୩ ଲକ୍ଷ ଅଭିମୁଖେ ଦୈନିକ ସଂକ୍ରମଣ! ଦେଶରେ ଆଉ ୨,୮୨,୯୭୦ କରୋନା ସଂକ୍ରମିତ ଚିହ୍ନଟ ଓ ୪୪୧ ମୃତ
ନୂଆଦିଲ୍ଲୀ : ଦେଶରେ କୋରୋନା ସଙ୍କଟ ଦିନକୁ ଦିନ ବଢ଼ିବାରେ ଲାଗିଛି । ଦେଶରେ ଲଗାତର ୨ ଲକ୍ଷ ଉପରେ କରୋନା ମାମଲା ଚିହ୍ନଟ ହେବାରେ ଲାଗିଛି । ଏହାସହ ମୃତ୍ୟୁ ସଂଖ୍ୟାରେ ମଧ୍ୟ ବୃଦ୍ଧି ରେକର୍ଡ କରାଯାଉଛି । ସେହିପରି କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ ମାମଲା ମଧ୍ୟ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ଦେଶରେ ବର୍ତ୍ତମାନ ସୁଦ୍ଧା ୮,୯୬୧ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହୋଇସାରିଛି । ବୁଧବାର ସକାଳେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସର୍ବଶେଷ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨ଲକ୍ଷ ୮୨ହଜାର ୯୭୦ ନୂତନ କରୋନା ମାମଲା ଚିହ୍ନଟ ହୋଇଛି । ଏହାସହ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୪୧ ସଂକ୍ରମିତଙ୍କର ମୃତ୍ୟୁ ମାମଲା ସାମ୍ନାକୁ ଆସିଛି ।
ସେପଟେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧,୮୮,୧୫୭ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଅର୍ଥାତ ଗୋଟିଏ ଦିନରେ ଦେଶରେ ୯୪,୩୭୨ ସକ୍ରିୟ ମାମଲାରେ ବୃଦ୍ଧି ଘଟିଛି । ବର୍ତ୍ତମାନ ସମୟରେ ଦେଶରେ ଦୈନିକ ପଜିଟିଭ୍ ରେଟ୍ ୧୫.୧୩ ପ୍ରତିଶତ ରହିଛି । ଗତ ମଙ୍ଗଳବାର ଅପେକ୍ଷା ବୁଧବାର ୪୪,୯୫୨ ମାମଲା ଅଧିକ ଆସିଛି । ଗତକାଲି ଦେଶରେ ୨,୩୮,୦୧୮ ମାମଲା ଚିହ୍ନଟ ହୋଇଥିଲା । ସେପଟେ ଦେଶରେ ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ ୩ କୋଟି ୭୯ ଲକ୍ଷ ୧ ହଜାର ୧୪୧ ସଂକ୍ରମିତ ମାମଲା ଚିହ୍ନଟ ହୋଇସାରିଛି । ସେହିପରି ଦେଶରେ ମୋଟ ୩ କୋଟି ୫୫ ଲକ୍ଷ ୮୩ ହଜାର ୩୯ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ସମୟରେ ଦେଶରେ ମୋଟ ୧୮ ଲକ୍ଷ ୩୧ ହଜାର କୋରୋନାର ସକ୍ରିୟ ମାମଲା ରହିଛି । ସେହିପରି ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୪ ଲକ୍ଷ ୮୭ ହଜାର ୨୦୨ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି ।
ଦେଶରେ ଆଜି ମଧ୍ୟ କୋରୋନାର ନୂଆ ମାମଲା ଅପେକ୍ଷା ସୁସ୍ଥ ସଂଖ୍ୟାରେ ହ୍ରାସ ଦେଖାଦେଇଛି । ଜାନୁଆରୀ ୧୮ ପର୍ଯ୍ୟନ୍ତ ସାରା ଦେଶରେ ୧୫୮ କୋଟି ୮୮ ଲକ୍ଷ ୪୭ ହଜାର ୫୫୪ କୋରୋନା ଟିକାର ଡୋଜ ଲଗାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୭୬ ଲକ୍ଷ ୩୫ ହଜାର ୨୨୯ କୋରୋନା ଟିକାର ଡୋଜ୍ ଲଗାଯାଇଛି । ଏଥି ସହିତ ଏପର୍ଯ୍ୟନ୍ତ ଦେଶରେ ୭୦ କୋଟି ୫୪ ଲକ୍ଷ ୧୧ ହଜାର ୪୨୫ କୋରୋନା ପରୀକ୍ଷା କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୮ ଲକ୍ଷ ୬୯ ହଜାର ୬୪୨ କୋରୋନା ନମୁନା ପରୀକ୍ଷା କରାଯାଇଛି । ଯାହାର ପଜିଟିଭିଟି ରେଟ୍ ୧୫ ପ୍ରତିଶତରୁ ଅଧିକ ରହିଛି ।
