ଓମିକ୍ରନ ବିରୁଦ୍ଧରେ ବିଜୟୀ କରାଇବ ଭାରତର ଏମଆରଏନଏ ଭ୍ୟାକ୍ସିନ, ଫେବ୍ରୁଆରୀରେ ଆରମ୍ଭ ହେବ ପରୀକ୍ଷଣ
ନୂଆଦିଲ୍ଲୀ : କରୋନା ବିରୁଦ୍ଧ ଲଢେଇରେ ଦେଶକୁ ଖୁବ ଶୀଘ୍ର ଏକ ବଡ଼ ହତିଆର ମିଳିବାକୁ ଯାଉଛି । ଲୋକଙ୍କ ଉପରେ ଆରମ୍ଭ ହେବ ଦେଶର ପ୍ରଥମ ଏମଆରଏନଏ ଭ୍ୟାକ୍ସିନର ପରୀକ୍ଷଣ ।
ସୂଚନା ଅନୁସାରେ ଆସନ୍ତା ଫେବ୍ରୁଆରୀ ମାସରେ ଏହାର ପରୀକ୍ଷଣ ଆରମ୍ଭ ହେବ । ପୁନେ ସ୍ଥିତ ଜେନୋଭା ବାୟୋଫାର୍ମାସ୍ୟୁଟିକଲ୍ସ ଏମଆରଏନଏ ଭ୍ୟାକ୍ସିନର ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣ ରିପୋର୍ଟ ଦାଖଲ କରିଥିବା ବେଳେ ତୃତୀୟ ପର୍ଯ୍ୟାୟ ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଛି । ଏନେଇ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆର ସ୍ୱତନ୍ତ୍ର ବିଶେଷଜ୍ଞ କମିଟି ଶୀଘ୍ର ଏହି ଡାଟାକୁ ଅନୁଧ୍ୟାନ କରିବ । ଏହାସହ ଜେନୋଭା ବାୟୋଫାର୍ମାସ୍ୟୁଟିକାଲ୍ସ ଓମିକ୍ରନ ଭାରିଆଣ୍ଟ ପାଇଁ ମଧ୍ୟ ଏମଆରଏନଏ ଭ୍ୟାକ୍ସିନ ବିକଶିତ କରିଛି । ଖୁବ ଶୀଘ୍ର ମଣିଷଙ୍କ ଉପରେ ଏହାର ପରୀକ୍ଷଣ କରାଯିବ। ସୂଚନା ଯେ, ପୂର୍ବରୁ ଗତ ୨୦୨୧ ସେପ୍ଟେମ୍ୱର ମାସରେ ଜେନୋଭା ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇ ଟିକା ବାବଦରେ ସୂଚନା ଦିଆଯାଇଥିଲା । ଅଗଷ୍ଟ ମାସରେ ଡ୍ରଗ୍ସ କଣ୍ଟ୍ରୋଲର ଅଫ ଇଣ୍ଡିଆ ଟିକାର ଦ୍ୱିତୀୟ ଏବଂ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପାଇଁ ମଞ୍ଜୁରୀ ପ୍ରଦାନ କରିଥିଲା।
