କେପଟାଉନ ଟେଷ୍ଟରେ ନୈରାଶ୍ୟଜନକ ପ୍ରଦର୍ଶନ, ପ୍ରଥମ ଇନିଂସରେ ଭାରତ ୨୨୩ ରନରେ ଅଲଆଉଟ୍
କେପଟାଉନ୍ : କେପଟାଉନର ନ୍ୟୁଲାଣ୍ଡ ଷ୍ଟାଡିୟମଠାରେ ଆଜି ଆରମ୍ଭ ହୋଇଥିବା ଭାରତ ଓ ଦକ୍ଷିଣ ଆଫ୍ରିକା ୩ୟ ତଥା ଚୂଡ଼ାନ୍ତ ଟେଷ୍ଟମ୍ୟାଚରେ ଭାରତ ନୈରାଶ୍ୟଜନକ ଆରମ୍ଭ କରିଛି । ଏହି ମ୍ୟାଚରେ ଭାରତର ଅଧିନାୟକ ବିରାଟ କୋହଲି ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଜାରି ରହିଥିବା ତୃତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍ରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଟିମ୍ ଇଣ୍ଡିଆ । ପ୍ରଥମ ଇନିଂସରେ ୭୭.୩ ଓଭରରେ ୨୨୩ରନରେ ଅଲଆଉଟ୍ ହୋଇଯାଇଛି । କମବ୍ୟାକ୍ ମ୍ୟାଚରେ କମାଲ୍ କଲେ ବିରାଟ୍ କୋହଲି। କୋହଲିଙ୍କ ଧୌର୍ଯ୍ୟପୂର୍ଣ୍ଣ ବ୍ୟାଟିଂ ବଳରେ ସମ୍ମାନଜନକ ସ୍କୋର କରିବାକୁ ସକ୍ଷମ ହୋଇଛି ଟିମ୍ ଇଣ୍ଡିଆ । ଭାରତ ପକ୍ଷରୁ କୋହଲି ସର୍ବାଧିକ ୭୯ ରନ୍ କରିଥିବା ବେଳେ ଚେତେଶ୍ୱର ପୂଜାରା ୪୩ ରନର ଇନିଂସ୍ ଖେଳିଛନ୍ତି। ଏହି ମ୍ୟାଚର ଫଳାଫଳ ସଂପୂର୍ଣ୍ଣ ସିରିଜର ବିଜେତା ନିର୍ଦ୍ଧାରଣ କରିବ । ଯଦି ମ୍ୟାଚ ଡ୍ର ହୁଏ ତେବେ ସିରିଜ ମଧ୍ୟ ଅମିମାଂସିତ ରହିବ ଓ ଉଭୟ ଦଳଙ୍କୁ ଯୁଗ୍ମ ବିଜେତା ଘୋଷଣା କରାଯିବ । ଏହି ସିରିଜର ପ୍ରଥମ ମ୍ୟାଚରେ ଭାରତ ଦକ୍ଷିଣ ଆଫ୍ରିକାକୁ ୧୧୩ ରନରେ ପରାସ୍ତ କରିଥିବାବେଳେ ୨ୟ ମ୍ୟାଚରେ ଦକ୍ଷିଣ ଆଫ୍ରିକା ଭାରତକୁ ୭ ଓ୍ବିକେଟରେ ପରାସ୍ତ କରିଥିଲା ।
Innings Break!#TeamIndia all out for 223.
— BCCI (@BCCI) January 11, 2022
Scorecard – https://t.co/yUd0D0YyB7 #SAvIND pic.twitter.com/e4prGUAmwA
ନ୍ୟୁଲ୍ୟାଣ୍ଡସରେ କ୍ୟାପଟେନ ବିରାଟ୍ କୋହଲି ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ହନୁମା ବିହାରୀ ଓ ମହମ୍ମଦ ସିରାଜଙ୍କ ସ୍ଥାନରେ କୋହଲି ଓ ଉମେଶ ଯାଦବ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇଥିଲେ। ଭାରତକୁ ଭଲ ଷ୍ଟାର୍ଟ ଦେବାରେ ବିଫଳ ହୋଇଥିଲେ ଦୁଇ ଓପ୍ନର ଲୋକେଶ ରାହୁଲ ଓ ମୟଙ୍କ ଅଗ୍ରୱାଲ। ରାହୁଲ (୧୨)ଙ୍କୁ ଡୁଆନ୍ ଓଲିଭିଅର୍ ଓ ମୟଙ୍କ (୧୫)ଙ୍କୁ କାଗିସୋ ରବାଡା ପ୍ୟାଭିଲିୟନ୍ ପଠାଇଥିଲେ। ଲଗାତର ଖରାପ ଫର୍ମରେ ଥିବା ପୂଜାରା ଆଟାକିଂ ଆଭିମୁଖ୍ୟ ଆପଣାଇଥିଲେ। ସେ କୋହଲିଙ୍କ ସହ ମିଶି ତୃତୀୟ ୱିକେଟ୍ ପାଇଁ ୬୨ ରନର ଭାଗିଦାରୀ କରିଥିଲେ। ପୂଜାରା ବ୍ୟକ୍ତିଗତ ୪୩ ରନ୍ କରିଥିବା ବେଳେ ମାର୍କୋ ଜାନସେନଙ୍କ ବଲରେ ଆଉଟ୍ ହୋଇଥିଲେ। ପୂଜାରାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ଅଜିଙ୍କ୍ୟ ରାହାଣେ (୯) ନିରାଶ କରିଥିଲେ। ଋଷଭ ପନ୍ତ ପୁଣିଥରେ ଭଲ ଷ୍ଟାର୍ଟକୁ ବଡ଼ ଇନିଂସରେ ପରିଣତ କରିପାରିନଥିଲେ। ସେ ୨୭ ରନ୍ କରି ଜାନସେନଙ୍କ ଶିକାର ହୋଇଥିଲେ। ଏହା ପରେ ଗୋଟିଏ ପଟେ କୋହଲି ଛିଡ଼ା ହୋଇଥିବା ବେଳେ ଅନ୍ୟପଟେ ଲଗାତର ୱିକେଟ୍ ପତନ ହେବାରେ ଲାଗିଥିଲା। କୋହଲି ଧୀରେ ଧୀରେ ଶତକ ଆଡ଼କୁ ଅଗ୍ରସର ହେଉଥିବା ବେଳେ ତାଙ୍କୁ ରବାଡା ପ୍ୟାଭିଲିୟନ୍ ରାସ୍ତା ଦେଖାଇଥିଲେ। କୋହଲି ପୁଣି ସେହି ପୁରୁଣା ଭୁଲ୍ ଦୋହରାଇଥିଲେ ଏବଂ ବାହାରେ ଯାଉଥିବା ବଲକୁ ଖେଳିବାକୁ ଯାଇ ୱିକେଟ୍ କିପର କାଇଲ ଭେରେନେଙ୍କ ଦ୍ୱାରା କ୍ୟାଚ୍ ହୋଇଥିଲେ। କୋହଲି ୨୦୧ ବଲର ସାମ୍ନା କରି ୧୨ ଚୌକା ଓ ୧ ଛକା ସହ ୭୯ ରନ୍ କରିଥିଲେ। ଅନ୍ୟ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ରବିଚନ୍ଦ୍ରନ୍ ଅଶ୍ୱିନ୍ ୯, ଶାର୍ଦ୍ଦୁଲ ଠାକୁର ୧୨, ମହମ୍ମଦ ଶାମି ୭ ଓ ଯଶପ୍ରୀତ ବୁମ୍ରା କୌଣସି ରନ୍ ନକରି ଆଉଟ୍ ହୋଇଥିଲେ। ଉମେଶ ଯାଦବ ୪ ରନ୍ କରି ଅପରାଜିତ ଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ ରବାଡା ୪ଟି ଓ ଜାନସେନ୍ ୩ଟି ୱିକେଟ୍ ନେଇଥିଲେ। ଓଲିଭିଅର୍, ଲୁଙ୍ଗି ଏନଗିଡି ଓ କେଶବ ମହାରାଜ ଗୋଟିଏ ଲେଖାଏ ୱିକେଟ୍ ହାସଲ କରିଥିଲେ।
