ଧରା ପଡିଲା ସୁଲ୍ଲି ଡିଲ୍ ଆପ୍ର ମାଷ୍ଟରମାଇଣ୍ଡ
ନୂଆଦିଲ୍ଲୀ : ଧରାପଡିଲା ସୁଲ୍ଲି ଡିଲ୍ ଆପ୍ର ମାଷ୍ଟର ମାଇଣ୍ଡ । ଆପ୍ର ମୁଖ୍ୟ ଅଭିଯୁକ୍ତକୁ ଦିଲ୍ଲୀ ପୁଲିସର ସାଇବର କ୍ରାଇମ୍ ୟୁନିଟ୍ ମଧ୍ୟପ୍ରଦେଶର ଇନ୍ଦୋରରୁ ଗିରଫ କରିଛି । ମୁସ୍ଲିମ୍ ମହିଳାଙ୍କ ଫଟୋ ଅପ୍ଲୋଡ୍ କରି ନିଲାମ କରୁଥିବା ନେଇ ଅଭିଯୁକ୍ତଙ୍କ ନାଁରେ ରହିଛି ଅଭିଯୋଗ । ଗିରଫ ଅଭିଯୁକ୍ତ ଜଣକ ହେଉଛି ୨୫ ବର୍ଷୀୟ ଓଙ୍କାରେଶ୍ୱର ଠାକୁର । ସେ ମଧ୍ୟପ୍ରଦେଶ ନ୍ୟୁୟର୍କ ସିଟି ଟାଉନ୍ସିପର ବାସିନ୍ଦା । ଏହି ବିସିଏ ଛାତ୍ର ଜଣକ ଗତ ବର୍ଷ ଜୁଲାଇ ମାସରେ ‘ସୁଲ୍ଲି ଡିଲ୍’ ଆପ୍ ତିଆରି କରିଥିଲା । ଏହି ଆପ୍ ଜରିଆରେ ମୁସଲିମ ମହିଳାଙ୍କୁ ଟାର୍ଗେଟ କରାଯାଉଥିଲା । ପଚରାଉଚରା ବେଳେ ଅଭିଯୁକ୍ତ ଓଙ୍କାରେଶ୍ୱର ଖୁଲାସା କରିଛି ଯେ, ସୁଲ୍ଲି ଡିଲ୍ ମାମଲାରେ ଅନ୍ୟ ଲୋକମାନେ ମଧ୍ୟ ଜଡିତ ଅଛନ୍ତି । ଯେଉଁମାନେ କି ଏଥିରେ ଛୋଟ ଭୂମିକା ଗ୍ରହଣ କରିଥିଲେ ।
ପୋଲିସର ପ୍ରାଥମିକ ତଦନ୍ତ ବେଳେ ସେ ସ୍ୱୀକାରୀ କରିଛି ଯେ, ସେ ଟ୍ୱିଟରରେ ଏକ ଟ୍ରେଡ୍ ଗ୍ରୁପର ସଦସ୍ୟ ଥିଲା ଏବଂ ମୁସଲମାନ ମହିଳାମାନଙ୍କୁ ବଦନାମ ତଥା ଟ୍ରୋଲ କରିବା ପାଇଁ ମତାମତ ବାଣ୍ଟୁଥିଲା । ସେ GitHub ରେ କୋଡ୍ ବିକଶିତ କରିଥିବା ନେଇ ମଧ୍ୟ ସ୍ୱୀକାର କରିଛି । ଗ୍ରୁପର ସଦସ୍ୟଙ୍କ ଦ୍ୱାରା ହିଁ ମୁସ୍ଲିମ ମହିଳାଙ୍କ ଫଟୋ ଅପ୍ଲୋଡ୍ ହେଉଥିଲା । କିନ୍ତୁ ଯେତେବେଳେ ସୁଲ୍ଲି ଡିଲ୍ ଆପ୍କୁ ନେଇ ଚର୍ଚ୍ଚା ହେବା ସହ ବିବାଦ ବଢ଼ିଥିଲା ସେତେବେଳେ ସେ ସୋଶାଲ ମିଡିଆରୁ ଫୁଟ୍ ପ୍ରିଣ୍ଟ ଡିଲିଟ୍ କରିଦେଇଥିଲା ବୋଲି କହିଛି । ଓଙ୍କାରେଶ୍ୱର ନିକଟରୁ ଜବତ ହୋଇଥିବା ଗ୍ୟାଜେଟ୍ସର ପୁଲିସ ଯାଞ୍ଚ କରୁଛି । ଆଗାମୀ ଦିନରେ ଏହି ମାମଲାରେ ଗିରଫଦାରୀ ସଂଖ୍ୟା ବଢ଼ିପାରେ ବୋଲି ପୁଲିସ ସୂଚନ ଦେଇଛି ।
