କେପଟାଉନ୍ ଟେଷ୍ଟ, ଐତିହାସିକ ସିରିଜ ବିଜୟ ଲକ୍ଷ୍ୟରେ ଭାରତ
କେପଟାଉନ : କେପ୍ ଟାଉନର ମଙ୍ଗଳବାର ଠାରୁ ଆରମ୍ଭ ହେବାକୁ ଯାଉଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟେଷ୍ଟ ଉପରେ ସମସ୍ତଙ୍କ ନଜର ରହିଛି । ବିରାଟ କୋହଲିଙ୍କ ପ୍ରତ୍ୟାବର୍ତ୍ତନ ସହ କେପ୍ ଟାଉନରେ ଦକ୍ଷିଣ ଆଫ୍ରିକା ମାଟିରେ ପ୍ରଥମ ଥର ଐତିହାସିକ ସିରିଜ ବିଜୟ ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ ଟିମ ଇଣ୍ଡିଆ । ଦକ୍ଷିଣ ଆଫ୍ରିକା ମଧ୍ୟ କେପ୍ ଟାଉନରେ ନିଜର ପୁରୁଣା ବିଜୟ ରେକର୍ଡକୁ ବଜାୟ ରଖିବା ସହ ସିରିଜ ବିଜୟ ଲକ୍ଷ୍ୟରେ ରହିବ ।
ପିଠିରେ ଯନ୍ତ୍ରଣା ଅନୁଭବ କରିବା ପରେ କୋହଲି ଜୋହାନ୍ସବର୍ଗରେ ଖେଳାଯାଇଥିବା ସିରିଜର ଦ୍ବିତୀୟ ଟେଷ୍ଟ ଖେଳିବାରୁ ବଞ୍ଚିତ ହୋଇଥିଲେ । ତେବେ ନ୍ୟୁଲାଣ୍ଡ୍ସରେ ବିରାଟ ଅଭ୍ୟାସ ଆରମ୍ଭ କରିସାରିଥିବାରୁ ତୃତୀୟ ତଥା ନିର୍ଣ୍ଣାୟକ ଟେଷ୍ଟରେ ଖେଳିବା ନେଇ ସଙ୍କେତ ମିଳିସାରିଛି । ସିରିଜ ୧-୧ରେ ବରାବର ରହିଛି । ଫଳରେ କେପ୍ ଟାଉନରେ ଖେଳାଯିବାକୁ ଥିବା ତୃତୀୟ ତଥା ନିର୍ଣ୍ଣାୟକ ଟେଷ୍ଟ ରୋମାଞ୍ଚକର ହେବ । କେପ୍ ଟାଉନ ଟେଷ୍ଟ ବିରାଟଙ୍କ ୯୯ତମ ଟେଷ୍ଟ ଓ ଝିଅ ଭାମିକାଙ୍କ ପ୍ରଥମ ଜନ୍ମଦିନ ହେବ । ଫଳରେ ବିରାଟ ଏହାକୁ ସ୍ପେଶାଲ କରିବାକୁ ଚାହିଁବେ । ବିରାଟଙ୍କ ନେୃତ୍ବତ୍ବରେ ଭାରତୀୟ ଟିମ କ୍ରିକେଟର ଲମ୍ବା ଫର୍ମାଟରେ ବିଶେଷ ସଫଳତା ହାସଲ କରିଛି । ତେବେ ଦକ୍ଷିଣ ଆଫ୍ରିକା ମାଟିରେ କେବେ ଟେଷ୍ଟ ସିରିଜ ବିଜୟର ସ୍ବାଦ ଚାଖିନଥିବା ଭାରତ ଚଳିତ ଥର ଇତିହାସ ରଚିବା ନେଇ ବିଶ୍ବାସ କରାଯାଉଛି ।
