୫ ରାଜ୍ୟରେ ବିଧାନସଭା ନିର୍ବାଚନ ତାରିଖ ଘୋଷଣା
- ଫେବ୍ରୁଆରି ୧୦ରୁ ନିର୍ବାଚନ, ମାର୍ଚ୍ଚ ୧୦ରେ ଗଣତି
- ଜାନୁଆରୀ ୧୫ ପର୍ଯ୍ୟନ୍ତ ରାଜନୈତିକ ସଭା, ରାଲି, ରୋଡ଼ ସୋ ଉପରେ କଟକଣା
ନୂଆଦିଲ୍ଲୀ : ଦେଶରେ କରୋନାର ୩ୟ ଲହର ଆରମ୍ଭ ହୋଇଯାଇ ଥିବା ବେଳେ ଭାରତୀୟ ନିର୍ବାଚନ ଆୟୋଗ ଶନିବାର ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିଛନ୍ତି । ଏହି ୫ଟି ରାଜ୍ୟ ହେଲା ଉତରପ୍ରଦେଶ, ଉତରାଖଣ୍ଡ, ପଞ୍ଜାବ, ଗୋଆ ଓ ମଣିପୁର । ଏସବୁ ନିର୍ବାଚନ ସଂପୂର୍ଣ୍ଣ କୋଭିଡ୍ କଟକଣା ମଧ୍ୟରେ ଅନୁଷ୍ଠିତ ହେବ ବୋଲି ମୁଖ୍ୟ ନିର୍ବାଚନ ଆୟୁକ୍ତ ସୁଶୀଲ ଚନ୍ଦ୍ରା ଘୋଷଣା କରିଛନ୍ତି । ମୋଟ ୭ଟି ପର୍ଯ୍ୟାୟରେ ଏସବୁ ରାଜ୍ୟରେ ନିର୍ବାଚନ ହେବ । ପ୍ରଥମ ପର୍ଯ୍ୟାୟ ନିର୍ବାଚନ କେବଳ ଉତରପ୍ରଦେଶରେ ହେବ । ଏଥିପାଇଁ ଫେବ୍ରୁଆରି ୧୦ରେ ଭୋଟ ଗ୍ରହଣ ହେବ । ୨ୟ ପର୍ଯ୍ୟାୟ ନିର୍ବାଚନ ୪ଟି ରାଜ୍ୟ ଯଥା ଉତରପ୍ରଦେଶ, ଗୋଆ, ପଞ୍ଜାବ ଓ ଉତରାଖଣ୍ଡରେ ହେବ । ଏଥିପାଇଁ ଫେବ୍ରୁଆରି ୧୪ରେ ଭୋଟ ଗ୍ରହଣ ହେବ । ଉତରପ୍ରଦେଶରେ ୩ୟ ପର୍ଯ୍ୟାୟ ମତଦାନ ୨୦ ଫେବ୍ରୁଆରିରେ ଓ ୪ର୍ଥ ପର୍ଯ୍ୟାୟ ମତଦାନ ୨୩ ଫେବ୍ରୁଆରିରେ ହେବ । ୫ମ ପର୍ଯ୍ୟାୟ ମତଦାନ ମଣିପୁର ଓ ଉତରପ୍ରଦେଶରେ ୨୭ ଫେବ୍ରୁଆରିରେ ହେବ । ଉତରପ୍ରଦେଶରେ ୬ଷ୍ଠ ଓ ୭ମ ପର୍ଯ୍ୟାୟ ମତଦାନ ଯଥାକ୍ରମେ ମାର୍ଚ୍ଚ ୩ ଓ ମାର୍ଚ୍ଚ ୭ରେ ହେବ । ମାର୍ଚ୍ଚ ୧୦ରେ ଭୋଟ ଗଣତି ହେବ ।
ଏହି ୫ଟି ରାଜ୍ୟର ମୋଟ ୬୯୦ଟି ବିଧାନସଭା ଆସନରେ ନିର୍ବାଚନ ଅନୁଷ୍ଠିତ ହେବ । ସେଗୁଡ଼ିକ ମଧ୍ୟରୁ ଉତରପ୍ରଦେଶରେ ସର୍ବାଧିକ ୪୦୩ଟି ଆସନରେ, ପଞ୍ଜାବର ୧୧୭ ଆସନ, ଉତରାଖଣ୍ଡର ୭୦ ଆସନ, ମଣିପୁରର ୬୦, ଗୋଆର ୪୦ଟି ଆସନ ରହିଛି । ତେବେ ଏହି ନିର୍ବାଚନ ଶାସକ ବିଜେପି ଲାଗି ଖୁବ ଗୁରୁତ୍ୱପୂର୍ଣ୍ଣ ରହିଛି । କାରଣ ପଞ୍ଜାବକୁ ଛାଡ଼ିଦେଲେ ଅନ୍ୟ ୪ ରାଜ୍ୟରେ ବିଜେପି ସରକାର ରହିଛି । ଏହି ସବୁ ରାଜ୍ୟରେ ବିଜେପି ପୁଣି କ୍ଷମତାକୁ ଆସିପାରୁଛି କି ନାହିଁ, ତା’ଉପରେ ସମସ୍ତଙ୍କର ନଜର ରହିଛି । ମୁଖ୍ୟ ନିର୍ବାଚନ ଆୟୁକ୍ତ ସୁଶୀଲ ଚନ୍ଦ୍ରା କହିଛନ୍ତି ଯେ କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଆୟୋଗ କେନ୍ଦ୍ର ଗୃହ ମନ୍ତ୍ରାଳୟ, ସ୍ୱାସ୍ଥ୍ୟ ମନ୍ତ୍ରାଳୟ, ରାଜ୍ୟମାନଙ୍କ ମୁଖ୍ୟ ଶାସନ ସଚିବ ଓ ସ୍ୱାସ୍ଥ୍ୟ ସଚିବ, ଏବଂ ବିଶେଷଜ୍ଞମାନଙ୍କ ସହ ଆଲୋଚନା କରିବା ପରେ ସଂପୂର୍ଣ୍ଣ କୋଭିଡ କଟକଣା ମଧ୍ୟରେ ନିର୍ବାଚନ ଆୟୋଜନ କରିବାକୁ ନିଷ୍ପତି ନେଇଛନ୍ତି ।
ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ କୌଣସି ରାଜନୈତିକ ଦଳ ନିର୍ବାଚନୀ ସଭା, ରାଲି, ରୋଡ ସୋ, ପଦଯାତ୍ରା, ସାଇକେଲ ବା ବାଇକ ଆଦି କରିପାରିବେ ନାହିଁ ବୋଲି ଆୟୋଗ କଟକଣା ଜାରି କରିଛନ୍ତି । ୧୫ ତାରିଖ ପରେ ସ୍ଥିତିର ସମୀକ୍ଷା ପରେ ଆୟୋଗ ପରବର୍ତୀ ନିର୍ଦ୍ଦେଶ ଜାରି କରିବେ । ଅନ୍ୟପକ୍ଷରେ ଚଳିତ ଥର ପାରମ୍ପରିକ ଜନସଭା ଅପେକ୍ଷା ଭର୍ଚୁଆଲ ଜନସଭା, ଜିଜିଟାଲ ପ୍ରଚାର ଉପରେ ଗୁରୁତ୍ୱ ଦେବାକୁ ଆୟୋଗ ରାଜନୈତିକ ଦଳମାନଙ୍କୁ ନିବେଦନ କରିଛନ୍ତି । ସେ କହିଛନ୍ତି ଯେ କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଆୟୋଗ କେନ୍ଦ୍ର ଗୃହ ମନ୍ତ୍ରାଳୟ, ସ୍ୱାସ୍ଥ୍ୟ ମନ୍ତ୍ରାଳୟ, ରାଜ୍ୟମାନଙ୍କ ମୁଖ୍ୟ ଶାସନ ସଚିବ ଓ ସ୍ୱାସ୍ଥ୍ୟ ସଚିବ, ବିଶେଷଜ୍ଞମାନଙ୍କ ସହ ଆଲୋଚନା କରିବା ପରେ ସଂପୂର୍ଣ୍ଣ କୋଭିଡ କଟକଣା ମଧ୍ୟରେ ନିର୍ବାଚନ ଆୟୋଜନ କରିବାକୁ ନିଷ୍ପତି ନେଇଛନ୍ତି । କୋଭିଡ ସଂକ୍ରମଣରୁ ସୁରକ୍ଷା ପାଇଁ ନିର୍ବାଚନ ପରିଚାଳନା କରୁଥିବା କର୍ମଚାରୀ ଓ ଅଧିକାରୀମାନଙ୍କୁ ବୁଷ୍ଟର ଡୋଜ ଦିଆଯିବ ବୋଲି ସେ କହିଛନ୍ତି ।
