ବାହ୍ୟ ପ୍ରାକୃତିକ ଶକ୍ତି ଦ୍ୱାରା ନିଆଁ ଲାଗିବା କୌଣସି ଦୈବୀ ଘଟଣା ନୁହେଁ : ସୁପ୍ରିମକୋର୍ଟ
ନୂଆଦିଲ୍ଲୀ : କୌଣସି ବାହ୍ୟ ପ୍ରାକୃତିକ ଶକ୍ତି (ବାତ୍ୟା, ବନ୍ୟା, ବଜ୍ରପାତ କିମ୍ବା ଭୂକମ୍ପ) ଦ୍ୱାରା ନିଆଁ ଲାଗିବା କୌଣସି ଦୈବୀ ଘଟଣା ନୁହେଁ । ଏନେଇ ସୁପ୍ରିମକୋର୍ଟ କହିଛନ୍ତି ଯେ ଯଦି ବାତ୍ୟା, ବନ୍ୟା, ବଜ୍ରପାତ କିମ୍ବା ଭୂକମ୍ପ ଭଳି କୌଣସି ବାହ୍ୟ ପ୍ରାକୃତିକ ଶକ୍ତି ଦ୍ୱାରା ନିଆଁ ଲାଗି ନଥାଏ, ତେବେ ନିଆଁକୁ ଏକ ଦୈବୀ ଘଟଣା ବୋଲି କୁହାଯାଇପାରିବ ନାହିଁ। ଜଷ୍ଟିସ୍ ଏମ୍ ଖାନୱିଲକର, ଜଷ୍ଟିସ ଦୀନେଶ ମହେଶ୍ୱରୀ ଏବଂ ଜଷ୍ଟିସ କୃଷ୍ଣ ମୁରାରୀଙ୍କ ଖଣ୍ଡପୀଠ ଆହ୍ଲାବାଦ ହାଇକୋର୍ଟଙ୍କ ଆଦେଶକୁ ଖାରଜ କରି ଏହା କହିଛନ୍ତି। ବାସ୍ତବରେ ଏକ କମ୍ପାନୀର ଗୋଦାମରେ ନିଆଁ ଲାଗିବା ଘଟଣାକୁ ହାଇକୋର୍ଟ ଦୈବୀ ଘଟଣା ବୋଲି ଅଭିହିତ କରିଥିଲେ ଓ ମଦ କମ୍ପାନୀକୁ ଅବକାରୀ ଟିକସ ଦେବାର ଆବଶ୍ୟକତା ନାହିଁ ବୋଲି ରାୟ ଦେଇଥିଲେ। ଆଉ ଏହାକୁ ଚ୍ୟାଲେଞ୍ଜ କରି ଉତ୍ତରପ୍ରଦେଶ ଅବକାରୀ ବିଭାଗ ସୁପ୍ରିମକୋର୍ଟରେ ପହଞ୍ଚିଥିଲା।
ସୁପ୍ରିମକୋର୍ଟ କହିଛନ୍ତି ଯେ ‘ଏହି କ୍ଷେତ୍ରରେ କୌଣସି ବାହ୍ୟ ପ୍ରାକୃତିକ ଶକ୍ତି (ବାତ୍ୟା, ବନ୍ୟା, ବଜ୍ରପାତ କିମ୍ବା ଭୂକମ୍ପ) ଦ୍ୱାରା ନିଆଁ ଲାଗିନଥିଲା, ତେଣୁ ଏହି ଘଟଣାକୁ ଆଇନଗତ ଦୃଷ୍ଟିକୋଣରେ ଈଶ୍ୱରୀୟ ଘଟଣା ବୋଲି କୁହାଯାଇପାରିବ ନାହିଁ।’ ସୂଚନା ମୁତାବକ ଏକ ମଦ କମ୍ପାନୀରେ ନିଆଁ ଲାଗିବା ପରେ କମ୍ପାନୀ ଅବକାରୀ ଟିକସ ଦେଇନଥିଲା । ଆଉ ଆହ୍ଲାବାଦ ହାଇକୋର୍ଟରେ ଏ ନେଇ ଶୁଣାଣି ହୋଇଥିଲା । ଆହ୍ଲାବାଦ ହାଇକୋର୍ଟ କହିଥିଲେ ଯେ ଏକ୍ସାଇଜ୍ କମିଶନର ଆଦେଶ ଦେଇଥିବା ୬.୩୯ କୋଟି ଟଙ୍କା ରାଜସ୍ୱ ଆଦାୟ କରାଯାଇପାରିବ ନାହିଁ, କାରଣ ନିଆଁ ଲାଗିବା ଏକ ଈଶ୍ୱରୀୟ ଘଟଣା । ଯାହାପରେ ଉତ୍ତରପ୍ରଦେଶର ଏକ୍ସାଇଜ୍ ବିଭାଗ ହାଇକୋର୍ଟଙ୍କ ଏହି ଆଦେଶକୁ ଚ୍ୟାଲେଞ୍ଜ କରିଥିଲା ।
