ଜାଲିକାଟ୍ଟୁରେ କଟକଣାକୁ ଫୁ : ଜଣେ ମୃତ, ୮୦ ଆହତ
ହାଇଦ୍ରାବାଦ: ଦେଶରେ ଏବେ କରୋନାର ତୃତୀୟ ଲହର କଲବଲ କଲାଣି । ଏହି ମହାମାରୀକୁ ନେଇ ସମସ୍ତେ ଛାନିଆ । ଉପର ମୁହାଁ ରହିଛି ସଂକ୍ରମିତ ସଂଖ୍ୟା । କରୋନା ମୁକାବିଲା ପାଇଁ ସରକାର ଅନେକ କଟକଣା ଲାଗାଇଛନ୍ତି । ଲୋକଙ୍କ ଭିଡ ଉପରେ ବାରଣ ମଧ୍ୟ ଲଗାଯାଇଛି । ତେବେ ସରକାରଙ୍କ ଏହି କରୋନା କଟକଣା ଚୁଲିକି ଯାଇଛି । କଟକଣାକୁ ଫୁ’ କରି ଉଡାଇ ଦେଇଛନ୍ତି ଲୋକେ । ଆନ୍ଧ୍ରପ୍ରଦେଶରେ ଜୋରଦାରରେ ପାଳନ ହୋଇଛି ସେଠାକାର ପାରମ୍ପରିକ ଉତ୍ସବ ଜାଲିକାଟ୍ଟୁ ।
ଆନ୍ଧ୍ରପ୍ରଦେଶର ଚିତୁର ଜିଲ୍ଲାରେ ଶନିବାର ମଧ୍ୟ ଜାଲିକାଟ୍ଟୁ ଉତ୍ସବ ପାଳିତ ହୋଇଛି । ଏଥିରେ କରୋନାକୁ ଖାତିର ନକରି ହଜାର ହଜାର ଲୋକ ସାମିଲ ହୋଇଥିଲେ । ଚିତୁର ଜିଲ୍ଲାର ରାମଚନ୍ଦ୍ରପୁରମ୍ ମଣ୍ଡପରେ ଜାଲିକାଟ୍ଟୁ ଅନୁଷ୍ଠିତ ହୋଇଥିଲା । ଏହାକୁ ସେଠାକାର ସ୍ଥାନୀୟ ଭାଷାରେ ଗୋପା ମିଲାରୁ ପାଣ୍ଡୁଗା ତଥା ପାସୁଭୁଲା ପାଣ୍ଡୁଗା କୁହାଯାଏ । ଏହି ଖେଳରେ ସାମିଲ ହୋଇଥିବା ଲୋକଙ୍କ ମଧ୍ୟରେ ନା ଥିଲା ସାମାଜିକ ଦୂରତା ନା ହିଁ ସେମାନଙ୍କ ମୁହଁରେ ମାସ୍କ ଥିଲା । ଖୋଲାଖୋଲି ଭାବେ କରୋନା କଟକଣାକୁ ଉଲ୍ଲଙ୍ଘନ କରିଥିଲେ ଲୋକେ । ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସେପଟେ ତାମିଲନାଡୁରେ ମଧ୍ୟ ଜାଲିକାଟ୍ଟୁ ଉତ୍ସବ ଆୟୋଜିତ ହୋଇଛି । ତାମିଲନାଡୁର ମଦୁରାଇରେ ଅନୁଷ୍ଠିତ ହୋଇଥିବା ଜାଲିକାଟ୍ଟୁ ଉତ୍ସବରେ ଜଣେ ୧୮ ବର୍ଷୀୟ ଯୁବକର ମୃତ୍ୟୁ ହୋଇଛି । ଜାଲିକାଟ୍ଟୁ ପ୍ରତିଯୋଗିତା ସମୟରେ ଏକ କ୍ରୋଧିତ ଷଣ୍ଢ ୧୮ ବର୍ଷର ଜଣେ ଯୁବକକୁ ଶିଙ୍ଗରେ ଭୁଷି ହତ୍ୟା କରିଥିବା ଜଣାପଡିଛି ।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ତାମିଲନାଡୁ ମଦୁରାଇର ଆଭାନିୟାପୁରମ୍ ଅଂଚଳରେ ଜାଲିକାଟ୍ଟୁ ପ୍ରତିଯୋଗିତା ସମୟରେ ଜଣେ ଯୁବକ ପ୍ରାଣ ହରାଇଥିବା ବେଳେ ଅତି କମରେ ୮୦ଜଣ ଆହତ ହୋଇଥିଲେ । ପୋଙ୍ଗଲ ସମୟରେ ଷଣ୍ଢ ନିୟନ୍ତ୍ରଣର ଏହି ଲୋକପ୍ରିୟ ଖେଳରେ ପ୍ରତିଯୋଗୀ ଏବଂ ଷଣ୍ଢ ମାଲିକଙ୍କ ସମେତ ପ୍ରାୟ ୮୦ ଜଣ ଆହତ ହୋଇଛନ୍ତି । ଶୁକ୍ରବାର ସେଠାରେ ଏହି ଜାଲିକାଟ୍ଟୁ ଉତ୍ସବ ପାଳନ କରାଯାଇଥିଲା । ପୁଲିସ ମୁତାବକ, ଆହତଙ୍କ ମଧ୍ୟରେ ୨୪ ଷଣ୍ଢ ମାଲିକ ସାମିଲ ଅଛନ୍ତି । ସେହିପରି ଏହି ପ୍ରତିଯୋଗିତା ବେଳେ ୩୮ ଷଣ୍ଢ ନିୟନ୍ତ୍ରଣକାରୀ ଓ ୧୮ ଜଣ ଦର୍ଶକ ମଧ୍ୟ ଆହତ ହୋଇଛନ୍ତି । ସୂଚନା ମୁତାବକ ତାମଲନାଡୁ ସରକାର କରୋନା ଗାଇଡଲାଇନ୍ ଅନୁଯାୟୀ ଏହି ଜାଲିକାଟ୍ଟୁ ଉତ୍ସବ ପାଳନକୁ ଅନୁମତି ଦେଇଥିଲେ । ଯେଉଁମାନେ ଖେଳରେ ଭାଗ ନେବେ ସେମାନେ କରୋନା ଟିକାର ଦୁଇଟି ଡୋଜ୍ ନେଇସାରିଥିବା ଏବଂ ଆର୍ଟିପିସିଆର୍ ଟେଷ୍ଟ କରିବାକୁ ବାଧ୍ୟ ବୋଲି କୁହାଯାଇଥିଲା । ଜାଲିକାଟ୍ଟୁ ମାଟୁ ପୋଙ୍ଗାଲର ଏକ ଅଂଶ, ଯାହା ପୋଙ୍ଗଲର ତୃତୀୟ ଦିନରେ ଖେଳାଯାଏ ।
