ଆଇସିସି ଟେଷ୍ଟ ମାନ୍ୟତା : ଶୀର୍ଷକୁ ଉଠିଲା ଅଷ୍ଟ୍ରେଲିଆ, ତୃତୀୟକୁ ଖସିଲା ଭାରତ
ଦୁବାଇ : ଆଇସିସି ଟେଷ୍ଟ ମାନ୍ୟତାର ଶୀର୍ଷ ସ୍ଥାନକୁ ଉଠିଲା ଅଷ୍ଟ୍ରେଲିଆ । ଇଂଲଣ୍ଡ ବିପକ୍ଷରେ ୪-୦ରେ ଆସେସ ଟେଷ୍ଟ ସିରିଜ ବିଜୟୀ ହେବାପରେ ମାନ୍ୟତାର ଶୀର୍ଷରେ ପହଞ୍ଚିଛି କଙ୍ଗାରୁ ଟିମ । ଅନ୍ୟପଟେ ଗୁରୁବାର ପ୍ରକାଶିତ ଆଇସିସି ମାନ୍ୟତାରେ ନିରାଶ ହୋଇଛି ଟିମ ଇଣ୍ଡିଆ । ଦକ୍ଷିଣ ଆଫ୍ରିକା ଠାରୁ ୨-୧ରେ ସିରିଜ ପରାଜୟ ପରେ ତୃତୀୟ ସ୍ଥାନକୁ ଖସିଆସିଛି ଭାରତ ।
ପାଟ୍ କମିନ୍ସଙ୍କ ନେତୃତାଧୀନ ଅଷ୍ଟ୍ରେଲିଆ, ଇଂଲଣ୍ଡ ବିପକ୍ଷରେ ୫ ମ୍ୟାଚ୍ ବିଶିଷ୍ଟ ଆସେସ ସିରିଜର ପ୍ରଥମ, ଦ୍ବିତୀୟ, ତୃତୀୟ ଓ ପଞ୍ଚମ ଟେଷ୍ଟ ଯଥାକ୍ରମେ ବ୍ରିସବେନ, ଆଡିଲେଡ୍, ମେଲବୋର୍ଣ୍ଣ ଓ ହୋବାର୍ଟରେ ବିଜୟୀ ହୋଇଥିଲା । ଇଂଲଣ୍ଡ କେବଳ ସିଡନୀରେ ଖେଳାଯାଇଥିବା ଚତୁର୍ଥ ଟେଷ୍ଟକୁ ଡ୍ର’ ରଖିବାରେ ସଫଳ ହୋଇଥିଲା । ଏହି ଜବରଦସ୍ତ ପ୍ରଦର୍ଶନ ପରେ ଅଷ୍ଟ୍ରେଲିଆ ନ୍ୟୁଜିଲାଣ୍ଡ ଓ ଭାରତକୁ ପଛରେ ପକାଇ ୧୧୯ ରେଟିଂ ପଏଣ୍ଟ ସହିତ ମାନ୍ୟତାର ଶୀର୍ଷ ସ୍ଥାନରେ ପହଞ୍ଚିଛି ।
ଅନ୍ୟପଟେ ନମ୍ବର ୧ ଟେଷ୍ଟ ଟିମ ଥିବା ଭାରତ, ଦକ୍ଷିଣ ଆଫ୍ରିକା ଠାରୁ ସିରିଜ ପରାଜୟ ପରେ ତୃତୀୟ ସ୍ଥାନକୁ ଖସିଆସିଛି । ୧୧୬ ରେଟିଂ ପଏଣ୍ଟରେ ସନ୍ତୁଷ୍ଟ ହୋଇଛି ଟିମ ଇଣ୍ଡିଆ । ସେଞ୍ଚୁରିଅନରେ ଦମଦାର ବିଜୟ ହାସଲ କରିଥିଲେ ମଧ୍ୟ, ଜୋହାନ୍ସବର୍ଗ ଓ କେପ୍ ଟାଉନ୍ରେ ପରାସ୍ତ ହୋଇଥିଲା । ଫଳରେ ଦକ୍ଷିଣ ଆଫ୍ରିକା ମାଟିରେ ଟେଷ୍ଟ ସିରିଜ ବିଜୟର ଅପେକ୍ଷା ଅଧିକ ଲମ୍ବା ହୋଇଛି । ସିରିଜ ହାତେଇବା ପରେ ଦକ୍ଷିଣ ଆଫ୍ରିକା ୧୦୧ ରେଟିଂ ପଏଣ୍ଟ ସହ ଗୋଟିଏ ସ୍ଥାନ ଉପରକୁ ଉଠି ପଞ୍ଚମ ସ୍ଥାନରେ ପହଞ୍ଚିଛି । ତେବେ ପ୍ରଥମ ବିଶ୍ବ ଟେଷ୍ଟ ଚମ୍ପିଆନସିପ୍ ବିଜେତା ନ୍ୟୁଜିଲାଣ୍ଡ ୧୧୭ ରେଟିଂ ପଏଣ୍ଟ ସହ ଦ୍ବିତୀୟ ସ୍ଥାନ ବଜାୟ ରଖିଛି । ପାକିସ୍ତାନ ୯୩ ରେଟିଂ ପଏଣ୍ଟ ସହ ଗୋଟିଏ ସ୍ଥାନ ହରାଇ ଷଷ୍ଠ ସ୍ଥାନରେ ରହିଛି । ଶ୍ରୀଲଙ୍କା, ୱେଷ୍ଟଇଣ୍ଡିଜ, ବାଂଲାଦେଶ, ଜିମ୍ବାୱେ, ଆଫଗାନିସ୍ତାନ ଓ ଆୟରଲାଣ୍ଡ ସେମାନଙ୍କର ପୂର୍ବ ମାନ୍ୟତା ବଜାୟ ରଖିବାରେ ସଫଳ ହୋଇଛନ୍ତି ।
