ପଂଚାୟତ ନିର୍ବାଚନ ଅନିଶ୍ଚିତତା ଦୂର, ଗେଜେଟ୍ ବିଜ୍ଞପ୍ତି ଜାରି
ଭୁବନେଶ୍ୱର : ରାଜ୍ୟରେ ପଂଚାୟତ ନିର୍ବାଚନକୁ ନେଇ ଲାଗି ରହିଥିବା ଅନିଶ୍ଚିତତା ଶନିବାର ଦୂର ହୋଇଛି । ରାଜ୍ୟ ସରକାର ପଂଚାୟତ ନିର୍ବାଚନର ସମସ୍ତ ଚୂଡ଼ାନ୍ତ ତାଲିକା ଶୁକ୍ରବାର ରାଜ୍ୟ ନିର୍ବାଚନ କମିଶନରଙ୍କୁ ଦେଇଥିବା ବେଳେ ଆଜି ଗେଜେଟ୍ ବିଜ୍ଞପ୍ତି ଜାରି କରିଛନ୍ତି । ଓଡ଼ିଶା ହାଇକୋର୍ଟ ଡିସେମ୍ବର ୨୨ ତାରିଖ ରାୟରେ ଓଡ଼ିଶା ଗ୍ରାମ ପଂଚାୟତ ଆକ୍ଟର ଧାରା ୧୨ର ରୁଲ୍ ୧୩ ପ୍ରାବଧାନ ଅନୁସାରେ ଜାନୁଆରୀ ୮ତାରିଖରେ ବିଜ୍ଞପ୍ତି ଜାରି ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ ।
ରାଜ୍ୟ ପଂଚାୟତିରାଜ ବିଭାଗ ପକ୍ଷରୁ ଆଜି ଏକକାଳୀନ ୩ଟି ଗେଜେଟ୍ ବିଜ୍ଞପ୍ତି ଜାରି ହୋଇଛି । ଯେଉଁଥିରେ ଓଡ଼ିଶା ଜିଲ୍ଲା ପରିଷଦ ଆକ୍ଟ-୧୯୯୧ର ଧାରା ୧୭ର ପ୍ରାବଧାନ ଅନୁସାରେ ସମସ୍ତ ଜିଲ୍ଲା ପରିଷଦରେ ସଭ୍ୟ ନିର୍ବାଚନ କରିବାକୁ ସମ୍ମତି ଦେଇଛନ୍ତି । ସେହିପରି ଓଡ଼ିଶା ପଂଚାୟତ ସମିତି ଆକ୍ଟ-୧୯୫୯ ଓ ଓଡ଼ିଶା ପଂଚାୟତ ସମିତି ନିର୍ବାଚନ ରୁଲସ-୧୯୯୧ର ରୁଲ-୪(୧) ପ୍ରାବଧାନ ଅନୁସାରେ ସମସ୍ତ ପଂଚାୟତ ସମିତିରେ ସଭ୍ୟ ନିର୍ବାଚନ କରିବାକୁ ଘୋଷଣା କରିଛନ୍ତି । ସେହିପରି ଓଡ଼ିଶା ଗ୍ରାମ ପଂଚାୟତ ଆକ୍ଟ-୧୯୬୪ର ଧାରା-୧୨(୧ ଓ ୨), ଓଡ଼ିଶା ଗ୍ରାମ ପଂଚାୟତ ନିର୍ବାଚନ ରୁଲସ-୧୯୬୫ର ରୁଲ ୧୩ର ପ୍ରାବଧାନ ଅନୁସାରେ ରାଜ୍ୟ ସରକାର କେବଳ ଜଗତସିଂହପୁର ଜିଲ୍ଲାର ଏରସମା ବ୍ଲକ ଅନ୍ତର୍ଗତ ଢ଼ିଙ୍କିଆ ଗ୍ରାମ ପଂଚାୟତକୁ ଛାଡ଼ି ରାଜ୍ୟର ଅନ୍ୟ ସମସ୍ତ ପଂଚାୟତରେ ୱାର୍ଡ ସଭ୍ୟ ଓ ପଂଚାୟତ ନିର୍ବାଚନ କରିବାକୁ ଘୋଷଣା କରିଛନ୍ତି । ପଂଚାୟତିରାଜ ବିଭାଗ ପକ୍ଷରୁ ଆଜି ଏହି ଗେଜେଟ୍ ବିଜ୍ଞପ୍ତି ଜାରି ହୋଇଛି । ରାଜ୍ୟରେ ଓମିକ୍ରନ୍ ସଂକ୍ରମଣ ବୃଦ୍ଧି ପାଉଥିବାବେଳେ ପଂଚାୟତ ନିର୍ବାଚନ ସ୍ଥଗିତ ରହିପାରେ ବୋଲି ଚର୍ଚ୍ଚା ଜୋର ଧରିଥିଲା । କିନ୍ତୁ ଏହି ଗେଜେଟ୍ ବିଜ୍ଞପ୍ତି ଜାରି ପରେ ରାଜ୍ୟରେ ପଂଚାୟତ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନର ଖୁବଶୀଘ୍ର ତାରିଖ ଘୋଷଣା କରିବା ଏକପ୍ରକାର ନିଶ୍ଚିତ ହୋଇଯାଇଛି । ସୂତ୍ର ଅନୁସାରେ ଆସନ୍ତା ୧୦ ତାରିଖ ଅପରାହ୍ନରେ ପଂଚାୟତ ନିର୍ବାଚନ ପାଇଁ ବିଧିବଦ୍ଧ କାର୍ଯ୍ୟସୂଚୀ ଘୋଷଣା ହେବ ।
ସୂଚନା ଯେ, ପଂଚାୟତ ନିର୍ବାଚନକୁ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ରାଜ୍ୟ ନିର୍ବାଚନ କମିଶନର ଆଜି ରାଜ୍ୟର ମୁଖ୍ୟ ସଚିବ, ସ୍ୱତନ୍ତ୍ର ରିଲିଫ କମିଶନର ଓ ସ୍ୱାସ୍ଥ୍ୟ ବିଭାଗର ସଚିବ ଓ ବରିଷ୍ଠ ଅଧିକାରୀମାନଙ୍କ ସହ ବୈଠକ କରିଥିଲେ । ଆସନ୍ତା ୧୦ ତାରିଖରେ ସର୍ବଦଳୀୟ ବୈଠକ ଓ ୧୨ ତାରିଖରେ ଜିଲ୍ଲାପାଳ ଓ ଏସ୍ପିଙ୍କ ବୈଠକ ରାଜ୍ୟ ନିର୍ବାଚନ କମିଶନର ଡାକିଛନ୍ତି । ବୈଠକ ପରେ ରାଜ୍ୟରେ ପଂଚାୟତ ନିର୍ବାଚନ ହେଉଥିବା ନେଇ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ସ୍ପଷ୍ଟ ସଙ୍କେତ ଦେଇଥିଲେ । ଉଲ୍ଲେଖଯୋଗ୍ୟ, ରାଜ୍ୟର ମୋଟ ୯୧,୯୧୩ ଜଣ ୱାର୍ଡମେମ୍ୱର, ୬୭୯୪ଟି ପଂଚାୟତର ସରପଂଚ, ୬୭୯୧ଟି ପଂଚାୟତ ସମିତି ସଭ୍ୟ ଓ ୮୫୩ଟି ଜିଲ୍ଲା ପରିଷଦ ସଭ୍ୟ ନିମନ୍ତେ ଗ୍ରାମାଂଚଳର ୨.୬୨ କୋଟି ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ ।
