ସୁରଟର ପ୍ରିଂଟିଂ-ଡାଇଙ୍ଗ ମିଲରେ ଅଗ୍ନିକାଣ୍ଡ, ଜଳିଗଲେ ୩ ଶ୍ରମିକ
ସୁରଟ : ଗୁଜୁରାଟ ସୁରଟ ଜିଲାର ପାଲସାନା ଅଞ୍ଚଳରେ ଥିବା ପ୍ରିଂଟିଂ-ଡାଇଙ୍ଗ ମିଲରେ ଗୁରୁବାର ଭୟାବହ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଏକ ଡଜନ ଅଗ୍ନିଶମ ଗାଡ଼ି ପହଞ୍ôଚ ଥିବାବେଳେ ପ୍ରାୟ ୧୦୦ ଜଣ ଅଗ୍ନିଶମ କର୍ମଚାରୀ ନିଆଁଲିଭା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ଏହି ଅଗ୍ନିକାଣ୍ଡରେ ଅତି କମରେ ତିନି ଜଣଙ୍କର ମୃତ୍ୟୁ ଘଟିଛି ।
ସୂଚନା ଯେ, ବିଦ୍ୟୁତ ସର୍ଟ ସର୍କିଟ୍ ହେତୁ ଗୁରୁବାର ସକାଳେ ସୌମ୍ୟ ଡାଇଙ୍ଗ୍ ଏବଂ ପ୍ରିଂଟିଂ ମିଲ୍ରେ ନିଆଁ ଲାଗି ଯାଇଥିଲା । ପରେ ମିଲ ଭିତରେ ନିଆଁ ଚାରିଆଡ଼କୁ ବ୍ୟାପିବା ସହ ନିକଟରେ ଥିବା ଦୁଇଟି ଗ୍ୟାସ ସିଲିଣ୍ଡରରେ ବିସ୍ଫୋରଣ ହୋଇଥିଲା । ତିନି ମହଲା ବିଶିଷ୍ଟ ଏହି ମିଲରେ ବିପୁଳ ପରିମାଣର ଜଳନଶୀଳ ସାମଗ୍ରୀ ମହଜୁଦ୍ ଥିବାରୁ ସେସବୁ ନିଆଁରେ ଦ୍ରୁତ ଗତିରେ ଭସ୍ମୀଭୂତ ହୋଇଯାଇଥିଲା । ମିଲରେ କାର୍ଯ୍ୟରତ ଥିବା ତିନି ଜଣ ଶ୍ରମିକଙ୍କ ଜଳିଯାଇଥିବା ମୃତଦେହକୁ ମିଲର କୋଠାରୁ ବାହାର କରି ଦିଆଯାଇ ଥିବାବେଳେ ଅନ୍ୟ ପ୍ରାୟ ୧୦ ଜଣଙ୍କୁ ଉଦ୍ଧାର କରାଯାଇଛି । ସ୍ଥାନୀୟ ଲୋକମାନେ କହିିଛନ୍ତି ଯେ ମିଲରେ ଅଗ୍ନିକାଣ୍ଡ ପାଇଁ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ପରେ ଏକ ସର୍ଟ ସର୍କିଟ୍ ଦାୟୀ । ଅତ୍ୟଧିକ ଜ୍ୱଳନଶୀଳ ରାସାୟନିକ ପଦାର୍ଥ, ରଙ୍ଗ ଏବଂ ସୂତା ହେତୁ ନିଆଁ ଶୀଘ୍ର ବ୍ୟାପିଗଲା । ଅଗ୍ନିକାଣ୍ଡରେ ବହୁ ପରିମାଣର ପ୍ରସ୍ତୁତ ପୋଷାକ ଏବଂ କଂଚାମାଲ ମଧ୍ୟ ଭସ୍ମୀଭୂତ ହୋଇଯାଇଛି ।
