ବଡ଼ଖବର : ବଦଳିଲା ପଞ୍ଜାବ ବିଧାନସଭା ନିର୍ବାଚନର ତାରିଖ, ବର୍ତ୍ତମାନ ଏହି ଦିନ ହେବ ମତଦାନ
ନୂଆଦିଲ୍ଲୀ : ପଞ୍ଜାବ ବିଧାନ ସଭା ନିର୍ବାଚନ ତାରିଖରେ ପରିବର୍ତ୍ତନ କରାଯାଇଛି । ବର୍ତ୍ତମାନ ଫେବୃଆରୀ ୨୦ରେ ନିର୍ବାଚନ ହେବ । ରବିଦାସ ଜୟନ୍ତୀଙ୍କୁ ଦୃଷ୍ଟିରେ ରଖି କଂଗ୍ରେସ ସମେତ ଅନ୍ୟାନ୍ୟ ରାଜନୈତିକ ଦଳ ନିର୍ବାଚନ ତାରିଖ ଘୁଞ୍ଚାଇବାକୁ ଦାବି କରିଥିଲେ, ଯାହାକୁ ସ୍ୱୀକାର କରିନେଇଛି କେନ୍ଦ୍ର ନିର୍ବାଚନ ଆୟୋଗ ।
ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି, ଆମ୍ ଆଦମୀ ପାର୍ଟି, ବିଜେପି, ଅକାଳୀ ଦଳ ଏବଂ କ୍ୟାପଟେନ ଅମରିନ୍ଦର ସିଂ ନିର୍ବାଚନ ଆୟୋଗକୁ ନିର୍ବାଚନ ତାରିଖ ଘୁଞ୍ଚାଇବା ପାଇଁ ଅପିଲ କରିଥିଲେ । ସମସ୍ତଙ୍କ ଦାବି ଥିଲା ଯେ, ଫେବୃଆରୀ ୧୬ ହେଉଛି ଶ୍ରୀ ଗୁରୁ ରବିଦାସଙ୍କ ଜୟନ୍ତୀ । ଏହି ଅବସରରେ ଲକ୍ଷ ଲକ୍ଷ ଲୋକ ବନାରସକୁ ଯାଆନ୍ତି । ଏହାକୁ ଦୃଷ୍ଟିରେ ରଖି ନିର୍ବାଚନ ଆୟୋଗ ତାରିଖ ପରିବର୍ତ୍ତନ କରିଛନ୍ତି । ଦାବିକୁ ଦୃଷ୍ଟିରେ ରଖି ପଞ୍ଜାବରେ ମତଦାନର ତାରିଖ ବୃଦ୍ଧି ପ୍ରସଙ୍ଗରେ ନିର୍ବାଚନ ଆୟୋଗ ଆଜି ଏକ ବୈଠକ କରିଛନ୍ତି । ଏହି ବୈଠକରେ ନିର୍ବାଚନ ତାରିଖ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନିଆଯାଇଛି ।
ସୂଚନା ଯେ, ୟୁପି ସମେତ ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହୋଇସାରିଥିଲା । ୟୁପିରେ ସାତୋଟି ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ହେବ । ଉତ୍ତର ପ୍ରଦେଶରେ ଫେବୃଆରୀ ୧୦ରେ ପ୍ରଥମ ପର୍ଯ୍ୟାୟର ମତଦାନ ହେବ, ଫେବୃଆରୀ ୧୪ରେ ଦ୍ୱିତୀୟ ପର୍ଯ୍ୟାୟରେ ଉତ୍ତର ପ୍ରଦେଶରେ ମତଦାନ ହେବ ଏହାସହ ଉତ୍ତରାଖଣ୍ଡରେ ଗୋଟିଏ ପର୍ଯ୍ୟାୟ, ଗୋଆରେ ଗୋଟିଏ ପର୍ଯ୍ୟାୟ ମତଦାନ ଶେଷ ହେବ । ଫେବୃଆରୀ ୨୦ରେ ଉତ୍ତର ପ୍ରଦେଶରେ ତୃତୀୟ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ, ଏହି ଦିନ ପଞ୍ଜାବରେ ମଧ୍ୟ ବିଧାନସଭା ନିର୍ବାଚନ ପାଇଁ ମତଦାନ ହେବ । ଫେବୃଆରୀ ୨୩ରେ ଉତ୍ତର ପ୍ରଦେଶରେ ଚତୁର୍ଥ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ । ଫେବୃଆରୀ ୨୭ରେ ଉତ୍ତର ପ୍ରଦେଶର ପଞ୍ଚମ ପର୍ଯ୍ୟାୟ ଓ ମଣିପୁରର ପ୍ରଥମ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ । ମାର୍ଚ୍ଚ ୩ରେ ଉତ୍ତର ପ୍ରଦେଶରେ ଷଷ୍ଠ ପର୍ଯ୍ୟାୟ ଓ ମଣିପୁରର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେବ । ମାର୍ଚ୍ଚ ୭ରେ ଉତ୍ତର ପ୍ରଦେଶର ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ପାଇଁ ମତଦାନ ଶେଷ ହେବ । ମାର୍ଚ୍ଚ ୧୦ରେ ଫଳାଫଳ ଆସିବ।
