କୋଭିଡ୍ ଗାଇଡଲାଇନ ପାଳନ କରି ସ୍ୱଚ୍ଛ ମତଦାନ ଉପରେ ଗୁରୁତ୍ୱ : ପୁଲିସ ଡିଜି
ଭୁବନେଶ୍ୱର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଆସନ୍ତା ଫେବ୍ରୁଆରି ୧୬, ୧୮, ୨୦, ୨୨ ଓ ୨୪ ତାରିଖରେ ୫ଟି ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହେବ । ୧୭ରୁ ୨୧ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଜାରି ରହିବ । ତେବେ ପଞ୍ଚାୟତ ନିର୍ବାଚନର ଗାଇଡଲାଇନ ପ୍ରସ୍ତୁତ କରିବା ନିମେନ୍ତ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ନିର୍ବାଚନ କମିଶନଙ୍କ ବୈଠକ ପରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ପୁଲିସି ଡିଜି ସୁନୀଲ ବଂଶଲ । ଏଥର ପଞ୍ଚାୟତ ନିର୍ବାଚନ ଆମ ପାଇଁ ସମ୍ପୂର୍ଣ୍ଣ ଭିନ୍ନ ରହିବ ବୋଲି ପୁଲିସ ଡିଜି କହିଛନ୍ତି ।
ପୁଲିସ ଡିଜି ଏହା ମଧ୍ୟ କହିଛନ୍ତିଯେ, ବୈଠକରେ ଆଇନଶୃଙ୍ଖଳା ସହିତ କୋଭିଡ୍ ପ୍ରୋଟକଲ ଅନୁପାଳନ କରିବା ନେଇ ବିସ୍ତୃତ ଆଲୋଚନା ହୋଇଥିଲା । ଏହାସହ ସ୍ୱଚ୍ଛ ମତଦାନ ଉପରେ ଗୁରୁତ୍ୱ ଦିଆଯିବ । ଏହି ପଞ୍ଚାୟତ ନିର୍ବାଚନରେ କେତେ ସଂଖ୍ୟକ ପୁଲିସ ଫୋର୍ସ ମୁତୟନ ହେବେ ସେନେଇ ପରବର୍ତ୍ତୀ ସମୟରେ ନିଷ୍ପତ୍ତି ନିଆଯିବ । କୋଭିଡ୍ ନିୟମ ସଠିକ ଭାବେ ଅନୁପାଳନ ହେଉଛି କି ତାହାର ତଦାରଖ କରିବା ପାଇଁ ପ୍ରତି ଜିଲ୍ଲାରେ ଜଣେ ଲେଖାଏଁ ନୋଡ଼ାଲ ଅଫିସରଙ୍କୁ ନିଯୁକ୍ତି କରାଯିବ । ଏନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସହିତ ଯୋଗାଯୋଗରେ ଅଛୁ ବୋଲି ଡିଜି କହିଛନ୍ତି ।
