କୋଭିଡ୍ କଟକଣାରେ ଓସିଏସ୍ ପରୀକ୍ଷା
ସ୍ୱତନ୍ତ୍ର ପ୍ରକୋଷ୍ଠରେ ପରୀକ୍ଷା ଦେବେ କୋଭିଡ୍ ଲକ୍ଷଣ ଥିବା ପରୀକ୍ଷାର୍ଥୀ
ଭୁବନେଶ୍ୱର : ଚଳିତ ମାସରେ ଅନୁଷ୍ଠିତ ହେବାକୁ ଥିବା ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷା ଏବଂ ଆସିଷ୍ଟାଂଟ ସର୍ଜନ ପରୀକ୍ଷା ଦେବାକୁ ଥିବା ପରୀକ୍ଷାର୍ଥୀମାନଙ୍କ ନିମନ୍ତେ କୋଭିଡ୍ ମାର୍ଗଦର୍ଶିକା ପାଳନ କରିବାକୁ କୁହାଯାଇଛି । ଏହି ମର୍ମରେ ଓଡ଼ିଶା ଲୋକସେବା ଆୟୋଗର ସଚିବଙ୍କ ପ୍ରଦତ ସୂଚନା ଜାରି କରାଯାଇଛି । ଚଳିତ ମାସ ୨୦ ତାରିଖରୁ ସିଭିଲ୍ ସର୍ଭିସ୍ ପରୀକ୍ଷା ଆରମ୍ଭ ହେବାକୁ ଥିବାବେଳେ ୨୩ ତାରିଖ ଦିନ ଆସିଷ୍ଟାଂଟ ସର୍ଜନ ପଦବୀ ନିମନ୍ତେ ପରୀକ୍ଷା ଅନୁଷ୍ଠିତ ହେଉଛି ।
କୋଭିଡ୍ କୁ ଦୃଷ୍ଟିରେ ରଖି ସବୁ ପରୀକ୍ଷାର୍ଥୀଙ୍କୁ ଏନ୍-୯୫ ମାସ୍କ ପିନ୍ଧିବାକୁ କୁହାଯାଇଛି । ମାସ୍କ ପିନ୍ଧି ନଥିବା ପରୀକ୍ଷାର୍ଥୀଙ୍କୁ ପରୀକ୍ଷା କେନ୍ଦ୍ରରେ ପ୍ରବେଶ କରିବାକୁ ଅନୁମତି ଦିଆଯିବ ନାହିଁ । କେବଳ ପରୀକ୍ଷା ପରିଚାଳନାସଂପୃକ୍ତ ଅଧିକାରୀମାନେ ତଦାରଖ କରିବା ସମୟରେ ପରୀକ୍ଷାର୍ଥୀମାନେ ମାସ୍କ ଖୋଲିବେ । ଗୋଟିଏ ସ୍ୱଚ୍ଛ ବୋତଲରେ ପରୀକ୍ଷାର୍ଥୀମାନେ ନିଜ ନିଜର ସାନିଟାଇଜର ନେଇ ପାରିବେ । ପରୀକ୍ଷା କେନ୍ଦ୍ର ଗୁଡ଼ିକରେ ହାତରେ ସାନିଟାଇଜେସନ୍ ବ୍ୟବହାର କରିବା ପାଇଁ ବ୍ୟବସ୍ଥା କରାଯାଇଛି । ପରୀକ୍ଷା କେନ୍ଦ୍ରରେ ଓ ପରିସର ମଧ୍ୟରେ ପରୀକ୍ଷାର୍ଥୀମାନେ କୋଭିଡ୍ ନିୟମ ଅନୁପାଳନପୂର୍ବକ ସାମାଜିକ ଦୂରତ୍ୱ ରକ୍ଷା କରିବା ଓ ବ୍ୟକ୍ତିଗତ ସ୍ୱାସ୍ଥ୍ୟରକ୍ଷା ନିୟମ ପାଳନ କରିବାକୁ କୁହାଯାଇଛି । ସାମାଜିକ ଦୂରତ୍ୱର ନିୟମାନୁସାରେ ପରୀକ୍ଷା କେନ୍ଦ୍ରରେ ବସିବା ବ୍ୟବସ୍ଥା କରାଯାଉଛି । ଯଦି କୌଣସି ସମୟରେ ପରୀକ୍ଷାର୍ଥୀଙ୍କର କୋଭିଡ୍ ଲକ୍ଷଣ ପ୍ରକାଶ ପାଏ, ସେ ତୁରନ୍ତ କେନ୍ଦ୍ରରେ ରହିଥିବା ପରୀକ୍ଷା ପରିଚାଳକ (ଇନ୍ଭିଲେଜଟର)ଙ୍କୁ ଜଣାଇବେ । ଏହି ପରୀକ୍ଷାର୍ଥୀଙ୍କ ନିମନ୍ତେ ପୃଥକବାସ ସଂପୃକ୍ତ ପରୀକ୍ଷା ପ୍ରକୋଷ୍ଠର ବ୍ୟବସ୍ଥା କରାଯାଇଛି ।
