିବାକୁ ଥିବାବେଳେ ଏହାପରେ ତାପମାତ୍ରାରେ ସାମାନ୍ୟ ହ୍ରାସ ଦେଖାଦେଇପାରେ ବୋଲି ଭୁବନେଶ୍ୱର ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ।
ଏନେଇ ଭୁବନେଶ୍ୱର ଆଂଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଡ. ଏଚ୍ ଆର୍ ବିଶ୍ୱାସଙ୍କ ଅନୁଯାୟୀ ୨୩ ତାରିଖ ଅର୍ଥାତ୍ ରବିବାର ଉତର ଉପକୂଳ ଓଡ଼ିଶା ସମେତ କେନ୍ଦୁଝର ଓ ମୟୂରଭଞ୍ଜ ଜିଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ଏହା ସହ ଉପରୋକ୍ତ ଜିଲାମାନଙ୍କରେ ଘଡ଼ଘଡ଼ି ସମ୍ଭାବନା ରହିଥିବା ଡ. ବିଶ୍ୱାସ ପୂର୍ବାନୁମାନ କରିଛନ୍ତି । ୨୪ ତାରିଖରେ ଉପକୂଳ ଓଡ଼ିଶା ସହ ମୟୂରଭଞ୍ଜ, କୋରାପୁଟ, ମାଲକାନଗିରି, ରାୟଗଡ଼଼ା, କନ୍ଧମାଳ ସହ ରାଜ୍ୟର ଅନ୍ୟ କେତେକ ଜିଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ସେହିପରି ୨୫ ତାରିଖରେ ମାଲକାନଗିରି, କୋରାପୁଟ, ରାୟଗଡ଼଼ା, ଗଜପତି, ଗଞ୍ଜାମ, ପୁରୀ ଜିଲାରେ ସ୍ୱଳ୍ପ ବୃଷ୍ଟିର ସମ୍ଭାବନା ଥିବାବେଳେ ବଳକା ଜିଲାମାନଙ୍କରେ ପାଗ ଶୁଖିଲା ନେଇ ପୂର୍ବାନୁମାନ କରାଯାଇଛି । ୨୬ ତାରିଖ ବେଳକୁ ରାଜ୍ୟବ୍ୟାପୀ ପାଗରେ ପରିବର୍ତନ ହେବା ସହ ଆଉ ବର୍ଷା ହେବାର କୌଣସି ସମ୍ଭାବନା ପ୍ରାୟତଃ ନଥିବା ଡ. ବିଶ୍ୱାସ ସ୍ପଷ୍ଟ କରିଛନ୍ତି ।
