ଗୋଆ ବିଧାନସଭା ନିର୍ବାଚନ : ୩୪ ଜଣଙ୍କୁ ଟିକେଟ ଦେଲା ବିଜେପି
ନୂଆଦିଲ୍ଲୀ : ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ଗୋଆ ବିଧାନସଭା ନିର୍ବାଚନ ଲାଗି ୩୪ ପ୍ରାର୍ଥୀଙ୍କ ତାଲିକା ଜାରି କରିଛି ବିଜେପି। ରାଜ୍ୟର ମୋଟ ୪୦ ବିଧାନସଭା ସିଟ୍ ମଧ୍ୟରୁ ୩୪ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ଦଳ। ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ଗୋଆ ବିଧାନସଭ ନିର୍ବାଚନରେ ଏହି ରାଜ୍ୟର ୩ ବିଧାନସଭା ଆସନରେ ଅନୁସୂଚିତ ଜାତି ବର୍ଗର ଲୋକଙ୍କୁ ଟିକେଟ ଦେଇଛି ଦଳ। ଯାହା ସାଧାରଣବର୍ଗର ପ୍ରାର୍ଥୀଙ୍କ ପାଇଁ ଉଦ୍ଦିଷ୍ଟ ଥିଲା। ଦଳ ପକ୍ଷରୁ ଘୋଷିତ ପ୍ରାର୍ଥୀ ତାଲିକାରେ ୯ ସାଧାରଣ ବର୍ଗ, ୧୧ ଅନ୍ୟାନ୍ୟ ପଛୁଆ ବର୍ଗ, ୬ ଜଣ ନୂତନ ଆଶାୟୀ ସାମିଲ ଅଛନ୍ତି।
୩୪ ପ୍ରାର୍ଥୀଙ୍କ ତାଲିକା ଜାରି କରିବା ସହ ବିଜେପି ଏହାର ଦଳୀୟ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାଁ ମଧ୍ୟ ଘୋଷଣା କରିଛି। ଦଳ ବର୍ତ୍ତମାନର ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରିଛି। ସେ ରାଜ୍ୟର ସାଂକ୍ୟୁଲିମ୍ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ବିଜେପି ପକ୍ଷରୁ ପ୍ରକାଶିତ ପ୍ରାର୍ଥୀ ତାଲିକା ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ପୁଅ ଉତ୍ପଳ ପାରିକରଙ୍କୁ ଟିକେଟ ମିଳିନାହିଁ। ସେ ରାଜ୍ୟର ପାଣାଜୀ ଆସନରୁ ବିଜେପି ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବାକୁ ଚାହୁଁଥିଲେ। ମନୋହର ପାରିକରଙ୍କ ୨ ପୁଅ ମଧ୍ୟରୁ ଉତ୍ପଳ ପାରିକର ପେସାରେ ଜଣେ ଇଞ୍ଜିନିୟର। ଅନ୍ୟ ପୁଅ ଅଭିଜିତ ପାରିକର ଜଣେ ବ୍ୟବସୀୟ ଭାବେ ଜଣାଶୁଣା। ନିହାତି ସାଧା ସିଧା ଜୀବନ ଯାପନ କରୁଥିବା ପାରିକରଙ୍କ ୨ ପୁଅ ରାଡନୀତି ଠାରୁ ଦୂରରେ ରହି ଆସିଛନ୍ତି।
ଆମେରିକାର ମିଶିଗାନ ୟୁନିଭରସିଟିର ଛାତ୍ର ଉତ୍ପଳ ତାଙ୍କ ବାଗଦତା ଉମା ସରଦେଶାଇଙ୍କୁ ପ୍ରେମ ବିବାହ କରିଛନ୍ତି। ଉମା କାଲିଫର୍ଣ୍ଣିଆ ୟୁନିଭରସିଟିର ଛାତ୍ରୀ ଥିଲେ। ଉଭୟଙ୍କର ଏକ ପୁତ୍ର ସନ୍ତାନ ଅଛି। ଯାହାର ନାଁ ହେଉଛି ଧ୍ରୂବ। ସ୍ୱବାବରେ ଶାନ୍ତ ଉତ୍ପଳ ପୂର୍ବରୁ ସ୍ପଷ୍ଟ କରିଥିଲେ ଯେ ରାଜନୈତିକ ପଦ ମର୍ଯ୍ୟଦା ଗଭୀର ଅଧ୍ୟବସାୟ ବଳରେ ମିଳେ। ଏହାକୁ କେହି ନିଜର ପୈତୃକ ସମ୍ପତ୍ତି ଭାବି ହାସଲ କରିପାରିବ ନାହିଁ। ପେସାରେ ବ୍ୟବସାୀୟ ଥିବା ପାରିକରଙ୍କ ଦ୍ୱିତୀୟ ପୁତ୍ର ଅଭିଜିତ ପାରିକର ପେସାରେ ଫାର୍ମାଶିଷ୍ଟ ଥିବା ସାଇକୁ ୨୦୧୩ ବର୍ଷରେ ବିବାହ କରିଥିଲେ। ସମ୍ପତ୍ତି କହିଲେ ନିଜସ୍ୱ ଆୟ ବ୍ୟତୀତ ପାରିକରଙ୍କ ମୃତ୍ୟୁ ପରେ ସେ ଛାଡିଯାଇଥିବା ୬.୨୯ କୋଟି ଟଙ୍କା ସମ୍ପତ୍ତିର ମାଲିକ ହେଉଛନ୍ତି ଉଭୟ ଉତ୍ପଲ ଓ ଅଭିଜିତ। ମୋଟ ୪୦ ଆସନ ବିଶିଷ୍ଟ ଗୋଆ ବିଧାନସଭା ନିର୍ବାଚନ ଲାଗି ଫେବୃଆରୀ ୧୪ ତାରିଖରେ ଗୋଟିଏ ପର୍ଯ୍ୟାୟରେ ଭୋଟ ଗ୍ରହଣ ଅନୁଷ୍ଠିତ ହେବ। ମାର୍ଚ୍ଚ ୧୦ ତାରିଖରେ ନିର୍ବାଚନ ଫଳ ପ୍ରକାଶ ପାଇବ।
