କରୋନା ବିରୋଧୀ ଲଢ଼େଇରେ ଆମେ ନିଶ୍ଚିତ ବିଜୟୀ ହେବା : ପ୍ରଧାନମନ୍ତ୍ରୀ
ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ
ନୂଆଦିଲ୍ଲୀ: ଦେଶରେ ମହାମାରୀ କରୋନାର ତୃତୀୟ ଲହର ସାଂଘାତିକ ସ୍ଥିତି ସୃଷ୍ଟି କରିଛି । ଦୈନିକ ସଂକ୍ରମଣ ଅଢ଼େଇ ଲକ୍ଷ ମୁହଁ ହେଉଥିବା ବେଳେ ଆଜି ଦେଶର ସବୁ ମୁଖ୍ୟମନ୍ତ୍ରୀଙ୍କ ସହ ସମୀକ୍ଷା ବୈଠକ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ବୈଠକରେ ମୋଦି ପ୍ରଥମେ ରାଜ୍ୟଗୁଡ଼ିକର କରୋନା ସ୍ଥିତି ସମ୍ପର୍କରେ ତଥ୍ୟ ସଂଗ୍ରହ କରିଥିଲେ । ଏହାପରେ ସଂକ୍ରମଣକୁ ରୋକିବା ପାଇଁ ମୁଖ୍ୟମନ୍ତ୍ରୀମାନଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି । ଦ୍ରୁତ ଟିକାକରଣ ଓ ସ୍ଥାନୀୟ କେଂଟନମେଂଟ ଉପରେ ରାଜ୍ୟଗୁଡ଼ିକ ଫୋକସ କରିବା ଉଚିତ ବୋଲି ମୋଦି କହିଛନ୍ତି । ସେ କହିଛନ୍ତି, ଟିକା ହେଉଛି କରୋନ ଭାଇରସ ବିରୋଧରେ ଲଢ଼େଇ କରିବାର ସବୁଠାରୁ ବଡ଼ ଅସ୍ତ୍ର । ଓମିକ୍ରନ ବିଶ୍ୱର ବିଭିନ୍ନ ପ୍ରାନ୍ତ ସହ ଭାରତରେ ମଧ୍ୟ ବ୍ୟାପୁଛି । ଆମେ ଏହି ଭାରିଏଂଟ ସହ ଲଢ଼େଇ କରିବା ବେଳେ ଭବିଷ୍ୟତରେ ଆସିବାକୁ ଥିବା ଷ୍ଟ୍ରେନ ପ୍ରତି ମଧ୍ୟ ସତର୍କ ରହିବା ଉଚିତ ।
ଟିକାକରଣ କାର୍ଯ୍ୟକ୍ରମକୁ ଯଥାଶୀଘ୍ର ଶେଷ କରିବାକୁ ହେବ । ଟିକା ହିଁ ଭାଇରସ ବିରୋଧରେ ବଡ଼ ଅସ୍ତ୍ର । ଦେଶର ୯୨% ପ୍ରାପ୍ତ ବୟସ୍କଙ୍କୁ ଟିକାର ପ୍ରଥମ ଡୋଜ ଦିଆଯାଇଛି । ୭୦% ପ୍ରାପ୍ତ ବୟସ୍କ ଦ୍ୱିତୀୟ ଡୋଜ୍ ନେଇ ସାରିଲେଣି । ଟିକାକୁ ନେଇ ଚାଲିଥିବା ଅପପ୍ରଚାର ଉପରେ ରୋକ ଲାଗିବା ଦରକାର । କୋଭିଡ ରଣନୀତି ପ୍ରସ୍ତୁତ କରିବା ବେଳେ ଦେଶର ଅର୍ଥନୀତି ଓ ସାଧାରଣ ଲୋକଙ୍କ ଜୀବନ ଧାରଣ ଉତ୍ସକୁ ନଜରରେ ରଖିବାକୁ ହେବ । ସବୁ ରାଜ୍ୟ ସ୍ଥାନୀୟ କେଂଟନମେଂଟକୁ ଗୁରୁତ୍ୱ ଦିଅନ୍ତୁ । ଆମକୁ ସତର୍କ ରହିବାକୁ ହେବ । କିନ୍ତୁ ଆତଙ୍କିତ ହେବନି । କରୋନା ସହ ଲଢ଼େଇ କରିବା ପାଇଁ ୨ ବର୍ଷର ଅଭିଜ୍ଞତା ଆମ ପାଖରେ ରହିଛି । ଏବେ କରୋନାରେ ଆକ୍ରାନ୍ତ ହେଉଥିବା ଅଧିକାଂଶ ଲୋକ ହୋମ ଆଇସୋଲେସନରେ ରହୁଛନ୍ତି । ସେମାନେ ଯେମିତି ସମସ୍ତ ଗାଇଡଲାଇନ ମାନିବେ, ତା’ ଉପରେ ଦୃଷ୍ଟି ଦେବା ଦରକାର ବୋଲି ମୋଦି ପରାମର୍ଶ ଦେଇଛନ୍ତି । ସେ ଆହୁରି କହିଛନ୍ତି, “ପୂର୍ବ ଭାରିଏଂଟ ତୁଳନାରେ ଓମିକ୍ରନ ସାଧାରଣ ଲୋକଙ୍କୁ ଅତି ଦ୍ରୁତଗତିରେ ସଂକ୍ରମିତ କରୁଛି । ଆମେ ସମସ୍ତଙ୍କୁ ଏଥିପ୍ରତି ସତର୍କ ରହିବାକୁ ହେବ । ଆମେରିକାର ଦୈନିକ ୧୪ ଲକ୍ଷ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ହେଲେ ଆମେ ଏଥିରେ ଭୟଭୀତ ହେବାନି ।
ପାର୍ବଣରେ ଆମେ ଆଦୌ ବେପରୁଆ ହେବାନି । ରାଜ୍ୟଗୁଡ଼ିକ ମେଡିକାଲ ଭିତିଭୂମିକୁ ସୁଦୃଢ଼ କରନ୍ତୁ । କିଛି ରାଜ୍ୟ ପୂର୍ବାପେକ୍ଷା ସ୍ୱାସ୍ଥ୍ୟ ଭିତିଭୂମିକୁ ଏବେ ସଜାଡ଼ିଛନ୍ତି । ୧୦ ଦିନ ମଧ୍ୟରେ ୩୦ ମିଲିୟନ କିଶୋର/କିଶୋରଙ୍କ ଟିକାକରଣ ହୋଇଛି । ଏହା ଆମେ ସମସ୍ୟା ପାଇଁ କେତେ ପ୍ରସ୍ତୁତ ରହିଛେ, ତା’କୁ ଦର୍ଶାଉଛି । ଅଗ୍ରାଧିକାର ଭିତିରେ ସମ୍ମୁଖଯୋଦ୍ଧା ଓ ବରିଷ୍ଠ ନାଗରିକଙ୍କୁ କରୋନା ବୁଷ୍ଟର ଡୋଜ ଦିଆଯିବା ଦରକାର । ବୁଷ୍ଟର ଡୋଜ୍ କାମକୁ ଯଥାଶୀଘ୍ର ଶେଷ କରିବାକୁ ହେବ । ଆମକୁ ହର ଘର ଦସ୍ତତକ କାର୍ଯ୍ୟକ୍ରମକୁ ୧୦୦% ପୂରଣ କରିବାକୁ ପଡ଼ିବ ।” ଏଥିସହ ମୋଦି ସମସ୍ତଙ୍କୁ ପାରମ୍ପରିକ କାଢ଼ା ପିଇବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି । ଅନ୍ଲାଇନ୍ ବୈଠକରେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଆଶୋକ ଗେହଲଟ୍, ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା, ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜୀତ ସିଂହ ଚନ୍ନି, ପୁଡୁଚେରୀର ମୁଖ୍ୟମନ୍ତ୍ରୀ ଏନ୍. ରଙ୍ଗସ୍ୱାମୀ, ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ୍, ତ୍ରିପୁରାର ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବ, କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବସବରାଜ ବୋମ୍ମାଇ ଏବଂ ମିଜୋରାମର ମୁଖ୍ୟମନ୍ତ୍ରୀ ଜୋରାମଥଙ୍ଗା ଅଂଶଗ୍ରହଣ କରିଥିଲେ । ଏହା ବ୍ୟତିରେକେ, ଏଥିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମଣ୍ଡାଭୀୟ ମଧ୍ୟ ଭାଗ ନେଇଥିଲେ ।
