ଡେଲଟା ଠାରୁ ୭୦ ଗୁଣା ଅଧିକ ମ୍ୟୁଟେସନ ଓ ୧୦ ଗୁଣ କମ୍ କ୍ଷତିକାରକ ଓମିକ୍ରନ : ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ
ଭୁବନେଶ୍ବର : ମହାମାରୀକୁ କରୋନା ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ପ୍ରେସ୍ମିଟ୍ କରିଛନ୍ତି । ଏଥିରେ ସେ କହିଛନ୍ତି ଯେ, ଡେଲଟା ଭାରିଏଣ୍ଟ ଠାରୁ ୧୦ ଗୁଣ କମ୍ କ୍ଷତିକାରକ ଓମିକ୍ରନ ଭାରିଏଣ୍ଟ । କିନ୍ତୁ ଏହା ଡେଲ୍ଟାଠାରୁ ୭୦ ଗୁଣା ଅଧିକ ମ୍ୟୁଟେସନ କରୁଛି । ମ୍ୟୁଟେସନ କ୍ଷମତା ଅଧିକ ଥିବାରୁ ଶକ୍ତି ହରାଇବାରେ ଲାଗିଛି ଓମିକ୍ରନ । ତେବେ ବର୍ତ୍ତମାନ ସୁଦ୍ଧା ଡେଲ୍ଟା ଭାରିଏଣ୍ଟ ସମାପ୍ତ ହୋଇନାହିଁ ।
ଅପରପକ୍ଷେ ଗତ କିଛି ଦିନ ହେବ ରାଜ୍ୟ ବଢ଼ୁଥିବା କରୋନା ସଂକ୍ରମଣ ଲୋକଙ୍କ ମୁଣ୍ଡ ବ୍ୟଥାର କାରଣ ପାଲିଟିଛି। କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଏବେ ସଂକ୍ରମଣ ବଢ଼ାଉଥିବା ବେଳେ ଏକ ଆଶ୍ବସ୍ତ କଲା ଭଳି ଖବର ସାମ୍ନାକୁ ଆସିଛି। ଏବେ ସଂକ୍ରମଣର ଦ୍ୱିଗୁଣିତ ହେବା ସମୟ କମିଥିବା ସହ ଅଭିବୃଦ୍ଧି ହାର ବି କମିଥିବା କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର। ସେହିପରି ବର୍ତ୍ତମାନ ରାଜ୍ୟରେ ୭୫ ହଜାର ସକ୍ରିୟ ସଂକ୍ରମିତ ଥିବା ବେଳେ ମାତ୍ର ୧୨୦୦ଜଣ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ବର୍ତ୍ତମାନ ହସ୍ପିଟାଲ ଉପରେ କିଛି ଚାପ ନାହିଁ। ଆଜି ସଂକ୍ରମଣ କମ ଥିଲେ ବି ଏହି ଟ୍ରେଣ୍ଡକୁ ଦେଖି ବର୍ତ୍ତମାନ କିଛି ଆକଳନ କରିହେବନାହିଁ। ଟ୍ରେଣ୍ଡ ଆକଳନ ପାଇଁ ଏହି ମାସ ଶେଷ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ। ଦିତୀୟ ଲହର ଭଳି ଖୋର୍ଦ୍ଧା ଓ ସୁନ୍ଦରଗଡରେ ସଂକ୍ରମଣ ଅଧିକ ରହୁଛି। ଆରଟି-ପିସିଆର କିଟ୍ ପରି ଓମିସ୍ୟୁର କିଟ୍ ସବୁ ଜିଲ୍ଲାକୁ ବଣ୍ଟାଯିବ। ଔଷଧ ନିଗମ ଏ ନେଇ ତଥ୍ୟ ଦେବା ସହ ଥଣ୍ଡା କାଶ ହେଲେ ନିଜକୁ ଆଇସୋଲେଟ କରି ରଖିବା ସହ ପରୀକ୍ଷା କରିବାକୁ ପରାମର୍ଶ ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦେଶକ। ଅଯଥା କୌଣସି ଔଷଧ ନଖାଇ ବିଶେଷଜ୍ଞଙ୍କ ପରାମର୍ଷ କ୍ରମେ ଔଷଧ ଖାଆନ୍ତୁ ବୋଲି ସେ କହିଛନ୍ତି।
