କରୋନା କଟକଣାରେ ପାଳିତ ହେବ ସାଧାରଣତନ୍ତ୍ର ଦିବସ ସମାରୋହ
ନୂଆଦିଲ୍ଲୀ : ଗୋଟିଏ ପଟେ ଗଣତନ୍ତ୍ର ଦିବସ ପାଖେଇ ଆସୁଥିବା ବେଳେ ଅପରପଟେ ଦୈନିକ କୋଭିଡ ସଂକ୍ରମଣ ହୁ ହୁ ହୋଇ ବଢ଼ିବାରେ ଲାଗିଛି । ଏଥିରେ ଜାତୀୟ ଦିବସ କାର୍ଯ୍ୟକ୍ରମ ଏବେ ସରକାରଙ୍କ ଲାଗି ଚିନ୍ତାର କାରଣ ପାଲଟିଛି । ଏବେ ଦେଶରେ ଦୈନିକ ସଂକ୍ରମଣ ୨ ଲକ୍ଷକୁ ଟପିଲାଣି । ଦିନ ଯେତିକି ବଢୁଛି ସଂକ୍ରମଣ ହାର ସେହି ଅନୁପାତରେ ବଢ଼ିବଢ଼ି ଚାଲିଥିବା ବେଳେ ସରକାର ଦିଲ୍ଲୀ ସାଧାରଣତନ୍ତ୍ର ଦିବସ ସମାରୋହରେ ଲୋକଙ୍କ ଗହଳି କମାଇବା ଉପରେ ଏବେ ଜୋର ଦେଉଥିବା ଜଣାପଡିଛି ।
କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରାଳୟ ଆଗାମୀ ଜନରାଜ୍ୟ ଦିବସ ପରେଡ ଦେଖିବା ଲାଗି ଅତି କମରେ ୨୪ ହଜାର ଲୋକଙ୍କ ନିମନ୍ତେ ବ୍ୟବସ୍ଥାରେ ଥିଲେ । ହେଲେ ଏବେ ରାଜଧାନୀରେ ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଉତ୍ସବକୁ ଅତିବେଶିରେ ୮ ହଜାର ଲୋକଙ୍କ ମଧ୍ୟରେ ସୀମିତ ରଖିବାକୁ ବିଚାର କରୁଥିବା ଜଣାପଡିଛି । ରକ୍ଷାମନ୍ତ୍ରାଳୟ ବରିଷ୍ଠ ଅଧିକାରୀ ଏପର୍ଯ୍ୟନ୍ତ ପ୍ରସଙ୍ଗରେ ଚୂଡ଼ାନ୍ତ ନିଷ୍ପତି ହୋଇ ନଥିଲେ ମଧ୍ୟ ଉତ୍ସବରେ ଲୋକଙ୍କ ସଂଖ୍ୟା ହ୍ରାସ ଉପରେ ଏବେ ଜୋର ଦିଆଯାଉଥିବାର କହିଛନ୍ତି । ଗତବର୍ଷ ଦିଲ୍ଲୀ ରାଜପଥ ପରେଡ ଦେଖିବା ଲାଗି ୨୫ ହଜାର ଲୋକଙ୍କୁ ଅନୁମତି ପ୍ରଦାନ କରାଯାଇଥିଲା । ସେତେବେଳେ ଜାତୀୟ ରାଜଧାନୀରେ କୋଭିଡ ସଂକ୍ରମଣକୁ ନେଇ ଏବେକା ଭଳି ପରିସ୍ଥିତି ନଥିଲା । ଯଦିଓ ଦେଶରେ କୋଭିଡ ସଂକ୍ରମଣର ଭୟ ଥିଲା ତଥାପି ସମ୍ପୂର୍ଣ୍ଣ କରୋନା କଟକଣାରେ ସରକାର ଏତେ ସଂଖ୍ୟକ ଲୋକଙ୍କୁ ଅନୁମତି ଦେଇଥିଲେ । ସେହିପରି ଗତବର୍ଷ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିଶ ଜନସନ ସାଧାରଣତନ୍ତ୍ର ଉତ୍ସବର ମୁଖ୍ୟ ଅତିଥି ଥିବା ବେଳେ ଶେଷ ମୁହୂର୍ତରେ କରୋନା ଯୋଗୁ ତାଙ୍କର ଭାରତ ଗସ୍ତ କାର୍ଯ୍ୟକ୍ରମ ବାତିଲ ହୋଇଥିଲା ।
ଦେଶରେ ସାଧାରଣତନ୍ତ୍ର ଦିବସ ସମାରୋହର ୫୫ ବର୍ଷ ଇତିହାସରେ ଏହା ପ୍ରଥମ ଘଟଣା ଥିଲା ଯେଉଁ କାର୍ଯ୍ୟକ୍ରମରେ କେହି ବିଦେଶୀ ମାନ୍ୟଗଣ୍ୟ ବ୍ୟକ୍ତି ଅତିଥି ନଥିଲେ । ହେଲେ କରୋନା କାଳ ଯୋଗୁ ଏ ବାବଦେ ବିଶେଷ ଚର୍ଚ୍ଚା ହୋଇନଥିଲା । ତେବେ ଦେଶରେ କରୋନା ପୂର୍ବରୁ ଏହି କାର୍ଯ୍ୟରେ ୧.୨୫ ଲକ୍ଷରୁ ଅଧିକ ଲୋକେ ପ୍ରତିବର୍ଷ ଯୋଗ ଦେଉଥିବାର ରେକର୍ଡ ରହିଛି । ତେବେ ଦେଶରେ ଏବେ କରୋନାର ପ୍ରକୋପକୁ ନଜରରେ ରଖି କୋଭିଡ ପ୍ରୋଟକଲରେ ଜାତୀୟ ଉତ୍ସବ ପାଳନ କରାଯିବ ବୋଲି ଅଧିକାରୀ କହିଛନ୍ତି । କାର୍ଯ୍ୟକ୍ରମ ସ୍ଥଳକୁ ବିନା ମାସ୍କରେ ପ୍ରବେଶ ନିଷିଦ୍ଧ କରାଯିବା ସହ ବିଭିନ୍ନ ପ୍ରବେଶ ସ୍ଥଳରେ ଜଣଜଣ କରି ଥର୍ମାଲ ସ୍କ୍ରିନିଂ ସହ ହ୍ୟାଣ୍ଡ ସାନିଟାଇଜ କରାଯିବ । ସେହିପରି ପ୍ରତ୍ୟେକଙ୍କର କରୋନା ଟିକା ସାର୍ଟିଫିକେଟର ମଧ୍ୟ କଡ଼ାକଡି ଯାଂଚ ହେବ । କାର୍ଯ୍ୟକ୍ରମ ସ୍ଥଳରେ ଲୋକଙ୍କ ଲାଗି ଚିକିତ୍ସକୀୟ ସହାୟତା ମଧ୍ୟ ଉପଲବ୍ଧ ରହିବ । ବ୍ୟକ୍ତିବ୍ୟକ୍ତି ମଧ୍ୟରେ ଅନୁନ୍ୟ ୬ ଫୁଟ ଦୂରତା ଯେପରି କାୟମ ରହେ ତାହା ଉପରେ କଡାନଜର ମଧ୍ୟ ରହିବ । ସେହିପରି ଉତ୍ସବକୁ ଆସୁଥିବା ଲୋକଙ୍କ ସୁବିଧା ନିମନ୍ତେ ରାଜପଥରେ ୧୦ଟି ବଡ଼ ଏଲଇଡି ସ୍କ୍ରିନ୍ରେ କାର୍ଯ୍ୟକ୍ରମର ସିଧା ପ୍ରସାରଣ କରାଯିବ ।
