ଆଜିଠୁ ବଦଳିବ ପାଣିପାଗ! ବଜ୍ରପାତ ସହ କୁଆପଥର ବୃଷ୍ଟି ନେଇ ସତର୍କ ଜାରି କଲା ପାଣିପାଗ
ଭୁବନେଶ୍ୱର : ଆଜିଠୁ ରାଜ୍ୟରେ ବଦଳିବ ପାଣିପାଗ । ଆସନ୍ତା ୪ ଦିନ ଯାଏ ଭିଜିବ ପଶ୍ଚିମ ଓଡ଼ିଶା । ୪ ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ । ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ତେବେ ୧୨ ଓ ୧୩ ତାରିଖରେ ପ୍ରବଳ ବର୍ଷା ଆଶଙ୍କା ରହିଛି । ବର୍ଷାରେ ବିଲରେ ଅମଳ ହୋଇ ରହିଥିବା ଫସଲ ନଷ୍ଟ ହୋଇଯିବାର ଭୟ ଘାରିଛି । ଏହି ଅଦିନିଆ ବର୍ଷାକୁ ନେଇ ଚାଷୀ ମୁଣ୍ଡରେ ଚଡ଼କ ପଡିଯାଇଛି । ଆସନ୍ତାକାଲିଠୁ ୧୪ ତାରିଖ ପର୍ଯ୍ୟନ୍ତ ବଜ୍ରପାତ ସହ କୁଆପଥର ବୃଷ୍ଟି ହେବା ନେଇ ସତର୍କତା ଜାରି କରାଯାଇଛି ।
ପ୍ରବଳ ବର୍ଷା ପାଇଁ ୭ ଜିଲାକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ପଶ୍ଚିମାଝଡ଼ ପ୍ରଭାବରେ ଆଜିଠାରୁ ରାଜ୍ୟର କେତେକ ଅଞ୍ଚଳରେ ପାଗରେ ପରିବର୍ତ୍ତନ ଆସିବ । ବିଜୁଳି ଘଡ଼ଘଡ଼ି ସହିତ ହାଲୁକାରୁ ମଧ୍ୟମ ଧରଣ ବର୍ଷା ହେବ । ୧୧ ତାରିଖରୁ ବର୍ଷାର ପରିମାଣ ବଢ଼ିବ । ପ୍ରବଳ ବର୍ଷା ପାଇଁ ବରଗଡ, ବଲାଙ୍ଗିର, ସୋନପୁର, ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ ଏବଂ ଦେବଗଡକୁ ୟେଲୋ ଆଲର୍ଟ ଜାରି ହୋଇଛି । ତେବେ ଫସଲ ଅମଳ ସମୟରେ ଏଭଳି ବର୍ଷା ଭୟକୁ ନେଇ ଚାଷୀକୂଳ ଛାନିଆ ହୋଇଛି । ଏବେ ବିଲରେ ଧାନ କଟା ହୋଇ ଗଦା ହୋଇଛି । ମୂଷଳ ଧାରାରେ ବର୍ଷା ହେଲେ ଧାନ ପାଣିରେ ଓଦା ହୋଇ ପଚିଯିବାର ଆଶଙ୍କା ରହିଛି ।
କୋବି, ଟମାଟୋ, ଲଙ୍କା, ବିନ୍, ମଟର, ଗାଜର ଭଳି ବିଭିନ୍ନ ପନିପରିବା ବି ନଷ୍ଟ ହୋଇ ଯାଇପାରେ । ଏଥିପାଇଁ ଚାଷୀମାନେ ତୁରନ୍ତ ନିଜ ଅମଳ ଧାନକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି । ଅମଳ ଯୋଗ୍ୟ ପନିପରିବାକୁ ତୋଳି ଆଣିବାକୁ ମଧ୍ୟ କୁହାଯାଇଛି ।ବର୍ଷା ଆଶଙ୍କା ଥିବାରୁ ମୁଗ ଓ ବିରି ଭଳି ଶୀତଦିନିଆ ଡାଲିଜାତୀୟ ବିହନ ଓ ତୈଳ ବିହନ ବୁଣା ଆସନ୍ତା ଏକ ସପ୍ତାହ ଯାଏ ସ୍ଥଗିତ ରଖିବାକୁ ପରାମର୍ଶ ଦିଆଯାଇଛି ।
