ପଂଚାୟତ ନିର୍ବାଚନରେ ଅଯଥା ଭିଡ ରୋକିବାକୁ ଡିଜିପି ଓ ଆଇଜିମାନଙ୍କୁ ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର : ପଂଚାୟତ ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଜାରି ରହିଛି । ତେବେ ପ୍ରାର୍ଥିପତ୍ର ଦାଖଲ ବେଳେ ଭିଡ ହେଉଥିବା ପରିଲକ୍ଷିତ ହୋଇଛି । ପଂଚାୟତ ନିର୍ବାଚନ ବେଳେ ଅଯଥା ଭିଡ ରୋକିବା ସହ କୋଭିଡ କଟକଣା କଡାକଡି ଭାବେ ଯେପରି ପାଳନ ହେବ, ତାହା ନିଶ୍ଚିତ କରିବା ପାଇଁ ରାଜ୍ୟ ନିର୍ବାଚନ କମିଶନର ଡିଜିପି ଓ ଆଇଜିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଜଣେ ଡିଏସପି ପାହ୍ୟାର ଅଧିକାରୀଙ୍କୁ କୋଭିଡ୍ ପର୍ଯ୍ୟବେକ୍ଷକ ନିଯୁକ୍ତ କରିବା ପାଇଁ ନିର୍ବାଚନ କମିଶନର ନିର୍ଦ୍ଦେଶ ଦେଇଛନ୍ତି । ନାମାଙ୍କନ ଓ ପ୍ରଚାର ବେଳେ ବେଳେ ପ୍ରାର୍ଥୀମାନେ ଅ ଯଥା ଗହଳି ବା ସଭା କଲେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ପ୍ରାର୍ଥୀଙ୍କ ସହ ସମର୍ଥକମାନେ ନାମାଙ୍କନ କେନ୍ଦ୍ରରେ ଭିଡ଼ କରୁଥିବାର ଦୃଶ୍ୟ ପ୍ରତ୍ୟେକ ଦିନ ସାମ୍ନାକୁ ଆସୁଛି । ଆସନ୍ତାକାଲି ଶେଷ ଦିନରେ ସର୍ବାଧିକ ପ୍ରାର୍ଥୀ ନାମାଙ୍କନ ଦାଖଲ କରିବା ସମ୍ଭାବନା ରହିଛି । ଆଉ ଏହାକୁ ଦୃ୍ଷ୍ଟିରେ ରଖି ଯେମିତି ଭିଡ଼ ଓ ଗାଇଡଲାଇନ ଉଲ୍ଲଂଘନ ନହେବ ସେଥିପ୍ରତି ଦୃଷ୍ଟିଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ ଆୟୋଗ । ସୂଚନାଯୋଗ୍ୟ, ଆସନ୍ତା ଫେବୃଆରୀ ୧୬ରୁ ସମଗ୍ର ରାଜ୍ୟରେ ୫ଟି ପର୍ଯ୍ୟାୟରେ ପଂଚାୟତ ନିର୍ବାଚନ ହେବ । ରାଜ୍ୟରେ ୫ଟି ପର୍ଯ୍ୟାୟ ନିର୍ବାଚନ ଫେବୃଆରୀ ୧୬, ୧୮,୨୦,୨୨ ଓ ୨୪ତାରିଖରେ ହେବ । ସେହିପରି ଫେବୃଆରୀ ୨୬, ୨୭ ଓ ୨୮ତାରିଖରେ ଭୋଟଗଣତି ସମସ୍ତ ବ୍ଲକ ମୁଖ୍ୟାଳୟରେ ଜିଲ୍ଲା ପରିଷଦ ଜୋନୱାରି ହେବ । ଭୋଟଗଣତି ସମାପ୍ତ ସହ ଫେବୃଆରୀ ୨୮ତାରିଖରେ ହିଁ ଆଦର୍ଶ ଆଚରଣ ବିଧି ପ୍ରତ୍ୟାହାର ହେବ । କୋଭିଡ୍ ଗାଇଡଲାଇନକୁ କଡ଼ାକଡ଼ି ପାଳନ କରାଯାଇ ରାଜ୍ୟରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ କରାଯିବ ବୋଲି କହିଥିଲେ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ । ହେଲେ ଏବେ ତାହାର ଖୁଲମଖୁଲା ଉଲ୍ଲଘଂନ ଦେଖିବାକୁ ମିଲିଛି । ତେଣୁ ଭିଡ଼ ରୋକିବାକୁ ଡିଜିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ ।
