ଅଧିନାୟକ ଭାବେ ବିଦାୟକାଳୀନ ମ୍ୟାଚ୍ ଖେଳିବାକୁ ମନା କଲେ କୋହଲି !
ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରିକା ନିକଟରୁ ଟେଷ୍ଟ ସିରିଜ୍ ପରାଜୟ ପରେ ବିରାଟ କୋହଲି ଅଚାନକ ଭାରତୀୟ ଟେଷ୍ଟ ଦଳର ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି। ଏହି ଘଟଣା କ୍ରିକେଟ୍ ଜଗତରେ ଚହଳ ପକାଇଛି। ଭାରତୀୟ କ୍ରିକେଟ୍ ଇତିହାସରେ ସବୁଠୁ ସଫଳ ଅଧିନାୟକ ମଧ୍ୟରୁ ଜଣେ ହେଉଛନ୍ତି କୋହଲି। ଧୋନୀଙ୍କ ଟେଷ୍ଟରୁ ଅବସର ପରେ ବିରାଟ କୋହଲିଙ୍କୁ ଦଳର ନେତୃତ୍ଵ ଦିଆଯାଇଥିଲା। ତାଙ୍କ ନେତୃତ୍ଵରେ ଭାରତୀୟ ଦଳ ଚମତ୍କାର ପ୍ରଦର୍ଶନ କରିବା ସହ ଦୁନିଆର ଏକ ନମ୍ବର ଟେଷ୍ଟ ଦଳ ହୋଇ ପାରିଛି।
ରିପୋର୍ଟ ଅନୁଯାୟୀ ଏହି ସୂଚନା ମିଳିଛି ଯେ, କୋହଲିଙ୍କୁ ବିସିସିଆଇ ଅଧିନାୟକ ପଦ ଛାଡିବା ପୂର୍ବରୁ ବିଦାୟକାଳୀନ ମ୍ୟାଚ୍ ଖେଳିବାକୁ ପ୍ରସ୍ତାବ ଦେଇଥିଲା। ତେବେ କୋହଲି ଅଧିନାୟକ ଭାବେ ବିଦାୟକାଳୀନ ମ୍ୟାଚ୍ ଖେଳିବାକୁ ମନା କରି ଦେଇଛନ୍ତି। ଗୋଟିଏ ମ୍ୟାଚ୍ରେ କୌଣସି ଫରକ ପଡିବ ନାହିଁ ବୋଲି ସେ କହିଛନ୍ତି। ୩୩ ବର୍ଷୀୟ କୋହଲି ବେଙ୍ଗାଲୁରୁରେ ଭାରତୀୟ ଦଲ ପାଇଁ ନିଜର ୧୦୦ତମ ଟେଷ୍ଟ ମ୍ୟାଚ୍ ଖେଳିବେ।
ବିସିସିଆଇ ସଂପାଦକ ଜୟ ଶାହା କହିଛନ୍ତି, ବିରାଟ କୋହଲି ଭାରତୀ୍ୟ କ୍ରିକେଟ୍ ଦଳର ସଫଳତମ ଅଧିନାୟକ ମଧ୍ୟରୁ ଜଣେ। ଜଣେ ଅଧିନାୟକ ଭାବେ ତାଙ୍କର ରେକର୍ଡ ଏବଂ ଯୋଗଦାନ କୌଣସି ଅଧିନାୟକଠୁ କମ ନୁହେଁ। ତାଙ୍କ ନେତୃତ୍ଵରେ ଭାରତୀୟ ଦଳ ୪୦ଟି ଟେଷ୍ଟ ଜିତିଛି। ସେ ଚମତ୍କାର ଭାବେ ଦଳର ନେତୃତ୍ଵ ନେଇଛନ୍ତି। ଆମେ ବିରାଟ କୋହଲିଙ୍କୁ ଭବିଷ୍ୟତ ପାଇଁ ଶୁଭକାମନା ଜଣାଉଛୁ। ଆଶା କରୁଛି, ସେ ଭାରତୀୟ ଦଳରେ ତାଙ୍କର ଯୋଗଦାନ ଜାରି ରଖିବେ। ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ନିଜ ବୟାନରେ କହିଛନ୍ତି, ବିରାଟଙ୍କ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ଭାବେ ଅପାର ଯୋଗଦାନ ପାଇଁ ବ୍ୟକ୍ତିଗତ ଭାବେ ତାଙ୍କୁ କୃତଜ୍ଞତା ଜଣାଉଛି। ତାଙ୍କ ନେତୃତ୍ଵରେ ଭାରତୀୟ କ୍ରିକେଟ୍ ଦଳ ଖେଳର ସମସ୍ତ ଫର୍ମାଟ୍ରେ ଦ୍ରୁତ ପ୍ରଗତି କରିଛି। ତାଙ୍କର ନିର୍ଣ୍ଣୟ ବ୍ୟକ୍ତିଗତ ଏବଂ ବିସିସିଆଇ ଏହାର ପୂରା ସମ୍ମାନ କରୁଛି।
