ଏଥର ଗଣତନ୍ତ୍ର ଦିବସ ପରେଡରେ ଦେଖିବାକୁ ମିଳିବନି ବେଙ୍ଗଲ ଓ କେରଳର ପ୍ରଜ୍ଞାପନ ମେଢ଼
ନୂଆଦିଲ୍ଲୀ : ଆଗାମୀ ୨୬ ଜାନୁୟାରୀ ଗଣତନ୍ତ୍ର ଦିବସ ପରେଡରେ ବିଭିନ୍ନ ରାଜ୍ୟ ଓ ବିଭାଗଙ୍କ ପକ୍ଷରୁ ଦିଲ୍ଲୀ ରାଜପଥରେ ଚିତାକର୍ଷକ ପ୍ରଜ୍ଞାପନ ମେଢ଼ ପ୍ରଦର୍ଶିତ ହେବ । ତେବେ ଏଥିରେ ପଶ୍ଚିମବଙ୍ଗ ଓ କେରଳ ରାଜ୍ୟ ସରକାରଙ୍କ ପ୍ରଜ୍ଞାପନ ମେଢ଼ ଦେଖିବାକୁ ମିଳିବନି । ଗତବର୍ଷ କେରଳ ସରକାରଙ୍କ ପ୍ରସ୍ତାବ ଅଗ୍ରାହ୍ୟ ହୋଇଯାଇଥିବା ବେଳେ ଏଥର ବେଙ୍ଗଲ ମଧ୍ୟ ବାଦ ପଡିଛି । ଏଣୁ ଏହାକୁ ରାଜନୈତିକ ପୂର୍ବାଗ୍ରହ ପ୍ରେରିତ ବୋଲି ଉଭୟ ରାଜ୍ୟ ସରକାର ଅଭିଯୋଗ କରିଛନ୍ତି ।
ଜାତୀୟ ଗଣତନ୍ତ୍ର ଦିବସ ପରେଡରେ ରାଜ୍ୟମାନଙ୍କର ପ୍ରଜ୍ଞାପନ ମେଢ଼କୁ ପ୍ରାଥମିକତା ଦିଆଯାଇଥାଏ । ଏମିତିରେ ଏହି ମେଢ଼ ଗୁଡିକ ସମ୍ପୃକ୍ତ ରାଜ୍ୟମାନଙ୍କର ସଂସ୍କୃତି, ବିକାଶ ଓ କଳାକୁ ଉପସ୍ଥାପନ କରିଥାନ୍ତି । ତେବେ ଜାତୀୟ ସ୍ତରର ଏହି କାର୍ଯ୍ୟକ୍ରମରେ ସବୁବର୍ଷ ସବୁ ରାଜ୍ୟଙ୍କ ପ୍ରଜ୍ଞାପନ ମେଢ଼କୁ ସାମିଲ କରିବା ସମ୍ଭବ ହୋଇନଥାଏ । ଏଣୁ ରାଜ୍ୟମାନେ ଏ ବାବଦେ ଦେଉଥିବା ପ୍ରସ୍ତାବ ବାଛିବାକୁ ଏକ ମନୋନୟନ ସମିତି ରହିଛି । ବିଶେଷଜ୍ଞ କମିଟି ବହୁସ୍ତରୀୟ ପ୍ରକ୍ରିୟାରେ ପ୍ରାଜ୍ଞାପନ ମେଢ଼ ଚୟନ କରିଥାନ୍ତି । ଏଥର ପଶ୍ଚିମବଙ୍ଗ ସରକାର ସ୍ୱାଧୀନତାର ୭୫ତମ ବାର୍ଷିକ ପାଳନକୁ ନଜରରେ ରଖି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଅଧାରିତ ପ୍ରଜ୍ଞାପନ ମେଢ଼ ଲାଗି ପ୍ରସ୍ତାବ ଦେଇଥିବା ବେଳେ କେରଳ ସରକାର ନାରାୟଣ ଗୁରୁ ପ୍ରଜ୍ଞାପନମେଢ ଲାଗି ପ୍ରସ୍ତାବ ଦେଇଥିଲେ । ତେବେ ଉଭୟ ରାଜ୍ୟଙ୍କ ପ୍ରସ୍ତାବ ଅସ୍ୱୀକୃତ ହୋଇଯାଇଛି । ୨୦୨୨ ସାଧରାଣତନ୍ତ୍ର ଦିବସ ପରେଡ ଲାଗି ବିଭିନ୍ନ ରାଜ୍ୟ ଓ କେନ୍ଦ୍ରୀୟ ମନ୍ତ୍ରାଳୟଙ୍କ ୫୬ଟି ପ୍ରସ୍ତାବ ମିଳିଥିଲା । ଏଥିରୁ ୨୧ଟିକୁ ଚୟନ କମିଟି ସର୍ଟଲିଷ୍ଟ କରିଛନ୍ତି ।
ଚଳିତବର୍ଷ ଯେଉଁ ପ୍ରଜ୍ଞାପନ ମେଢ଼ ଗୁଡିକ ରାଜପଥରେ ଦେଖା ଯିବେ ସେଥିରେ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶମାନଙ୍କର ୧୨ ଓ ସାମ୍ବିଧାନିକ ସଂସ୍ଥାଙ୍କର ୯ଟିକୁ ସ୍ୱୀକୃତି ମିଳିଛି । ଏଥର ଗଣତନ୍ତ୍ର ଦିବସ ସମାରୋହର ଥିମ ‘ଆଜାଦୀ କା ଅମୃତ ମହୋତ୍ସବ’ ରଖା ଯାଇଛି । ଦେଶ ସ୍ୱୀଧୀନ ହେବାର ୭୫ତମ ବାର୍ଷିକ ଅବସରରେ ଏହି ଥିମ ପ୍ରସ୍ତୁତ କରାଯାଇଛି । ଗତବର୍ଷ ଦିଲ୍ଲୀ ରାଜପଥରେ ଅନୁଷ୍ଠିତ ସାଧାରଣତନ୍ତ୍ର ଦିବସ ପରେଡରେ କେରଳର ପ୍ରଜ୍ଞାପନ ମେଢ଼ ଦେଖା ଯାଇନଥିଲା । ତେବେ ଏହା ପୂର୍ବରୁ ୨୦୧୮ ମସିହାରେ ଶେଷ ଥର କେରଳର ପ୍ରଜ୍ଞାପନ ମେଢକୁ ଦେଖାଯାଇଛି । ପଶ୍ଚିମବଙ୍ଗର ପ୍ରଜ୍ଞାପନ ମେଢ଼ ୨୦୧୬ ଓ ୨୦୧୭ ମସିହାରେ ଲଗାତାର ୨ ବର୍ଷ ଗଣତନ୍ତ୍ର ଦିବସ ପରେଡରେ ଦେଖା ଯାଇଥିବା ବେଳେ ୨୦୧୯ ଓ ୨୦୨୧ରେ ମଧ୍ୟ ଅଂଶଗ୍ରହଣ କରିଥିଲା । ୨୦୧୬ ମସିହାରେ ପଶ୍ଚିମବଙ୍ଗର ପ୍ରଜ୍ଞାପନମେଢ଼ ସର୍ବଶ୍ରେଷ୍ଠ ହୋଇଥିବାର ମଧ୍ୟ ନଜିର ରହିଛି । ତେବେ ଚଳତିବର୍ଷ କୋଭିଡ କାରଣରୁ ପ୍ରଜ୍ଞାପନ ମେଢ଼ ସଂଖ୍ୟା ହ୍ରାସ କରାଯାଇଥିବାରୁ ଏଥିରେ ପଶ୍ଚିମବଙ୍ଗ ଓ କେରଳ ଭଳି କେତେକ ରାଜ୍ୟ ବାଦ ପଡିଥିବାରୁ ଏବେ ଏହାକୁ ନେଇ ବିବାଦ ଉପୁଜିଛି ।
