କରହାଲ ବିଧାନସଭାରେ ନିର୍ବାଚନ ଲଢ଼ିବେ ଅଖିଲେଶ ଯାଦବ
ଲକ୍ଷ୍ନୌ : କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସହ ‘ୟୁପି କେ ଲଡ଼କେ’ ଏବଂ ବିଏସପି ସୁପ୍ରିମୋ ମାୟାବତୀଙ୍କ ସହ ‘ବୁଆ-ବବୁଆ’ ଯୁଗଳବନ୍ଦୀ ବିଫଳ ହେବା ପରେ ମୁଲାୟମ ସିଂହ ଯାଦବଙ୍କ ପୁଅ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବ ଏଥର ମାପିଚୁପି ନିର୍ବାଚନ ବୈତରଣୀ ପାର ହେବାକୁ ଚେଷ୍ଟା କରିଛନ୍ତି। ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନ ଲଢୁଥିବା ଦଳୀୟ ମଙ୍ଗୁଆଳଙ୍କ ପାଇଁ ଏହି କାର୍ଯ୍ୟକୁ ସହଜ ଓ ସରଳ କରିବାକୁ ଚେଷ୍ଟା କରିଛି ଦଳ। ଯାଦବ ପରିବାରର ଗଡ଼ ଭାବେ ପରିଚିତ କରହାଲ ବିଧାନସଭାକୁ ଦଳର ଅଧ୍ୟକ୍ଷ ଅଖିଲେଶ ଯାଦବଙ୍କ ଲାଗି ନିର୍ବାଚନୀ ମୈଦାନ ଭାବେ ପ୍ରସ୍ତୁତ କରିଛି ସମାଜବାଦୀ ପାର୍ଟି। କଥା ହେଉଛି ଏଠାରୁ ପ୍ରତିଦ୍ୱନ୍ଦ୍ୱିତା କରି ସଫଳ ହେବେ କି ଅଖିଲେଶ ଯାଦବ? କାରଣ ନିଜ ପିତା ତଥା ରାଜ୍ୟ ରାଜନୀତିନରେ ନେତାଜୀ ଭାବେ ଜଣାଶୁଣା ମୁଲାୟମ ସିଂହ ଯାଦବଙ୍କୁ ପୁଅ ଅଖିଲେଶ ଗୃହବନ୍ଦୀ କରିଥିବା ଅଭିଯୋଗ ଆଣିଛନ୍ତି ଖୋଦ ତାଙ୍କ ମଉସା ପ୍ରମୋଦ ଗୁପ୍ତା। ଗୋଟିଏ ପଟେ ଗୁଣ୍ଡା ଓ ଦେଶ ବିରୋଧି ଶକ୍ତିଙ୍କୁ ଟିକେଟ ବାଣ୍ଟି ବିଜେପି ପକ୍ଷରୁ ପ୍ରତ୍ୟେକ୍ଷ ଆକ୍ରମଣର ଶୀକାର ହୋଇଥିବା ଅଖିଲେଶ ଯାଦବ ନିର୍ବାଚନୀ ମାହୋଲକୁ ଉଷ୍ମ ରଖିବାକୁ ରାଜ୍ୟକୁ ଟିଏମସି ଅଧ୍ୟକ୍ଷା ମମତା ବାନାର୍ଜୀଙ୍କୁ ନିମନ୍ତ୍ରଣ କରିବା କୌଣସି ନା କୌଣସି ସ୍ଥାନରେ ଦଳରେ ତାରକା ପ୍ରଚାରକଙ୍କ ଅଭାବକୁ ଦର୍ଶାଉଛି।
ଚାଚା ଶିବପାଲ ଯାଦବଙ୍କ ସହିତ ମନ ମିଶାଇ ବିଜେପି ବିରୋଧରେ ଲଢେଇ ଜୋରଦାର କରିବାକୁ ଶପଥ ନେଇଥିବା ଅଖିଲେଶ କିନ୍ତୁ ବାସ୍ତବ ଜୀବନରେ ପାରିବାରିକ ସ୍ତରରେ ଏକୁଟିଆ ହୋଇପଡି଼ଛନ୍ତି। ତାଙ୍କର ସାନବାଇ ପ୍ରତୀକ ୟାଦବଙ୍କ ଧର୍ମପତ୍ନୀ ଅପର୍ଣ୍ଣା ଯାଦବ ଏବଂ ତାଙ୍କ ମଉସା ପ୍ରମୋଦ ଗୁପ୍ତା ଏବଂ ନିକଟତମ ସହଯୋଗୀ ପ୍ରିୟଙ୍କା ମୌର୍ଯ୍ୟ ବିଜେପି ହାତ ଧରିବା ପରେ ଏକଥା ଆପାତତଃ ସ୍ପଷ୍ଟ ହୋଇସାରିଛି। ଚାପା ଗୁଞ୍ଜରଣ ଅନୁସାରେ ଆସନ ବୁଝାମଣା ନହେଲେ ଚାଚା ଶିବପାଲ ମଧ୍ୟ କେଉଁ ସମୟରେ ତାଣ୍ଡବ ନୃତ୍ୟ କରିବେ ତାହା କହିହେବ ନାହିଁ। ଏକୁଟିଆ ନିର୍ବାଚନ ଲଢିବାକୁ ରଣନୀତି ପ୍ରସ୍ତୁତ କରିଥିବା ଅଖିଲେଶ ବାସ୍ତବରେ ଉତ୍ତର ପ୍ରଦେଶ ରାଜନୀତିରେ ଜାତିଭିତ୍ତିକ ରାଜନୀତିକୁ ମୁଣ୍ଡ ଟେକିଥିବା ସ୍ଥାନୀୟ ଆଞ୍ଚଳିକ ଦଳର ସାହାରା ନେଇଛନ୍ତି। ଦାବି ପୂରଣ ନେହେଲେ ସମାଜବାଦୀ ପାର୍ଟି ନେତୃତ୍ୱରେ ଗଠିତ ହୋଇଥିବା ମେଣ୍ଟରେ ସାମିଲ ଥିବା ଅଂଶୀଦାର ଦଳ ଯେ ଭିବିଷ୍ୟତରେ ଚୋର ନ ମାରିବେ ସେ କଥା କିଏ କହିବ।
ଅନ୍ୟପକ୍ଷରେ ଦଳ ଡିଆଁ ଅଖିଲେଶଙ୍କ ବୋଝ ବଢାଇ ଦେଇଛନ୍ତି। ସେମାନେ ସମସ୍ୟାକୁ ଲାଘବ କରିବା ପରିବର୍ତ୍ତେ ବୋଝ ଉପରେ ନଳିତା ବିଡା଼ ସଦୃଶ୍ୟ ହୋଇପଡି଼ଛନ୍ତି। ବିଜେପିରୁ ଟିକେଟ ନ ପାଇ ସମାଜବାଦୀ ପାର୍ଟିରେ ୟୋଗ ଦେଇଥିବା ଏହି ନେତା ସପାରୁ ଟିକେଟ ନ ପାଇଲେ କଦାପି ଦଳର ଅଧ୍ୟକ୍ଷଙ୍କ ଗୁଣଗାନ କରିବେ ନାହିଁ। ସେମାନଙ୍କୁ ଦଳରେ ସ୍ୱାଗତ କରି ଅଖିଲେଶ କୃଷ୍ଣ ସର୍ପକୁ ଗଙ୍ଗଦତ୍ତ ନିମନ୍ତ୍ରଣ କରିବା ଭଳିଲ ପରିସ୍ଥିତି ସୃଷ୍ଟି କରିବେ। ରାଜନୈତିକ ହଟଚମଚରେ ରହିଥିବା ଉତ୍ତର ପ୍ରଦେଶକୁ କୁହାଯାଏ ଯେ ଦିଲ୍ଲୀକୁ ଯାଇଥିବା କ୍ଷମତାର ରାସ୍ତା ଲକ୍ଷ୍ନୌ ଦେଇ ଅଗ୍ରସର ହୋଇଥାଏ। କୃଷକ ଆନ୍ଦୋଳନ ମାଧ୍ୟମରେ ବିଜେପିର ଏହି ରାସ୍ତାକୁ ବନ୍ଦ କରି ଅଖିଲେଶ ଯାଦବ ରାଜ୍ୟର ପଶ୍ଚିମାଞ୍ଚଳରେ ବସବାସ କରୁଥିବା ଜାଟ, ଶିଖ୍ ଭୋଟ ହାତେଇବାରେ ଏକରକମ ସଫଳ ହୋଇଛନ୍ତି କିନ୍ତୁ ବୁଆ ମାୟାବତୀଙ୍କ ସହ କୌଣସି ବୁଝାମଣା ନ କରି ‘କିଙ୍ଗ ମେକର’ ୨୧ ପ୍ରତିଶତ ଅନୁସୂଚିତ ଜାତିର ଭୋଟକୁ ଅବଜ୍ଞା କରିଛନ୍ତି।
ଦଳିତଙ୍କ ଭୋଟ ହାତେଇଥିଲେ ଅଖିଲେଶ ଯାଦବ ରାଜ୍ୟରେ ସମାଜବାଦୀ ସରକାର ଗଠନ କରିବାରେ ସଫଳ ହୋଇଥାନ୍ତେ। ହେଲେ ତାଙ୍କର ଦିଗହୀନ ନିର୍ବାଚନ ରଣନୀତି ପାଇଁ ହାତ ସହିତ ହାତୀ ମଧ୍ୟ ଦୂରେଇ ଯାଇଛି। ଆଉ ବିଏସପି ସୁପ୍ରିମୋ ମାୟାବତୀଙ୍କ ସ୍ଥାନରେ ଦଳିତ ଭୋଟ ହାତେଇବା ପାଇଁ ସଗର୍ବରେ ଆଗେଇ ଆସିଛନ୍ତି ଆଜାଦ ସମାଜ ପାର୍ଟି ମୁଖ୍ୟ ଚନ୍ଦ୍ରଶେଖର ଆଜାଦ। ପ୍ରଧାନମନ୍ତ୍ରୀ ମୋଦି ବନାରସ ଗସ୍ତ ସମୟରେ ଯେଉଁ ଭଳି ଭାବେ ସଫେଇ କର୍ମଚାରୀଙ୍କ ପ୍ରତି ସମ୍ମାନ ଜଣାଇଲେ ସେଥିପାଇଁ ରାଜ୍ୟର ବାଲ୍ମିକୀ ସମାଜ ଏବେ ମୋଦି ମନ୍ତ୍ର ଜପୁଛନ୍ତି। ମୁସଲମାନଙ୍କ ପାଇଁ କଇଁ କଇଁ ହୋଇ କାନ୍ଦୁଥିବା ଅଖିଲେଶ ଯାଦବ, ଦଳର ନେତା ଆଜମ ଖାନଙ୍କ ପ୍ରସଙ୍ଗରେ ବିଜେପିକୁ ଟାର୍ଗେଟ କରିବାରୁ ପଛେଇଛନ୍ତି। ଅନ୍ୟପକ୍ଷରେ ମୁସଲିମ ଭୋଟକୁ ନିଜର କହୁଥିବା ଅସାଦୁଦ୍ଦିନ ଓୱେସୀ, କଂଗ୍ରେସ, ପିସ୍ ପାର୍ଟି ହାତେଇବାକୁ ଯୋଜନାବଦ୍ଧ ଭାବେ ଆଗକୁ ବଢୁଛନ୍ତି। ରାଜ୍ୟର ମୁସଲିମ ଭୋଟ ଉପରେ ସମାଜବାଦୀ ପାର୍ଟିର ଏକଚାଟିଆ ଅଧିକାର ନାହିଁ କହିଲେ ଚଳେ। କାରଣ ଶିକ୍ଷିତ ମୁସଲମାନ ସମ୍ପ୍ରଦାୟ ଖୋଲାଖୋଲି ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ସମର୍ଥନ କରୁଛନ୍ତି।
