ଦେଶରେ କେବେ ହେଲେ ଗଞ୍ଜେଇକୁ ସଂପୂର୍ଣ୍ଣ ଭାବେ ବ୍ୟାନ କରାଯାଇନି : କେନ୍ଦ୍ର ସରକାର
ନୂଆଦିଲ୍ଲୀ : ଗଞ୍ଜେଇକୁ ନେଇ ଧରପଗଡ଼ ଚାଲୁଥିବା ବେଳେ କେନ୍ଦ୍ର ସରକାର ଦିଲ୍ଲୀ ହାଇକୋର୍ଟଙ୍କ ଆଗରେ ବଡ଼ ବୟାନ ରଖିଛନ୍ତି। ଦେଶରେ କେବେ ହେଲେ ଗଞ୍ଜେଇକୁ ସଂପୂର୍ଣ୍ଣ ଭାବେ ବ୍ୟାନ କରାଯାଇନି। ଆଇନ ଅନୁସାରେ ଏହାର ମେଡିକାଲ ଓ ବିଜ୍ଞାନ ଭିତ୍ତିକ ବ୍ୟବହାର ପାଇଁ ଅନୁମତି ଦିଆଯାଇଛି ବୋଲି କେନ୍ଦ୍ର ସରକାର କୋର୍ଟଙ୍କୁ ଅବଗତ କରାଇଛନ୍ତି।
ଗଞ୍ଜେଇର ବ୍ୟବହାରକୁ ବିଭିନ୍ନ ପ୍ରସଙ୍ଗରେ ଆଇନଗତ ମାନ୍ୟତା ଦେବାକୁ ଗୋଟିଏ ଆବେଦନ ଦିଲ୍ଲୀ ହାଇକୋର୍ଟରେ କରାଯାଇଥିଲା। ଏହାର ଶୁଣାଣି ବେଳେ କେନ୍ଦ୍ର ସରକାର ଏପରି କହିଛନ୍ତି। ଗ୍ରେଟ ଲିଗାଲାଇଜେସନ ମୁଭମେଣ୍ଟ ଇଣ୍ଡିଆ ଟ୍ରଷ୍ଟ ପକ୍ଷରୁ ଗଞ୍ଜେଇ କୋଭିଡ ୧୯ ବିରୋଧରେ ଫଳପ୍ରଦ ବୋଲି କୁହାଯାଇ ଆବେଦନ କରାଯାଇଥିଲା। ଏହାର ତ୍ୱରିତ ଶୁଣାଣି କରିବାକୁ ମଧ୍ୟ ନିବେଦନ କରାଯାଇଥିଲା। ହେଲେ ଜଷ୍ଟିସ ରାଜୀବ ଏସ୍ଙ୍କ ଖଣ୍ଡପୀଠ ଶୀଘ୍ର ଶୁଣାଣି ଆବେଦନକୁ ଅନୁମତି ଦେଇନାହାନ୍ତି। ଖଣ୍ଡପୀଠରେ ଜଷ୍ଟିସ ତଲୱାନ୍ତ ସିଂହ ମଧ୍ୟ ରହିଥିଲେ। ସେମାନେ କହିଛନ୍ତି, “ପରିବ୍ୟାପ୍ତ ଅବସ୍ଥାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ସମୟରେ ଆବେଦନକୁ ଗ୍ରହଣ କରାଯାଇ ପାରିବନି। ଯାହା ସମ୍ଭବ ହୋଇପାରିବ, ତାହା ଆମେ କରିବାକୁ ଚେଷ୍ଟା କରୁଛୁ।” ଆବେଦନର ପରବର୍ତ୍ତୀ ଶୁଣାଣି ଏବେ ମାର୍ଚ୍ଚ ମାସରେ ହେବ।
କେନ୍ଦ୍ର ସରକାର ଗଞ୍ଜେଇର ବ୍ୟବହାର ପାଇଁ ଆଇନଗତ ଅନୁମତି ଦେବା ଜରୁରୀ। ବିଶେଷ କରି ମେଡିକାଲ କ୍ଷେତ୍ରରେ ଏହାର ବ୍ୟବହାର କରିବା ପାଇଁ ଗାଇଡଲାଇନ ପ୍ରସ୍ତୁତ କରାଯାଉ ବୋଲି ଆବେଦନକାରୀ ଦାବି କରିଛନ୍ତି। କେନ୍ଦ୍ର ସରକାର ଗତବର୍ଷ ଦାଖଲ କରିଥିବା ସତ୍ୟପାଠରେ କହିଥିଲେ ଯେ କୋର୍ଟ ତୁରନ୍ତ ଆବେଦନକୁ ଖାରଜ କରନ୍ତୁ। ଗଞ୍ଜେଇର ବ୍ୟବହାର ପ୍ରସଙ୍ଗରେ ରାଜ୍ୟ ସରକାରମାନଙ୍କୁ ସମସ୍ତ ପ୍ରକାରର କ୍ଷମତା ଦିଆଯାଇଛି। ଗଞ୍ଜେଇ ଚାଷ, ଉତ୍ପାଦନ, ପରିବହନ, ବିକ୍ରି ଓ ସେବନ ଆଦିକୁ ନିୟନ୍ତ୍ରଣ କରିବାକୁ ରାଜ୍ୟ ସରକାର କ୍ଷମତା ପାଇଛନ୍ତି। ମେଡିକାଲ, ବିଜ୍ଞାନ ଓ ଶିଳ୍ପ ଭିତ୍ତିକ ବ୍ୟବହାର ପାଇଁ ସେମାନେ ଗଞ୍ଜେଇକୁ ଅନୁମତି ଦେଇପାରିବେ। ବର୍ତ୍ତମାନ ଥିବା ଆଇନ ବ୍ୟବସ୍ଥା ଅନୁଯାୟୀ, ଗଞ୍ଜେଇର ବ୍ୟବହାର ସମ୍ବିଧାନରେ ଥିବା ଧାରା ୧୪(ସମାନତା ଅଧିକାର), ୧୯(୧)(ଜି) (ଟ୍ରେଡ ସ୍ୱାଧୀନତା) ଓ ୨୧(ଜୀବ ଅଧିକାର)ର ଉଲ୍ଲଙ୍ଘନ କରୁନାହିଁ। ଏନଡିପିଏସ ଆକ୍ଟ ଅନୁସାରେ ଗଞ୍ଜେଇ ଉପରେ ସଂପୂର୍ଣ୍ଣ ବ୍ୟାନ ଲଗାଯାଇନି। କିନ୍ତୁ ଏହାକୁ ମେଡିକାଲ, ବିଜ୍ଞାନ, ଶିଳ୍ପ ଓ ଉଦ୍ୟାନ ଭିତ୍ତିକ କ୍ଷେତ୍ରରେ ବ୍ୟବହାର କରାଯାଇ ପାରିବ। ଏଥିପାଇଁ ରାଜ୍ୟ ସରକାରମାନଙ୍କ ଠାରୁ ଅନୁମତି ନେବାକୁ ପଡ଼ିବ ବୋଲି କେନ୍ଦ୍ର ସରକାର କହିଥିଲେ।
ନିକଟରେ ଖାଦ୍ୟ ସୁରକ୍ଷା ଓ ମାନକ (ଫୁଡ୍ ପ୍ରଡକ୍ଟ ଓ ଫୁଟ୍ ଆଡିଟିଭ୍ସ) ରେଗୁଲେସନ୍-୨୦୧୧ ସଂଶୋଧନ ଆଧାରରେ ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ (ଏଫଏସଏସଏଆଇ) ଖାଦ୍ୟ ସ୍ରୋତରେ ଗଞ୍ଜେଇର ମଞ୍ଜି ଓ ଏହାର ଉତ୍ପାଦନକୁ ମାନ୍ୟତା ପ୍ରଦାନ କରିଥିଲେ। ଏନେଇ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ଗଂଜେଇ ଯାହାର ବୈଜ୍ଞାନିକ ନାମ କାନାବିସ୍ ସାତିବା ଗଛର ମଞ୍ଜି ଓ ମଞ୍ଜିରୁ ଉତ୍ପାଦିତ ସାମଗ୍ରୀକୁ ଖାଦ୍ୟ ବୋଲି ଗ୍ରହଣ କରାଯିବ। ତେବେ ଏଥିପାଇଁ କେତେକ ମାନ ନିର୍ଦ୍ଧାରଣ କରିଛନ୍ତି ଏଫଏସଏସଏଆଇ। ଯେଉଁ ଗଛରେ ଟିଏଚସି ଅର୍ଥାତ୍ ଟେଟ୍ରାହାଇଡ୍ରୋକାନାବିନୋଲ ପରିମାଣ ୦.୩ରୁ କମିବ, ତାକୁ ହିଁ ଖାଦ୍ୟ ଉପଯୋଗୀ କୁହାଯିବ। ଇଂଗ୍ରାଜୀରେ ହେମ୍ପ ବା ଗଞ୍ଜେଇ ମଞ୍ଜିର ବାହାର ଅଂଶ, ଉତ୍ପାଦନ କ୍ଷମନ ଥିବା ମଞ୍ଜି ଓ ଏଥିରୁ ବାହାରୁଥିବା ପାଉଡରକୁ ଅଟା ଭାବେ ବ୍ୟବହାର କରାଯାଇପାରିବ। ଗଞ୍ଜେଇରୁ ଉତ୍ପାଦିତ ଏହି ତିନିପ୍ରକାର ଜିନିଷକୁ ହିଁ ଖାଦ୍ୟର ଅନୁମତି ମିଳିଛି।
