୧୯ ବର୍ଷରୁ କମ କୁଚ୍ ବେହାର ଟ୍ରଫିର ନକଆଉଟ ପର୍ଯ୍ୟାୟ ସ୍ଥଗିତ
ନୂଆଦିଲ୍ଲୀ : ମହାମାରୀ କୋଭିଡ-୧୯ ସଂକ୍ରମଣ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ସ୍ଥଗିତ ହେଲା ୧୯ ବର୍ଷରୁ କମ କୁଚ୍ ବେହାର ଟ୍ରଫିର ନକଆଉଟ ପର୍ଯ୍ୟାୟ । ଭାରତୀୟ କ୍ରିକେଟ ବୋର୍ଡ (ବିସିସିଆଇ) ଏହି ଘୋଷଣା କରିଛି । ପୁନେରେ ଏହି ମ୍ୟାଚ୍ ଖେଳାଯିବା ନେଇ ସୂଚୀ ରହିଥିଲା । ମାତ୍ର ଦେଶରେ କୋଭିଡ-୧୯ ସଂକ୍ରମଣ ସଂଖ୍ୟା ବୃଦ୍ଧି ଯୋଗୁଁ ଏହାକୁ ସ୍ଥଗିତ ଘୋଷଣା କରିଛି ବୋର୍ଡ ।
ବିସିସିଆଇ ପକ୍ଷରୁ ଅଫସିଆଲ ବିଜ୍ଞପ୍ତରେ କୁହାଯାଇଛି, “ସମସ୍ତଙ୍କ ସ୍ବାସ୍ଥ୍ୟ, ସୁରକ୍ଷାକୁ ଧ୍ୟାନରେ ରଖି ପୁନେରେ ଖେଳାଯିବାକୁ ଥିବା ନକଆଉଟ୍ ମ୍ୟାଚ୍ ପରବର୍ତ୍ତୀ ନୋଟିସ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଉଛି । ଲିଗ୍ ପର୍ଯ୍ୟାୟରେ ବିସିସିଆଇ ୨୦ଟି ଭେନ୍ୟୁରେ ୯୩ଟି ମ୍ୟାଚ୍ ଆୟୋଜିତ କରିଛି । ସ୍ଥିତି ଉପରେ ବୋର୍ଡ ନଜର ରଖିଛି, ସ୍ଥିତିରେ ସୁଧାର ଆସିଲେ ପୁନଃ ନୂଆ ତାରିଖ ଘୋଷଣା ହେବ ।”
ସୂଚନା ଯେ, ଦେଶରେ କୋଭିଡ-୧୯ ସଂକ୍ରମଣ ସଂଖ୍ୟାରେ ଦ୍ରୁତ ବୃଦ୍ଧି ପରେ ଗତ ସପ୍ତାହରେ ୨୦୨୧-୨୨ ସିଜିନର ରଣଜୀ ଟ୍ରଫି, ସି କେ ନାଇଡୁ ଟ୍ରଫି ଓ ସିନିୟର ମହିଳା ଟି୨୦ ଲିଗ ସ୍ଥଗିତ ଘୋଷଣା କରିଥିଲା ବିସିସିଆଇ । ରଣଜୀ ଟ୍ରଫି ଓ ସି କେ ନାଇଡୁ ଟ୍ରଫି ଚଳିତ ମାସରେ ଓ ସିନିୟର ମହିଳା ଟି୨୦ ଲିଗ ଫେବୃଆରୀରେ ଖେଳାଯିବା ନେଇ ସୂଚୀ ରହିଥିଲା ।
